Home ଜିଲ୍ଲା ପରିକ୍ରମା ଥଇଥାନ ଦାବିରେ ଷେଣ୍ଡଗଡିଆ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଥଇଥାନ ଦାବିରେ ଷେଣ୍ଡଗଡିଆ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

19

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷାଦିନରେ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଗେଲପୁର ପଂଚାୟତର ଷେଣ୍ଡଗଡିଆ ବସ୍ତିବାସିନ୍ଦା ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସିଟୁ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ଶତାଧିକ ପୁରୁଷ-ମହିଳା ତାଙ୍କ ପରିବାରର ଥଇଥାନ ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ରରେ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଷେଣ୍ଡଗଡିଆ ବସ୍ତିବାସିନ୍ଦାଙ୍କ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଛି । ତେବେ ବର୍ଷାଦିନରେ ଗରିବ ଭୂମିହୀନ ପରିବାର ବର୍ଗଙ୍କୁ ଓଡ଼ିଶା ବସ୍ତିବାସିନ୍ଦାଙ୍କ ଜମି ଆଧିକାର ଆଇନ୍ ୨୦୧୭ ଅନୁଯାୟୀ ବସ୍ତିବାସିନ୍ଦାମାନଙ୍କୁ ପ୍ରଥମେ ଥଇଥାନ କରିବା ପରେ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ଅପରପକ୍ଷରେ ଭଦ୍ରକ ଜିଲାର ପ୍ରଶାସନ ପକ୍ଷରୁ ଏହି ବସ୍ତିବାସିନ୍ଦାଙ୍କୁ ଆଧାର କାର୍ଡ, କଣ୍ଟ୍ରୋଲ କାର୍ଡ, ଇନ୍ଦିରା ଆବାସ, ଜବକାର୍ଡ, ବିଧବା ଭତ୍ତା, ରୋଡ୍ ଓ ପିଇବା ପାଣିର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ତେବେ ସେମାନଙ୍କୁ ଜୋର ଜବରଦସ୍ତି ଉଚ୍ଛେଦ କରିବା ପାଇଁ ନୋଟିସ୍ ଦିଆଯିବା ଘଟଣା ବେଆଇନ୍ ବୋଲି ସିଟୁ ନେତା ଶ୍ରୀ ନାୟକ ମତପ୍ରକାଶ କରିଛନ୍ତି ।

ଏମାନଙ୍କ ଅଭିଯୋଗ ଅନୁଯାୟୀ ଭୂମିହୀନ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଦିନ ମଜୁରିଆ ଭାବେ ଆଜକୁ ପ୍ରାୟ ୭୦ ବର୍ଷରୁ ଅଧିକ ସମୟ ଧରି ସାମରାଇପୁର ମୌଜାର ଖାତା ନଂ ୮୮୬, ଖସଡା ନଂ ୧୬୧୩ ରେ ଥିବା ଜାଗା ଉପରେ ବସବାସ ଗୃହ ନିର୍ମାଣ କରି ବସବାସ କରିଆସୁଛନ୍ତି । ଗେଲପୁର ପଂଚାୟତର ଏମାନେ ଭୋଟର । ଏମାନଙ୍କ ପିଲାମାନେ ନିକଟସ୍ଥ ଗେଲପୁର ସ୍କୁଲରେ ପଢୁଛନ୍ତି । ଉଚ୍ଛେଦ ହେଲେ ପିଲାମାନଙ୍କର ପାଠପଢା ବାଧାପ୍ରାପ୍ତ ହେବ । ଏହାପୂର୍ବରୁ ଏହି ଅଂଚଳରେ ନୂଆ ସରକାରୀ ଡାକ୍ତରଖାନା ନିର୍ମାଣ କରାଯିବାରୁ ଗତ ୨୦୧୬ ରେ କିଛି ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରି ଡାକ୍ତରଖାନାକୁ ରାସ୍ତା ନିର୍ମାଣ କରାଯାଇଥିଲା । ଉଚ୍ଛେଦ ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ବସବାସ କରୁଥିବା ଜମିରେ ପ୍ରଶାସନ ପକ୍ଷରୁ ଥଇଥାନ କରାଗଲା । ଥଇଥାନ କରି ପୁଣି ବର୍ଷାଦିନରେ ଉଚ୍ଛେଦ କରିବା ପାଇଁ ନୋଟିସ୍ ଦେବା ଘଟଣା ପ୍ରଶାସନର ଦୋମୁହଁ ନୀତି ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଜିଲାପାଳଙ୍କୁ ଦେଇଥିବା ଲିଖିତ ପତ୍ରରେ ନିବେଦନ କରାଯାଇଛି । ଦାବି ପୂରଣ ନହେଲେ ସପରିବାର ପ୍ରଶାସନିକ ଦପ୍ତର ଆଗରେ ଆଶ୍ରୟ ନେବା ସହ ହାଇକୋର୍ଟର ଦ୍ୱାରସ୍ତ ହେବେ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭରେ ପ୍ରିୟତମା ପଳଦା, ଶଶିକାନ୍ତ ସାହୁ, ସରସ୍ୱତୀ ଦାସ, ରାଧା ଜେନା, ମାଳତୀ ଥାପା, ସୁଶିଳା ବାରିକ, କେସି ମଳିକ, ସୀତା ମଳିକ, ତୁଳସୀ ଦାସ, ଗୌରି ବସ୍ତିଆ, କଣ୍ଢେଇ ଜେନା, କୁନ୍ତଳା ଜେନା, ବବିତା ଜେନା, ବଚନ ସାହୁ, ସୁଶିଳା ବାରିକ, ମୁକୁନ୍ଦ ମୁରାରୀ ଦାସ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.