Home ଜିଲ୍ଲା ପରିକ୍ରମା ହ୍ରାସପାଉଛି ଚାରଣ ଭୂମି ,ରାଜରାସ୍ତାରେ ଗୋ ସଂପଦ

ହ୍ରାସପାଉଛି ଚାରଣ ଭୂମି ,ରାଜରାସ୍ତାରେ ଗୋ ସଂପଦ

23

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ସୁସ୍ଥ ସମାଜ ଗଠନ ସହ କୃଷିର ଉନ୍ନତି ଓ ପରିବେଶର ଭାରସମ୍ୟ କୁ ରକ୍ଷା ପାଇଁ ପଶୁ ମାନଙ୍କର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ । ଏଥିପାଇଁ ସାରା ରାଜ୍ୟରେ ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ସହ ଏହାର ଅତ୍ୟାବଶ୍ୟକତାକୁ ଗୁରୁତ୍ୱ ଦେଇ ସରକାର ପ୍ରାଣୀଧନ ର ବିକାଶ ପାଇଁ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ବିଶେଷ କରି ଗ୍ରାମାଂଚଳରେ ବସବାସ କରୁଥିବା ଚାଷୀ ମାନେ ସେମାନଙ୍କର ଆୟର ଅଭିବୃଦ୍ଧି କରିବାପାଇଁ ଗାଈ,ଛେଳି ,ମେଣ୍ଢା,କୁକୁଡ଼ା ଆଦି ରଖି ନିଜେ କିପରି ଆତ୍ମ ନିର୍ଭରଶିଳହେବେ ଏହାକୁ ନେଇ ବହୁମୁଖୀ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରାଣୀ ସମ୍ପଦର ବିକାଶ ତଥା ଉପଯୁକ୍ତ ଚିକତ୍ସା ନାନାବିଧ ସମସ୍ୟାରୁ ମୁକ୍ତିପାଇଁ ସରକାର ପ୍ରାଣୀ ଧନ କେନ୍ଦ୍ରମାନ ନିର୍ମାଣ କରିଛନ୍ତି । ଏହି ପ୍ରାଣୀଧନ କେନ୍ଦ୍ର ମାନ ଅନ୍ୟୁନ ତିନିଗୋଟି ପଂଚାୟତକୁ ନେଇ ଗଠିତ ହେବାର ଯୋଜନା ରହିଛି । ଏହି କେନ୍ଦ୍ର ପାଇଁ ଗୃହ ନିର୍ମାଣ କରାଯାଇ ଥିଲେ ହେଁ କେଉଁଠି ଅଧାପନ୍ତରିଆ ଭାବେ ପଡ଼ିଛି ତ କେଉଁଠି ଅଧିକାରୀ ନଥିବାରୁ ତାହା ଖାଲିପଡ଼ିଛି । ବନ୍ତ ବ୍ଳକରେ ବନ୍ତ ଓ ଆଗରପଡ଼ାରେ ଦୁଇ ଗୋଟି ପଶୁଚିକିତ୍ସା କେନ୍ଦ୍ର ସହ ଏହାର ଅଧିନରେ ୧୧ଗୋଟି ପଶୁ ଉପକେନ୍ଦ୍ର ମାନ ରହିଛି । ସେଗୁଡ଼ିକ ମଧ୍ୟରୁ ପ୍ରାଣିଧନ ନିରିକ୍ଷକ ପଦବୀ ଶୁନ୍ୟସହ ଅନ୍ୟାନ୍ୟ କେନ୍ଦ୍ରରେ ଆଟେନାଂଟ ପଦବି ମଧ୍ୟ ଫାଙ୍କା ପଡ଼ିଛି । ବହୁ ବର୍ଷ ପୂର୍ବେ ପ୍ରତି ପଂଚାୟରେ ଗୋମିତ୍ର ମାନେ କାର୍ଯ୍ୟ କରିବାର ଥିବା ବେଳେ ଏବେ ମାତ୍ର ଜଣେ କାର୍ଯ୍ୟକରୁଥିବାର ଜଣାଯାଇଛି । ଏହି ବ୍ଲକ ଅଧିନରେ ଥିବା କେନ୍ଦ୍ର ଗୁଡ଼ିକରେ ଗୃହାଭାଗ ସଂଗକୁ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରାଣୀ ମାନଙ୍କର ଚିକିତ୍ସାରେ ସାଜିଛି ପ୍ରତିବଦ୍ଧକ ।

