Home ଜିଲ୍ଲା ପରିକ୍ରମା ସାଧାରଣ ନିର୍ବାଚନ – ୨୦୨୪ ପ୍ରସ୍ତୁତି, ପୋଲିସ ଏବଂ ମାଜିଷ୍ଟ୍ରେଟ୍‌ଙ୍କୁ ନେଇ ପ୍ରଥମ ସମନ୍ୱୟ ବୈଠକ

ସାଧାରଣ ନିର୍ବାଚନ – ୨୦୨୪ ପ୍ରସ୍ତୁତି, ପୋଲିସ ଏବଂ ମାଜିଷ୍ଟ୍ରେଟ୍‌ଙ୍କୁ ନେଇ ପ୍ରଥମ ସମନ୍ୱୟ ବୈଠକ

25

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାନ୍ତି ଶୃଙ୍ଖଳାର ସହିତ ଆଗାମୀ ସାଧାରଣ ନିର୍ବାଚନ ସମ୍ପାଦନ କରାଯିବା ଦିଗରେ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ମାନଙ୍କ ଗୁରୁଦାୟିତ୍ୱ ଥିବାରୁ ସେମାନଙ୍କୁ ନେଇ ନିର୍ବାଚନୀ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ତଥା- ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଦୁଇ ଅତିରିକ୍ତ ଏସ୍‌.ପି. ବାମଦେବ ସିଂ ଏବଂ ବିଜୟ ରଞ୍ଜନ କେରକେଟା ପ୍ରମୁଖ ଯୋଗ ଦେଇଥିଲେ । ନିର୍ବାଚନ ଆଚରଣ ବିଧି ଘୋଷଣା ପୂର୍ବରୁ କଡ଼ାକଡ଼ି ଭାବେ ତାହା କାର୍ଯ୍ୟକାରୀ କରିବା ପାଇଁ ଏବେଠୁ ପ୍ରସ୍ତୁତି ଓ ଯୋଜନା ଆରମ୍ଭ କରାଯିବା ନେଇ ବିଭିନ୍ନ କାର୍ଯ୍ୟସୂଚୀ ସମ୍ବନ୍ଧରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଶେଷ ହେବାକୁ ଯିବା ସମ୍ବନ୍ଧରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ । ବିଶେଷ କରି ମତଦାନ ପାଇଁ ବିଶୃଙ୍ଖଳା ସୃଷ୍ଟି ସମ୍ଭାବନା ଥିବା ଦୁର୍ବଳ ଅଞ୍ଚଳ, ବୁଥ୍ ଆଦି ଚିହ୍ନଟ କରାଯିବା ଓ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବା ଦିଗରେ କାର୍ଯ୍ୟାନ୍ୱୟନ ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ।

ଆବାଧ, ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ସେକ୍ଟର ଅଫିସର୍‌,ପୋଲିସ ଅଫିସର, ମାଜିଷ୍ଟ୍ରେଟ ମାନଙ୍କ ଦାୟିତ୍ୱ ସମ୍ବନ୍ଧରେ ଦୃଶ୍ୟ ଫଳକ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଗତ ଉପନିର୍ବାଚନ, ସାଧାରଣ ନିର୍ବାଚନ, ପୌର ଓ ଗ୍ରାମପଞ୍ଚାୟତ ନିର୍ବାଚନ ର ଅଭିଜ୍ଞତା ଓ ତଥ୍ୟ ଆଧାରରେ ପ୍ରତି ବୁଥ୍‌, ପ୍ରତି ସେକ୍ଟର ଆଦି ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା । ନିର୍ବାଚନ କାର୍ଯ୍ୟ ପରିଚାଲନା ନେଇ ରୁଟ୍‌ଚାର୍ଟ ଆବଶ୍ୟକ ଯାନ, ମାନବ ସମ୍ବଳ ଆଦି ନେଇ ତାଲିକା ପ୍ରସ୍ତୁତି ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଡି.ଏସ୍‌.ପି. ଡିଆଇବି କମଳ ଲୋଚନ ଭୂୟାଁ ପ୍ରମୁଖଙ୍କ ସହ ଜିଲ୍ଲା ପୋଲିସ୍ ବିଭାଗର ସମସ୍ତ ଏସ୍‌.ଡ଼ି.ପି.ଓ., ସମସ୍ତ ଆଇ.ଆଇ.ସି. ଓ ଅନ୍ୟାନ୍ୟ ସମ୍ପୃକ୍ତ ପୋଲିସ୍ ଅଧିକାରୀ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱ ନିର୍ବାହ କରିବାକୁ ଥିବା ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟୀ କଲେକ୍ଟର ପ୍ରଭୃତି ଏହି ବୈଠକରେ ଯୋଗ ଦେଇଥିଲେ । ଡେପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ ଓ ସଂପୃକ୍ତ ବିଭାଗୀୟ କର୍ମଚାରୀମାନେ ଏହି ବୈଠକ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.