Home ଜିଲ୍ଲା ପରିକ୍ରମା ରାସନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ, ବଣ୍ଟନ ବେଳେ ହିତାଧିକାରୀଙ୍କ ଉତ୍ତେଜନା

ରାସନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ, ବଣ୍ଟନ ବେଳେ ହିତାଧିକାରୀଙ୍କ ଉତ୍ତେଜନା

19

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧିନ ପାଳିଆବିନ୍ଧା ପଞ୍ଚାୟତ ଯୋଗାଣ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେଇଛି । ପଞ୍ଚାୟତ ପକ୍ଷରୁ ରବିବାର ରାଶନ ଚାଉଳ ବଣ୍ଟନ କରାଯାଉଥିଲା । ମାତ୍ର ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା । ଫଳରେ ବଣ୍ଟନ ବେଳେ ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହି ଘଟଣା ପରେ ପଞ୍ଚାୟତ ପକ୍ଷରୁ ସଠିକ୍ ଚାଉଳ ବଣ୍ଟନ କରାଯିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ଅଭିଯୋଗରୁ ପ୍ରକାଶ ଯେ, ପାଳିଆବିନ୍ଧା ପଞ୍ଚାୟତରେ ହିତାଧିକାରୀମାନଙ୍କୁ ଜୁଲାଇ, ଅଗଷ୍ଟ ଓ ସେପ୍‌ଟେମ୍ବର ମାସର ଚାଉଳ ବଣ୍ଟନ କରାଯିବା କଥା । ହିତାଧିକାରୀମାନଙ୍କୁ ୨ମାସର ଚାଉଳ ଦିଆଯାଇ ଗୋଟେ ମାସର ଚାଉଳ ଦିଆ ନଯାଇ ସଂପୂର୍ଣ୍ଣ ୩ମାସର ଚାଉଳ ଦିଆଯାଇଥିବାର ଟୋକନ ପ୍ରଦାନ କରାଯାଉଥିଲା । ଏଥିସହିତ ନାଲି ଚାଉଳ ଦିଆଯାଉଥିଲା । ଯାହାକୁ ନେଇ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରି ଚାଉଳ ଦିଆଯାଉଥିବା ଗୋଦାମ ଗୃହ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ହିତାଧିକାରୀମାନେ ଚାଉଳ ନନେଇ ୩ମାସର ଚାଉଳ ଦେବା ସହିତ ଭଲ ଚାଉଳ ଦେବାକୁ ଦାବି କରିବାରୁ ପଞ୍ଚାୟତ ସେମାନଙ୍କୁ ୩ମାସର ଚାଉଳ ସହିତ ଭଲ ଚାଉଳ ବଣ୍ଟନ କରିଥିଲେ । ହିତାଧିକାରୀଙ୍କ ମଧ୍ୟରେ ସଂଜୟ ଦଳେଇ, ରଂଜନ ଗିରି, ରଶ୍ମିରଂଜନ ରାଉତ, ନିରଂଜନ ନାୟକ, କୈଳାସ ପାଳ, ରାମଚନ୍ଦ୍ର ମହାରଣା, ରମାକାନ୍ତ ଦାସ, ବିଜୟ କୁମାର ଦାସ, ଦେବେନ୍ଦ୍ର ପଲେଇ, ରାଧାକାନ୍ତ ଦଳେଇ, ଶରତ ଚନ୍ଦ୍ର ଦାସ, ସଂଜୟ ନାୟକ, ସତ୍ୟଭାମା ନାୟକ, ମିଲି ଦାସ, ଶାନ୍ତିଲତା ନାୟକ, କନକଲତା ଦାସ, ରଜନୀ ପାତ୍ର, ସଂଜୟ ଓଝା ପ୍ରମୁଖ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ସରପଞ୍ଚ ଯଶୋଦା ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେ ଦାୟିତ୍ୱ ନେବା ସମୟରୁ ୪୧୬ କୁଇଣ୍ଟାଲ ଚାଉଳ ସର୍ଟେଜ ଥିଲା । ପରବର୍ତ୍ତୀ ମାସ ମାନଙ୍କରେ ହିତାଧିକାରୀମାନେ କିପରି ଅସୁବିଧାରେ ନପଡ଼ି ଚାଉଳ ପାଇବେ ସେ ନେଇ ପଦକ୍ଷେପ ନିଆଯାଉଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଂଜନ ଦଳେଇ କୁହନ୍ତି, ମେସିନରେ ଷ୍ଟକ୍ ଦେଖାଉଥିଲେ ମଧ୍ୟ ବାସ୍ତବରେ ଚାଉଳ ନଥିବାରୁ ହିତାଧିକାରୀମାନଙ୍କୁ ଚାଉଳ ଦେବାରେ ସମସ୍ୟା ସୃଷ୍ଟି ହେଉଛି । ଏହି କୋଟାରେ ମଧ୍ୟ ୨୪୮ କୁଇଣ୍ଟାଲ ୯୪ କେଜି ଚାଉଳ ଆବଶ୍ୟକ ଚାଉଳରୁ କଟି ଯାଇଛି । ଯେଉଁଥିପାଇଁ ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନରେ ଅସୁବିଧା ହୋଇଛି । ଗତ କୋଟାରେ ସମସ୍ତ ହିତାଧିକାରୀଙ୍କୁ ଚାଉଳ ଦିଆଯାଇଥିଲେ ମଧ୍ୟ ମେଶିନରେ କିଛି ହିତାଧିକାରୀ ଚାଉଳ ପାଇନଥିବା ଦେଖା ଯାଉଛି । ତେବେ ଏ ନେଇ ପଞ୍ଚାୟତର ସରପଞ୍ଚ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.