Home ଜିଲ୍ଲା ପରିକ୍ରମା ଜଗନ୍ନାଥଙ୍କ ଜମି ଜବରଦଖଲ,ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଗଣଧାରଣା

ଜଗନ୍ନାଥଙ୍କ ଜମି ଜବରଦଖଲ,ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଗଣଧାରଣା

6

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ତହସିଲ ଅନ୍ତର୍ଗତ ବରପଦୀ(ରସିଦପୁର) ଗ୍ରାମରେ ଥିବା ଜଗନ୍ନାଥଙ୍କ ଏକ ଜମିରୁ ଜବରଦଖଲ ମୁକ୍ତ କରିବା ନିମନ୍ତେ ଗ୍ରାମବାସୀମାନେ ଆଜି ବନ୍ତ ତହସିଲ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ତୋଡ଼ଗାଁ ପଞ୍ଚାୟତ ବରପଦୀ(ରସିଦପୁର) ମୌଜାର ଖାତା ନଂ ୨୫୫, ପ୍ଲଟ୍ ନଂ ୯୧୯ରେ ଥିବା ୯ଡିସିମିଲ ଜମି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ଭାବେ ରହିଅଛି । ଉକ୍ତ ଜମିକୁ ସେହି ଗ୍ରାମର ଶଶୀକାନ୍ତ ନାୟକ ଜବରଦଖଲ କରି ନିଜର ବ୍ୟବସାୟୀକ କାର୍ଯ୍ୟରେ ଲଗାଇ ଆସୁଛନ୍ତି । ଗ୍ରାମବାସୀମାନେ ଉକ୍ତ ଜମିରେ ଜଗନ୍ନାଥ ମନ୍ଦିର ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ବନ୍ତ ତହସିଲରେ ଆବେଦନ କରିବା ପରେ କେନ୍ଦୁଆପଦା ଆର୍‌ଆଇ ଓ ତହସିଲ ଅମୀନ ସରଜମିନ ତଦନ୍ତ କରି ଜାଗା ଚିହ୍ନଟ କରିବା ପରେ ତହସିଲ ପକ୍ଷରୁ ଜବରଦଖଲ ହଟାଇବା ନିମନ୍ତେ ଅବରୋଧକାରୀଙ୍କ ଉପରେ ୭.୧୧.୨୩ରିଖରେ ‘କ’ ଓ ‘ଖ’ ଫର୍ମ ଲଗାଇଥିଲେ । ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଜଗନ୍ନାଥଙ୍କ ନିଜସ୍ୱ ସମ୍ପତ୍ତି ଉପରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇ ପାରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଉକ୍ତ ଜମିକୁ ଜବରଦଖଲ ମୁକ୍ତ ପାଇଁ ଗ୍ରାମବାସୀମାନେ ବହୁ ସମୟରେ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ନାୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।

ବାଧ୍ୟ ହୋଇ ବିଭାଗୀୟ ଅଧିକାରୀଙ୍କ ଅବଗତ ପରେ ଗ୍ରାମର ଶ୍ରୀ ଜଗନ୍ନାଥ କମିଟିର ସଭାପତି ଜଳଧର ବାରିକ, ସମ୍ପାଦକ ଶେଷଦେବ ବେହେରା, ସୁବ୍ରତ ମହାନ୍ତି, ଗଣେଶ ମହାନ୍ତିଙ୍କ ନେତୃତ୍ୱରେ ସୁଧୀର ସାହୁ, ବ୍ରଜ ବେହେରା, ରଙ୍ଗାଧର ନାୟକ, ପଦ୍ମିନୀ ବେହେରା, ସବିତା ସାହୁ , ପ୍ରତିଭା ଲେଙ୍କା, ବୈଜୟନ୍ତୀ ମହାନ୍ତି, ମାନିନୀ ସାହୁଙ୍କ ସମେତ ଶତାଧିକ ବନ୍ତ ତହସିଲ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ଏନେଇ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଗ୍ରାମବାସୀମାନଙ୍କ ଅଭିଯୋଗର ସତ୍ୟତା ଥିବା କହିଥିବା ବେଳେ ଜବରଦଖଲକାରୀ ‘ଖ’ ଫର୍ମ ପାଇବା ପରେ ତହସିଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ଉକ୍ତ ଆବେଦନର ବିଚାର କରି ଉଚ୍ଚ ନ୍ୟାୟାଳୟ ଗତ ୨୨.୧.୨୪ ରିଖରେ ଆବେଦନକାରୀ ଭଦ୍ରକ ଉପ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୧୫ଦିନ ମଧ୍ୟରେ ଉପଜିଲ୍ଲାପାଳ ଭଦ୍ରକ ଆବେଦନର ବିଚାର କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ବିଚାର ଶେଷ ନହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ମାନ୍ୟବର ଉଚ୍ଚ ନୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୋଗକାରୀ ଭଦ୍ରକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାମଲାର ବିଚାର ପାଇଁ କରିଥିବା ଅବେଦନ ମୂଳେ ୮/୨୪ନଂରେ ଏକ ମାମଲା ରୁଜୁ କରିବା ସହ ଆସନ୍ତା ୨୩.୨.୨୪ରିଖରେ ବିଚାର ପାଇଁ ଧାର୍ଯ୍ୟ କରିଥିବା ତହସିଲଦାର କାର୍ଯ୍ୟଳୟକୁ ଜଣାଇଛନ୍ତି । ତେବେ ଜିଲ୍ଲାପାଳଙ୍କ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ସେ କିଛି ପଦକ୍ଷେପ ନେଇପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଗ୍ରାମବାସୀମାନେ ଆନ୍ଦୋଳନ ଜାରୀ ରଖିବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.