Home ଜିଲ୍ଲା ପରିକ୍ରମା ଧାନକିଣା ପ୍ରକ୍ରିୟା ପ୍ରସ୍ତୁତି ସମୀକ୍ଷା ବୈଠକ, ବିଶୃଙ୍ଖଳା ବିନା ଧାନ ସଂଗ୍ରହ କାର୍ଯ୍ୟ ସମ୍ପାଦନ ଉପରେ...

ଧାନକିଣା ପ୍ରକ୍ରିୟା ପ୍ରସ୍ତୁତି ସମୀକ୍ଷା ବୈଠକ, ବିଶୃଙ୍ଖଳା ବିନା ଧାନ ସଂଗ୍ରହ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ

20

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୨୯ ତାରିଖ ଶୁକ୍ରବାର ଦିନଠାରୁ ଭଦ୍ରକ ଜିଲ୍ଲାରେ ସରକାରୀ ଦରରେ ଧାନ କିଣା ଆରମ୍ଭ ହେବକୁ ଥିବାରୁ ସମସ୍ତ ଧାନ ମଣ୍ଡି ପାଇଁ ସଂପୃକ୍ତ ବିଭାଗୀୟ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ, ସି.ଡି.ଓ. ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ସଂପୃକ୍ତ ସମସ୍ତଙ୍କ ସହଯୋଗରେ ଗତ ବର୍ଷ ଧାନ କିଣା ଭଲରେ ସମ୍ପାଦିତ ହୋଇଥିଲେ ହେଁ କେତୋଟି ସମସ୍ୟା ଦେଖାଦେଇଥିଲା । ତେଣୁ ଚଳିତ ବର୍ଷ ଏହି କାର୍ଯ୍ୟରେ ଯେପରି ଗୋଟିଏ ବି ସମସ୍ୟା ନ ଉପୁଜି ଶହେରୁ ଶହେ ଭାଗ ଶୃଙ୍ଖଳାର ସହିତ ସମ୍ପାଦିତ ହେବ ସେଥିନେଇ ସଂପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ, ମିଲର ଆଦି ନିଷ୍ଠାର ସହିତ ନିଜ ନିଜର ଦାୟିତ୍ୱ ନର୍ବାହ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସଂପୃକ୍ତ ସୋସାଇଟି ଓ ଏସ୍‌.ଏଚ୍‌.ଜି.ର କର୍ମକର୍ତ୍ତା ମାନେ ସଠିକ୍ ଭାବେ ଏ କାର୍ଯ୍ୟ ନିର୍ବାହ ନେଇ ତଦାରଖ ଦାୟୀତ୍ୱରେ ଥିବା ଅଧିକାରୀ ମାନେ ଯତ୍ନବାନ ହେବାକୁ କୁହାଯାଇଥିଲା । ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ଦ୍ୱାରା ଉପସ୍ଥାପିତ ବିଷୟ ଅନୁଯାୟୀ ବୈଠକରେ ଆଲୋଚନା କରାଯାଇଥିଲା । ଧାନ କିଣା କାର୍ଯ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ମିଲର, ଆର୍‌.ଏମ୍‌.ସି., ଏ.ଆର୍‌.ସି.ଏସ୍‌. ଡି.ଏସ୍‌.ଡବ୍ଲ୍ୟୁ.ଓ., ଡି.ପି.ସି. ମିଶନ ଶକ୍ତି ସହ ଯୋଗାଣ ବିଭାଗର ଅଧିକାରୀ ଇତ୍ୟାଦିଙ୍କୁ ନେଇ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା ।

