Home ଜିଲ୍ଲା ପରିକ୍ରମା ‘ରାଷ୍ଟ୍ର ଗଠନରେ ସାମ୍ବାଦିକମାନଙ୍କ ସହଭାଗିତା ଅନସ୍ୱୀକାର୍ଯ୍ୟ’, ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଅଷ୍ଟମ ସନ୍ଧ୍ୟା

‘ରାଷ୍ଟ୍ର ଗଠନରେ ସାମ୍ବାଦିକମାନଙ୍କ ସହଭାଗିତା ଅନସ୍ୱୀକାର୍ଯ୍ୟ’, ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଅଷ୍ଟମ ସନ୍ଧ୍ୟା

9

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ସମୟରେ ନେତୃତ୍ୱ ନେଉଥିବା ବହୁ ସଂଗ୍ରାମୀ ନେତା ସାମ୍ବାଦିକତା କରୁଥିଲେ । ଆନ୍ଦୋଳନର ବହ୍ନି ପ୍ରଜ୍ୱଳିତ କରିବା ସହିତ ସଂଗ୍ରାମର ରୂପରେଖ, ଶୀର୍ଷ ନେତୃତ୍ୱଙ୍କର ମତ ଓ ବକ୍ତବ୍ୟ ସମ୍ବାଦପତ୍ରରେ ପ୍ରକାଶିତ କରୁଥିଲେ । ନିଜେ ଜାତିର ପିତା ମହାତ୍ମା ଗାନ୍ଧୀ ‘ଇଣ୍ଡିଆନ୍ ଓପିନିୟନ୍‌’, ‘ୟଙ୍ଗ୍ ଇଣ୍ଡିଆ’, ‘ନବ ଜୀବନ’, ‘ହରିଜନ’ ଭଳି ସମ୍ବାଦପତ୍ରରେ ସାମ୍ବାଦିକତା ଓ ସମ୍ପାଦନା କରୁଥିଲେ । ଆମ ରାଜ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ପ୍ରମୁଖ ସମ୍ବାଦପତ୍ର ସମ୍ପାଦନା ସହ ସାମ୍ବାଦିକତା କରି ଦେଶବାସୀଙ୍କ ସୁଖଦୁଃଖର ସାଥି ହେବ ସହିତ ସ୍ୱାଧୀନତା ସଂଗ୍ରାମକୁ ଅଗ୍ରଗାମୀ କରିଥିଲେ । ଏଣୁ ରାଷ୍ଟ୍ର ଗଠନରେ ସାମ୍ବାଦିକମାନଙ୍କର ଭୂମିକା ଓ ସହଭାଗିତା ଅନସ୍ୱୀକାର୍ଯ୍ୟ ବୋଲି ଭଦ୍ରକ ସହର ମଠସାହି ସ୍ଥିତ ଗୋପାଳଜୀୟୁ ମଠ ପଡ଼ିଆଠାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ଦ୍ୱାରା ପ୍ରାୟୋଜିତ ଦଶମ ଭଦ୍ରକ ମହୋତ୍ସବର ଅଷ୍ଟମ ସାରସ୍ୱତ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସଂଗ୍ରାମୀ ହନିଫ୍ ସ୍ମୃତିରେ ସମର୍ପିତ ଏହି ସାରସ୍ୱତ ସନ୍ଧ୍ୟାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ସମ୍ପାଦକ ତଥା ସ୍ୱରାଜବାର୍ତ୍ତା ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ରବିନାରାୟଣ ଖିଲାର ପୌରୋହିତ୍ୟ କରିଥିଲେ । ଏହି ଅବସରରେ ‘ରାଷ୍ଟ୍ର ଗଠନରେ ସାମ୍ବାଦିକଙ୍କ ଭୂମିକା’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଉକ୍ତ ସନ୍ଧ୍ୟାରେ ସମାଜସେବୀ ଶୁଭେନ୍ଦୁ ରାୟ ମହାପାତ୍ର ମୁଖ୍ୟଅତିଥି, ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର ମୁଖ୍ୟବକ୍ତା, ସାମ୍ବାଦିକ ପ୍ରତାପ ଦାସ, ସାମ୍ବାଦିକ ତଥା ସଂଗଠକ ନରେନ୍ଦ୍ର ସାମଲ, ସାମ୍ବାଦିକ ଓ କବି ତପନ କୁମାର ମିଶ୍ର, ସାମ୍ବାଦିକ ଜ୍ଞାନପ୍ରକାଶ ପାଣି, ସାମ୍ବାଦିକ ତପନ କୁମାର ସ୍ୱାଇଁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହୋତ୍ସବର ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ନୀହାର ରଂଜନ କର ଅତିଥି ପରିଚୟ, ନାରାୟଣ ପ୍ରଧାନ ଧନ୍ୟବାଦ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, ଶିକ୍ଷୟିତ୍ରୀ ମନୋରମା ରାୟ, ସଂଗଠିକା ଅଞ୍ଜନା ମିଶ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ ପରିଷଦ ସମ୍ପାଦକ ରାମ ନାରାୟଣ ମହାନ୍ତିଙ୍କ ପରିଚାଳନାରେ ‘ସାଇ ନୃତ୍ୟ ଏକାଡେମୀ’ ଓ ‘ଦର୍ଶନ ନୃତ୍ୟ ଏକାଡେମୀ’ର କଳାକାର ମନୋରଂଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷାବିତ୍ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ପରିଚାଳନାରେ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତ୍ରିଲୋକ ବିହାରୀ ରାୟ, ଶାନ୍ତନୁ ନାୟକ, ଶଶିକାନ୍ତ ପରିଡ଼ା ମଞ୍ଚ ପରିଚଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.