ଆହୁରି ମଧ୍ୟ ଗୋ ଚାରଣ ପାଇଁ ଉଦିଷ୍ଟ ଥିବା ଚାରଣ ଭୂମି ଦିନକୁ ଦିନ ଲୁପ୍ତ ହେବାକୁ ବସୁଛି । ଫଳରେ ରାଜରାସ୍ତା ତାଙ୍କ ପାଇଁ ଚାରଣ ଭୂମି ପାଲଟିଛି । ବହୁ ସମୟରେ ଏହାଙ୍କର ଚଳାଚଳ ଯୋଗୁଁ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ବନ୍ତ ତହସିଲ ଅଧିନରେ ୨୦୮ଟି ରାଜସ୍ୱ ଗ୍ରାମରେ ଶହଶହ ଏକର ପରିମିତ ଚାରଣ ଭୂମି ଥିବା ବେଳେ , ବହୁ ଏକର ପରିମିତ ଗୋଚର ପଡ଼ିଆ କୁ କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ଦୀର୍ଘ ବର୍ଷ ଧରି ନିଜର ଅଧିନରେ ରଖି ଏହାକୁ ଗୃହ ,ବାଡ଼ି ଓ ଧାନ କ୍ଷେତ ରୂପେ ବ୍ୟବହାର କରିବା ରୁ ତାହା କ୍ରମଶଃ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗ୍ରୀଷ୍ମ ରୁତୁରେ ଗୋରୁଗାଈ ମାନେ ଚାଷ ଜମିକୁ ଯାଇ ଖାଦ୍ୟ ଗ୍ରହଣ କରୁଥିବା ବେଳେ ବର୍ତମାନ ଚାଷ ରୁତୁ ଚାଲୁଥିବାରୁ ଓ ଚାରଣ ଭୂମି ବିଲୁପ୍ତ ହୋଇଥିବାରୁ ଗୋରୁଗାଇ ମାନେ ରାଜରାସ୍ତାରେ ବୁଲୁଥିବାର ଦେଖାଯାଇଛି ।ଏହା ଫଳରେ ରାସ୍ତାରେ ଯାଉଥିବା ଯାତ୍ରୀ ଙ୍କ ପାଇଁ ଏହା ସମସ୍ୟା ସାଜିବା ସହ ଦୁର୍ଘଟଣା ମାନ ଘଟୁଥିବାର ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଚାରଣ ଭୂମି ର ଅଭାବ,ଉପଯୁକ୍ତ ଚିକିତ୍ସା ଭାବ କୁ ନେଇ ଚାଷୀ ମାନେ ପାଳନ କରିଥିବା ପ୍ରାଣୀ ମାନଙ୍କର ସଂଖ୍ୟା କୁ ବହୁ ମାତ୍ରାରେ ହ୍ରାସ କରିବାକୁ ବାଧ୍ୟ ହେଉଥିବାର ପ୍ରକାଶ କରୁଛନ୍ତି । ପ୍ରାଣୀ ସଂପଦର ଅଭିବୃଦ୍ଧିପାଇଁ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ,ଆବଶ୍ୟକ ସ୍ଥାନରେ ବାକିଥିବା ପ୍ରାଣୀ ଧନ କେନ୍ଦ୍ରମାନ ସ୍ଥାପନ, ଅଧାପନ୍ତରିଆ କେନ୍ଦ୍ର ଗୁଡ଼ିକୁ ସମ୍ପୁର୍ଣ୍ଣ କରିବା ସହ ବିଶେଷ କରି ତୃଣ ମୁଳ ସ୍ତରରୁ ଜବର ଦଖଲ କାରୀ ଙ୍କ କବଳରୁ ଚାରଣ ଭୂମିକୁ ରକ୍ଷା କରିବା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି । ଏହା କରାଯାଇପାରିଲେ ଏହି ସଂପଦର ଅଭିବୃଦ୍ଧି ହୋଇ ପାରନ୍ତା ବୋଲି ମଧ୍ୟ ଚାଷୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.