ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକାଧାରରେ ଜଣେ ସୁନାମଧନ୍ୟ ଅଧ୍ୟାପକ, ପ୍ରାଚୀନ କାବ୍ୟ-ପରମ୍ପରା ତଥା ଭଞ୍ଜସାହିତ୍ୟର ଉଚ୍ଚକୋଟୀର ଗବେଷକ, ଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରବକ୍ତା, ହାସ୍ୟରସ ଓ ନାଟ୍ୟକଳାର ପୃଷ୍ଠପୋଷକ, ‘ବିଶେଷ ଖବର’ ସମ୍ବାଦପତ୍ରର ପ୍ରତିଷ୍ଠାତା ତଥା କୃଷିକର୍ମର ଶ୍ରେଷ୍ଠ କୃଷିଜୀବୀ ମଣିଷ ଭାବେ ଡକ୍ଟର ପୀତାମ୍ବର ସ୍ୱାଇଁ ଥିଲେ ବହୁମୁଖୀ ପ୍ରତିଭା । ସାହିତ୍ୟ ମାଧ୍ୟମରେ ସେ ଜୀବନ ପ୍ରତି ସକାରାତ୍ମକତା, ତ୍ୟାଗ, ସଂଯମ ଓ ଜଗତ କଲ୍ୟାଣ କାମନା କରୁଥିଲେ ଓ ଏ ଭବଭୂମିରେ ଭାଗବତୀୟ ଭାବଭୂମିର ଆବାହନ କରୁଥିଲେ ବୋଲି ସ୍ଥାନୀୟ ସଂସ୍କୃତି ଭବନ ପରସରରେ ଶୁକ୍ରବାର ଅନୁଷ୍ଠିତ ୯୩ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ରାଜ୍ୟ ପ୍ରମୁଖ ଶାସନ ସଚିବ ଡକ୍ଟର ଅଜିତ କୁମାର ତ୍ରିପାଠୀ ଯୋଗଦେଇ ପୀତାମ୍ବର ସ୍ୱାଇଁ ରୂପାନ୍ତରଣ ପ୍ରକ୍ରିୟାରେ ବିଶ୍ୱାସୀ ନଥିଲେ । ସେ ସର୍ବଦା ନିର୍ମାଣର ମନ୍ତ୍ର ଆବାହନ କରୁଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର ପ୍ରଭାତ କୁମାର ମଲ୍ଲିକ୍ ଯୋଗଦେଇ ‘ଓଡ଼ିଶାର ବିସ୍ମୃତ ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ଡକ୍ଟର ସ୍ୱାଇଁଙ୍କୁ ଶିକ୍ଷା, ସାହିତ୍ୟ ଓ ଇତିହାସର ତ୍ରିବେଣୀ ସଂଗମ ବୋଲି ଅଭିହିତ କରିଥିଲେ । ସ୍ମୃତିସଂସଦର ସଦସ୍ୟ ଡକ୍ଟର ବିଶ୍ୱରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କୁ ଅର୍ଥରାଶି, ଅଂଗବସ୍ତ୍ର ଓ ମାନପତ୍ର ସହିତ ଡ. ସ୍ୱାଇଁଙ୍କ ନାମରେ ନାମିତ ‘ରାଜ୍ୟସ୍ତରୀୟ ବାଗ୍ମିତା ସମ୍ମାନ’ ଓ ପ୍ରଖ୍ୟାତ ଲୋକନାଟ୍ୟ ନିର୍ଦ୍ଦେଶକ ବାଦଲ ଶିକଦାରଙ୍କୁ ‘ଜିଲ୍ଲାସ୍ତରୀୟ ବିରଳ ବ୍ୟକ୍ତିତ୍ୱ ସମ୍ମାନ’ ପ୍ରଦାନ କରାଯାଇଥିଲା । କବି କିଶୋର ପାଣିଗ୍ରାହୀ ଓ କବୟତ୍ରୀ ଗୀତାରଣୀ ଆଇଚ ମାନପତ୍ର ପାଠ କରିଥିଲେ । ପୂର୍ବାହ୍ଣରେ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବାଗ୍ମିତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ମନମୋହନ ସଂଗୀତ ପରିଷଦ ଶିଳ୍ପୀମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ପରିବେଷିତ ହୋଇଥିଲା । ଡକ୍ଟର ସ୍ୱାଇଁଙ୍କ ଜ୍ୟେଷ୍ଠପୁତ୍ର ଐର ଖାରବେଳ ସ୍ୱାଇଁ ଶେଷସ୍ପର୍ଶ ପ୍ରଦାନ ପୂର୍ବକ ପ୍ରାନ୍ତୀୟ ରାଜ୍ୟ ତୁଳନାରେ ଓଡ଼ିଶାର ବିକାଶର ସ୍ତର ନିମ୍ନମୁଖୀ ହୋଇଛି ବୋଲି ଉଦାହରଣ ମାଧ୍ୟମରେ ଦର୍ଶାଇଥିଲେ । ଗୋବର୍ଦ୍ଧନ ସାମଲ, ମନୋରଞ୍ଜନ ଦାସ, ହରମୋହନ କୁଅଁର, ଅଟଳବିହାରୀ ନାୟକ ପ୍ରମୁଖ ପ୍ରତିଯୋଗିତାର ବିଚାରକ ଭାବେ ଯୋଗଦେଇଥିଲେ । ପୁତ୍ର ଶ୍ରୀହର୍ଷ ସ୍ୱାଇଁ, ପ୍ରଦୋଷ ସ୍ୱାଇଁ, ଜମାତା ଡ କ୍ଟର ଦେବେନ୍ଦ୍ରନାଥ ରାଉତ, ରବିନାରାୟଣ ମହାନ୍ତି, ଦୀପକ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ କମଳାକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।