ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ରେ ସର୍ବାଧିକ ଦୁର୍ନୀତି ଚାଲିଛି । ଆବାସ ହିତାଧିକାରୀ ଜଣେ ହୋଇଥିବାବେଳେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି । ଧନୀଲୋକଙ୍କୁ ରାସନ୍ ମିଳୁଛି । ଖଟିଖିଆ ଗରିବ ଲୋକ ଏହି ଯୋଜନାରୁ ବାଦ୍ ପଡୁଛି । ଦଳୀୟ ଆଧାରରେ ସରକାରୀ ଯୋଜନାରେ ଉପଲବ୍ଧ ସୁବିଧା ସୁଯୋଗ ମିଳୁଛି । ଏଭଳି ଦୁର୍ନୀତି ଓ ଭ୍ରାଷ୍ଟାଚାର ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ଗର୍ଜିଛି । ଆଉ ଦୁର୍ନୀତି ଚଳିବନି । ଏଥର ଜନତା ଆପଣଙ୍କୁ ଜବାବ ଦେବେ । ଜନମତ ବଦଳିବ । ସବୁ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ରାଜ୍ୟସ୍ତରୀୟ ଭ୍ରାଷ୍ଟାଚାର ଦୁର୍ନୀତି ହଟାଅ ସମାବେଶରେ ବିଜେପିର ପ୍ରମୁଖ ନେତାମାନେ କହିଛନ୍ତି । ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ବ୍ଲକ୍ ଘେରାଉ ଅଭିଯାନ ଆରମ୍ଭ ହୋଇଛି । ଆଜି ଭଦ୍ରକ ବ୍ଲକ୍ ଘେରାଉ ହୋଇଥିଲା । ବହୁ ବିଜେପି କର୍ମୀ ବାଇକ୍ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଦକ୍ଷିଣଶ୍ୱେର କାଳୀ ମନ୍ଦିର ସମ୍ମୁଖରୁ ପୁଣି ବିରାଟ ପଟୁଆରରେ ଏକ ଶୋଭାଯାତ୍ରା ବାହାରି ବ୍ଲକ୍ ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟ ସରକାର ବିରୋଧରେ ବିଜେପି କର୍ମୀ ବିଭିନ୍ନ ନାରାବାଜି ଦେଇଥିଲେ । ବହୁ ସଂଖ୍ୟାରେ କର୍ମୀ ଏକାଠି ହୋଇ ସେମାନଙ୍କ ଦମ୍ ଦେଖାଇଥିଲେ । ବ୍ଲକ୍ ସମ୍ମୁଖରେ ଏକ ପ୍ରତିବାଦ ସମାବେଶ ଆୟୋଜିତ ହୋଇଥିଲା । ଭଦ୍ରକ ଲୋକସଭା ମଣ୍ଡଳୀ ନେତା ଅଭିମନ୍ୟୁ ସେଠୀ, ଜିଲା ବିଜେପି ସଭାପତି ହେମନ୍ତ ପାଢୀ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଡାକ୍ତର ପ୍ରଦୀପ ନାୟକ, ମନସ୍ମିତା ଖୁଣ୍ଟିଆ, ଜଗନ୍ନାଥ ଦାସ, ସୁଧାଂଶୁ ନାୟକ, ବିକାଶ ପାଢୀ, ଆଦିକାନ୍ତ ନାୟକ, ଉତ୍ତମ ପାତ୍ର, ପ୍ରଭାକର ସାମଲ, ଶ୍ରୀହର୍ଷ ସ୍ୱାଇଁ, କଲୋଲ ଯେନା, ରମିତା ପାଢୀ, ତପସ୍ୱିନୀ ମହାପାତ୍ର ପ୍ରମୁଖ ନିଜ ବକ୍ତବ୍ୟ ମାଧ୍ୟମରେ ବିଜେଡି ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ।