Home ଜିଲ୍ଲା ପରିକ୍ରମା ଡିସେମ୍ବର ୨୭ ଏବଂ ୨୮ ଭଦ୍ରକରେ ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍

ଡିସେମ୍ବର ୨୭ ଏବଂ ୨୮ ଭଦ୍ରକରେ ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍

11

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡିଶା (ତାଓ) ଆନୁକୂଲ୍ୟରେ ବିଂଶତମ ଓଡିଶା ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍ ଡିସେମ୍ବର ୨୭ ଏବଂ ୨୮ ତାରିଖ ଦିନ ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ, ୨୭ ତାରିଖ ସକାଳ ୮ ଟା ବେଳେ ଉଦ୍‌ଘାଟନ ଉତ୍ସବ ପାଳିତ ହେବ । ଏହି ପର୍ବରେ ଭାରତୀୟ ତାଏକ୍ୱୋଣ୍ଡୋର ଜନକ ତଥା ତାଏକ୍ୱୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ୍‌, ଜିମ୍ମୀ ଆର୍ ଜାଗତିଆନୀ ମୁଖ୍ୟ ଅତିଥି ରୂପେ, ଏବଂ ଭଦ୍ରକର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗା ଶଙ୍କର ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେବେ । ସେହିପରି ୨୮ ତାରିଖ ସନ୍ଧ୍ୟା ସମୟରେ ପ୍ରତିଯୋଗିତା ଉଦଯାପିତ ହେବ ଏବଂ ଏହି ପର୍ବରେ ମୁଖ୍ୟ ଅତିଥି ରୂପେ ଭଦ୍ରକର ପୂର୍ବତନ ବିଧାୟକ ନରେନ୍ ପଲାଇ ଏବଂ ସମ୍ମାନିତ ଅତିଥି ରୂପେ ସମ୍ ମେଡ଼ିକାଲ କଲେଜ ଓ ହସପିଟାଲ୍ ଗ୍ୟାଷ୍ଟ୍ରୋ ବିଭାଗର ଆସୋସିଏଟ୍ ପ୍ରଫେସର୍ ଡ. ଅନୁରାଗ ଜେନା ଯୋଗ ଦେବେ । ଏହି ପ୍ରତିଯୋଗିତାର ସଫଳ ରୂପାୟନ ନିମନ୍ତେ ତାଓ ତରଫରୁ ପଞ୍ଚମ ତଥା ଶେଷ ପ୍ରସ୍ତୁତି ବୈଠକ ହ୍ୟାପ୍ପି ହୋମ୍ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।

ତାଓ କାର୍ଯ୍ୟକାରୀ ସଭାପତି, ଆଇନଜୀବୀ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ, ଉପସଭାପତି ରମେଶ ପ୍ରଧାନ, ସାଧାରଣ ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀ, ଆଇନଜୀବୀ ପବନ କୁମାର ଶର୍ମା, ସମାଜସେବୀ ବିଦ୍ୟାଧର ବାରିକ, ୟୁନାଇଟେଡ୍ କ୍ଲବ୍ ସଭାପତି ବିଶାଲ୍ ଗୋପାଲ୍ ଲଖାନୀ, ସବୁଜ କ୍ଲବ୍ ସମ୍ପାଦକ ଅଜୟ କୁମାର ଧଳ, ତାଓ କୋଷାଧ୍ୟକ୍ଷା ସଂଘମିତ୍ରା ଦାଶ, ଭଦ୍ରକ ଜିଲ୍ଲା ତାଏକ୍ୱୋଣ୍ଡୋ ଆସୋସିଏସନ୍ ର ସମ୍ପାଦକ ସଂଗ୍ରାମ ତ୍ରିପାଠୀ, ତାରିଣୀ ସାହୁ, ଧନେଶ୍ୱର ଜେନା, ଯୋଗ ଗୁରୁ ସୁରେଶ ନାୟକ ପ୍ରମୁଖ । ତାଓ ସାଧାରଣ ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀ ଙ୍କ ସୂଚନା ଅନୁଯାୟୀ ଏହି ସଂସ୍କରଣରେ ୪୦୦ ରୁ ଅଧିକ ତାଏକ୍ୱୋଣ୍ଡୋ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ ପଞ୍ଜିକରଣ କରିଛନ୍ତି । ପ୍ରତିଯୋଗିତାର ସମସ୍ତ ଫାଇଟ୍ କର୍ଣ୍ଣାଟକ ତାଏକ୍ୱୋଣ୍ଡୋ ଆସୋସିଏସନ୍ ସଭାପତି ଏମ୍‌. ସୁନ୍ଦରମ୍ ଆୟାର୍ ଓ ବେଙ୍ଗଲ୍ ତାଏକ୍ୱୋଣ୍ଡୋ ଆସୋସିଏସନ୍ ସମ୍ପାଦକ ରୂପକମଳ ନନ୍ଦୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ପ୍ରତିଯୋଗୀ ମାନଙ୍କ ପାଇଁ ଖାଦ୍ୟପେୟ ଓ ରାତ୍ରିଭୋଜନ ର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ସାମରିକ କଳାର ଏହି ବିଂଶତମ ଅଧ୍ୟାୟକୁ ଉଷ୍ମ ଓ ଆଡମ୍ବରପୂର୍ଣ୍ଣ କରିବା ପାଇଁ ତାଓ ତରଫରୁ ଶିକ୍ଷାର୍ଥୀ, ସେମାନଙ୍କ ପିତାମାତା ଓ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.