ଯଥାଶୀଘ୍ର ମିଲର ମାନଙ୍କୁ ଏଗ୍ରିମେଣ୍ଟ ଲେଟର ପ୍ରଦାନ କରାଯିବା, ମିଲର ମାନଙ୍କ ଦ୍ୱାରା ଅମାନତ ଜମା ଦିଆଯିବା, ଧାନକିଣା ପାଇଁ ୧୦୦% ଝୋଟ ବ୍ୟାଗ୍ ବ୍ୟବହାର କରାଯିବା, ରାଇସ୍ ମିଲ୍‌ରେ ସ୍ମାର୍ଟ ଇଲେକ୍ଟ୍ରିକ୍ ମିଟର ଲଗାଇବା, ବ୍ଲେଣ୍ଡିଂ ମେସିନ୍‌ର କ୍ଷମତା ବୃଦ୍ଧି କରାଯିବା ସମ୍ବନ୍ଧରେ ବୈଠକରେ ଉପସ୍ଥିତ ମିଲର ମାନଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଧାନକିଣା ପାଇଁ ଆର୍‌.ଏମ୍‌.ସି. ତରଫରୁ ପ୍ରଦାନ କରାଯିବାକୁ ଥିବା ସମସ୍ତ ଉପକରଣ ମଣ୍ଡି ମାନଙ୍କରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉପଲବ୍‌ଧ କରାଇବା ମଣ୍ଡି ମାନଙ୍କରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର ପ୍ରସ୍ତୁତି ନେଇ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ସେହିପରି ସନ୍ଦେହଯୁକ୍ତ ପ୍ଲଟ୍ ସର୍ଭେ, ବ୍ୟାଙ୍କ ଆକାଉଣ୍ଟର ବୈଧତା ନେଇ ବାକିଥିବା ସଂଖ୍ୟା ଯଥାଶୀଘ୍ର ସମାପ୍ତ କରିବା, ନିଯୁକ୍ତି ପତ୍ର ପ୍ରଦାନ ପାଇଁ ପ୍ୟାକସ୍ ତାଳିକା ପ୍ରଦାନ, ପ୍ରତି ଧାନ ମଣ୍ଡିରେ ୪ଟି ଲେଖାଏଁ ସି.ସି.ଟି.ଭି. ସଠିକ୍ ଜାଗାରେ ଲଗାଯିବା, ଗୋଦାମ ଗୃହ ବ୍ୟବସ୍ଥା, ଗୋଦାମ ଗୃହକୁ ବଡ଼ ଟ୍ରକ୍ ଯିବା ନେଇ ରାସ୍ତା ସୁବିଧା ଆଦି ସମ୍ବନ୍ଧରେ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ପାଇଁ ଏ.ଆର୍‌.ସି.ଏସ୍‌. ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସମାନ ପ୍ରକାରେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ଧାନ କିଣା କେନ୍ଦ୍ର ମାନଙ୍କରେ ମଧ୍ୟ ସମସ୍ତ ସୁବିଧା ଉପଲବ୍‌ଧ ଓ ଆନୁସାଙ୍ଗିକ କାଗଜାଦି କାର୍ଯ୍ୟ, ତାଲିକା ପ୍ରଦାନ ପାଇଁ କୁହାଯାଇଥିଲା । ଧାନ କିଣା କାର୍ଯ୍ୟ ସୁପରଭିଜନ୍‌, ପ୍ରତିଦିନ ତଦାରଖ, ଧରପଗଡ଼, ସି.ଏସ୍‌.ଓ., ଏ.ଆର୍‌.ସି.ଏସ୍‌., ଡି.ଏସ୍‌.ଡବ୍ଲ୍ୟୁ.ଓ. କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌, ସମସ୍ତ ପ୍ରକ୍ରି୍ରୟା ନେଇ ଆବଶ୍ୟକ ରିପୋର୍ଟ ଦାଖଲ ଆଦି ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସୂଚନା ଯୋଗ୍ୟ କି ବର୍ତ୍ତମାନ ସୁଦ୍ଧା ୨୧ ଜଣ ମିଲର୍ ଧାନ କିଣିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଗତ ନଭେମ୍ବର ୧୭ରେ ଜିଲ୍ଲା ସ୍ତରୀୟ ଧାନ କିଣା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.