Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ସ୍କୁଲ୍ କ୍ରିକେଟ୍ ଉଦ୍‌ଯାପିତ, କାରମେଲ୍ ସ୍କୁଲ୍‌କୁ ପରାସ୍ତ କରି ସତ୍ୟସାଇ ବିଦ୍ୟାପୀଠ ଚମ୍ପିୟନ୍‌

ଭଦ୍ରକ ଜିଲ୍ଲା ସ୍କୁଲ୍ କ୍ରିକେଟ୍ ଉଦ୍‌ଯାପିତ, କାରମେଲ୍ ସ୍କୁଲ୍‌କୁ ପରାସ୍ତ କରି ସତ୍ୟସାଇ ବିଦ୍ୟାପୀଠ ଚମ୍ପିୟନ୍‌

8

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ରେଳପଥ କ୍ରୀଡ଼ାଙ୍ଗନରେ ଉଦ୍‌ଯାପିତ ହୋଇଛି । ଏକ ଚିତ୍ତାକର୍ଷକ ଫାଇନାଲ୍ ମ୍ୟାଚ୍‌ରେ ଭଦ୍ରକର ସତ୍ୟସାଇ ବିଦ୍ୟାପୀଠ ୭ ୱିକେଟ୍‌ରେ କାରମେଲ୍ ସ୍କୁଲ୍‌କୁ ହରାଇ ଚମ୍ପିୟନ୍ ଆଖ୍ୟା ଅର୍ଜନ କରିଛି । ଟସ୍ ଜିଣି ପ୍ରଥମେ କାରମେଲ୍ ସ୍କୁଲ୍ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ବ୍ୟାଟିଂ ବିପର୍ଯ୍ୟୟ ହେତୁ ଦଳର ସ୍କୋର୍ ସମସ୍ତ ୱିକେଟ୍ ବିନିମୟରେ ୧୧୫ ରନ୍‌ରେ ସୀମିତ ହୋଇଥିଲା । ଦଳ ତରଫରୁ ଧର୍ମରାଜ ଭୋଳ ସର୍ବାଧିକ ୨୭ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାହୁଲ୍ ପ୍ରଧାନ ୨୩ ରନ୍ ଓ ଆଶିଷ କୁମାର ମହାପାତ୍ର ୧୪ ରନ୍ କରିଥିଲାବେଳେ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ସ୍ପର୍ଶ କରିପାରିନଥିଲେ । ସତ୍ୟସାଇ ତରଫରୁ ଆଶିଷ କୁମାର ମହାପାତ୍ର ୩ ୱିକେଟ୍ ଅକ୍ତିଆର କରିଥିବାବେଳେ, ରୌନକ୍ ମିଶ୍ର, ଅମନ୍‌ଦୀପ୍ ଜେନା, ଗଣେଶ କୁମାର ସାହାଣୀ ପ୍ରତ୍ୟେକେ ୨ ୱିକେଟ୍ ଅକ୍ତିଆର କରିଥିଲେ ।

ଜିଣିବା ପାଇଁ ୧୧୬ ରନ୍‌ର ଲକ୍ଷ୍ୟ ନେଇ ସତ୍ୟସାଇ ବ୍ୟାଟିଂ ଆରମ୍ଭ କରିଥିଲା ଓ ମାତ୍ର ୧୪.୨ ଓଭରରେ ୩ ୱିକେଟ୍ ବିନିମୟରେ ୧୧୭ ରନ୍ ସଂଗ୍ରହ କରିନେଇଥିଲା । ଦଳ ତରଫରୁ ରୋହିତ୍ ପାଲ୍ ୩୩ ରନ୍‌, ଆଶିଷ ମହାପାତ୍ର ୩୨ ରନ୍‌, ଗଣେଶ କୁମାର ସାହାଣୀ ୧୮ ରନ୍‌, ରାହୁଲ୍ ପ୍ରଧାନ ୧୪ ରନ୍ ସଂଗ୍ରହ କରିଥିଲେ । କାରମେଲ୍ ତରଫରୁ ବୋଲିଂ କରି ସୌରାଶିଷ୍ ବାରିକ୍ ୨ଟି ୱିକେଟ୍ ନେଇଥିଲେ । ସତ୍ୟସାଇ ବିଦ୍ୟାପୀଠର ଅଧିନାୟକ ଆଶିଷ ମହାପାତ୍ରଙ୍କୁ ଟୁର୍ଣ୍ଣାମେଣ୍ଟ୍‌ର ଅଲ୍ ରାଉଣ୍ଡର୍ ଖେଳ ପାଇଁ ‘ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ସମ୍ମାନ ଦିଆଯାଇଥିଲା । ଅମ୍ପାୟାର୍ ରୂପେ ରଂଜନ ମହାନ୍ତି, ସୁଧାଂଶୁ ଲେଙ୍କା, ଅଶୋକ ରାଉତ ଓ ସତ୍ୟ ସାବତ୍ ମ୍ୟାଚ୍ ପରିଚାଳନା କରିଥିଲା ବେଳେ ଡ଼ିଜିଟାଲ୍ ସ୍କୋର୍‌ର ରୂପେ ନିର୍ନେକ ଘୋଷ ସହଯୋଗ କରିଥିଲେ । ଖେଳ ଶେଷରେ ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର କୁମାର ବାରିକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟ୍ରଫି ପ୍ରଦାନ ଉତ୍ସବରେ ସଂପାଦକ ଧୀରେନ୍ ପଲାଇ ଓ ବରିଷ୍ଠ କ୍ରିକେଟ୍‌ର ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ବିଜୟ କୁମାର ଲଖାନୀ ଓ ଭବତୋଷ ଦାସ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଜେନା, କେ.ଭି.ପ୍ରସାଦ, ଲକ୍ଷ୍ମୀଧର ଜେନା, ସଂଜୀବ ଦାସ ଓ ସୁଶୀଲ୍ ପଟ୍ଟନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.