ଭୁବନେଶ୍ୱର: ଜଣେ କେନ୍ଦ୍ରମନ୍ତ୍ରୀ ହୋଇ “ଆନ୍ଧ୍ର ଗୋ ବ୍ୟାକ୍” ପରି ଏକ ବିବାଦୀୟ ନ୍ୟାରା ଦେଇ ସମାଲୋଚିତ ହେବା ପରେ ଧର୍ମେନ୍ଦ୍ରଙ୍କ ସମର୍ଥନରେ ବାହାରିଛି ଓଡ଼ିଶା ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଭୃଗୁ ବକ୍ସିପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। ଓଡ଼ିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ ଧର୍ମେନ୍ଦ୍ର ସେମାନଙ୍କ ପାଖରେ ପହଞ୍ଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଜଣେ ଓଡ଼ିଆ ପୁଅ ଏବଂ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ। “ଆନ୍ଧ୍ର ଗୋ ବ୍ୟାକ” ଭାରତୀୟ ଜନତା ପାର୍ଟିର ସ୍ପଷ୍ଟ ଷ୍ଟାଣ୍ଡ। ଏଥିରେ କୌଣସି ଦ୍ବିମତ କିମ୍ବା ଦ୍ଵନ୍ଦ ନାହିଁ। ଧର୍ମେନ୍ଦ୍ର ଏପରି କହି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି ବୋଲି ଭୃଗୁ କହିଛନ୍ତି। କିନ୍ତୁ, ଭୃଗୁ ସଂପୂର୍ଣ୍ଣ ଭୁଲ୍ କହିଛନ୍ତି। “ଆନ୍ଧ୍ର ଗୋ ବ୍ୟାକ” ହୁଏତ ଓଡ଼ିଶା ବିଜେପିର ଷ୍ଟାଣ୍ଡ ହୋଇପାରେ, କିନ୍ତୁ ଭାରତୀୟ ଜନତା ପାର୍ଟି (ରାଷ୍ଟ୍ରୀୟ) କିମ୍ବା ଆନ୍ଧ୍ର ବିଜେପି ପାଇଁ ଏପରି ନ୍ୟାରା କେବେ ଗ୍ରହଣୀୟ ହୋଇନପାରେ।
-/Dev@Drath