Home ଜିଲ୍ଲା ପରିକ୍ରମା ଧାମରା ରେଳପଥରେ ରେଳ ମତ୍ସ୍ୟଜୀବୀଙ୍କ ପରିବାର ନ୍ୟାୟ ଦାବୀରେ ଧାରଣା, ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳ...

ଧାମରା ରେଳପଥରେ ରେଳ ମତ୍ସ୍ୟଜୀବୀଙ୍କ ପରିବାର ନ୍ୟାୟ ଦାବୀରେ ଧାରଣା, ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳ ବନ୍ଦ

20

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଠାରେ ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।ଚାନ୍ଦବାଲି ତହସିଲ ଅର୍ନ୍ତଗତ ମାଣିପୁର ଅଂଚଳର ମତ୍ସ୍ୟଜୀବୀ ନିଜର ନ୍ୟାୟ ପାଇଁ ଆଜି ଶତାଧିକ ପରିବାର ଆସି ଏହି ରେଳଧାରଣାରେ ନିଜର ଧାରଣା ଅବ୍ୟାହତ ରଖିଛନ୍ତି । ସକାଳ ୯ଟା ଠାରୁ ଆରମ୍ଭ ହୋଇଥିବା ଏହି ଧାରଣା ଚାଲିଥିବା ବେଳେ ଏହି ପଥ ଦେଇ ସଂପୂର୍ଣ୍ଣ ରେଳ ଚଳାଚଳ ବନ୍ଦ ହୋଇଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବନ୍ଦର(ଆଦାନୀ) ଅଧିନରେ କାର୍ଯ୍ୟ କରୁଥିବା କେଇସି କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ଶତାଧିକ ମତ୍ସ୍ୟଜୀବୀ ପରିବାର ଆଜି ବିପନ୍ନରେ । ଦୀର୍ଘ ବର୍ଷ ଧରି ଏହି ଅଂଚଳର ନଦୀ ନାଳକୁ ଲିଜରେ ନେଇ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରୁଥିବା ଶତାଧିକ ମତ୍ସ୍ୟଜୀବୀ ଏହି ନଦୀନାଳ ପାଇଁ ଚାନ୍ଦବାଲି ତହସିଲକୁ ପ୍ରତିବର୍ଷ ରାଜସ୍ୱ ଦେଇ ଆସୁଥିବା ବେଳେ ଏହି ସମସ୍ତ ନଦୀନାଳକୁ କେଇସି କମ୍ପାନୀ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଅବରୋଧ କରି ରଖିଛନ୍ତି । ଫଳରେ ଶତାଧିକ ମତ୍ସ୍ୟଜୀବୀ ପରିବାର ଆଜି ଭଳି ଦିନରେ ନିଜର ଜୀବିକା ନିର୍ବାହ ନକରିପାରି ଭୋକ ଉପାସରେ ଦିନ ଅତିବାହିତ କରି ଆସୁଛନ୍ତି ।

ଏହାର ସମାଧାନ ପାଇଁ ମା’ ମଙ୍ଗଳା ମତ୍ସ୍ୟଜୀବୀ ସଂଘ ଏବଂ ଅଗ୍ରଗାମୀ ମତ୍ସ୍ୟଜୀବୀ ସଂଘ ଧାମରା ବନ୍ଦର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ତାହାର କୌଣସି ସମାଧାନ ହେବା ପରିବର୍ତ୍ତେ ସଂପୃକ୍ତ କେଇସି କମ୍ପାନୀ କର୍ତ୍ତୃପକ୍ଷ ସଂପୃକ୍ତ ମତ୍ସ୍ୟଜୀବୀ ସଂଘ ବିରୁଦ୍ଧରେ କେସ କରିବା ସହ ସେମାନଙ୍କୁ ଗୁଣ୍ଡା ଲଗାଇ ଜୀବନରୁ ମାରି ଦେବାକୁ ଧମକ ଦେଇଛି ବୋଲି ୨ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ବାଂଶଡା ପୁଲିସ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଫଳରେ ଦୀର୍ଘ ଦିନ ର ଜନ ଅସନ୍ତୋଷ ର ପରିଣାମ ସ୍ୱରୂପ ଶତାଧିକ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ପରିବାର ଆସି ବାଂଶଡା ଠାରେ ରେଳରୋକ କରିବା ସହ ରେଳଧାରଣା ଠାରେ ନିଜର ଧାରଣା ଦେଇଥିଲେ । ଧାରଣା ସ୍ଥଳରେ ବାଁଶଡା ଥାନାଧିକାରୀ ଦେବରାଜ ଜେନା ଏବଂ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ପହଂଚି ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା । ପରେ ଚାନ୍ଦବାଲି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ ଏବଂ ଚାନ୍ଦବାଲି ସିଡିପିଓ ଆସି ମତ୍ସ୍ୟଜୀବୀଙ୍କ ପରିବାରକୁ ସୁରକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେଏବଂ ଆସନ୍ତା ୨୮ ତାରିଖ ଦିନ ସମସ୍ତ ପକ୍ଷ ବସି ଏହାର ସୁସମାଧାନ କରିବେ ବୋଲି ଚାନ୍ଦବାଲି ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । ପରେ ଧାରଣା ଦେଇଥିବା ମତ୍ସ୍ୟଜୀବୀ ମାନେ ଅପରାହ୍ନ ୩ଟାରେ ଧାରଣାରୁ ଉଠିଥିଲେ । ପରେ ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.