ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଉ ଗୋଟିଏ ଦିନ ପରେ ଶନିବାର ପାଳିତ ହେବାକୁ ଥିବା ମୁସଲିମ୍ ସଂପ୍ରଦାୟର ମହରମ୍ ପର୍ବ ପାଳନକୁ ନେଇ ଭଦ୍ରକ ସହର ଚଳଚଞ୍ଚଳ ହୋଇପଡିଛି । ଅପରପକ୍ଷରେ ସମ୍ବେଦନଶୀଳ ଭଦ୍ରକ ସହରରେ ଏହି ପର୍ବ ପାଳନକୁ ନେଇ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଶାନ୍ତିଶୃଙ୍ଖଳା ଭଙ୍ଗକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ଆଜି ସଶସ୍ତ୍ର ପୁଲିସ୍ ବାହିନୀର ଫ୍ଲାଗ୍ ମାର୍ଚ୍ଚ ସହର ପରିକ୍ରମା କରିଛି । ବିଶେଷକରି ଚଳିତବର୍ଷ ଶ୍ରାବଣୀ ପର୍ବ ସହ ଏହି ପର୍ବ ପଡୁଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଦୃଷ୍ଟି ଦେବାକୁ ଏସ୍ପି ବରୁଣ ଗୁଣ୍ଟୁପାଲି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ପୁଲିସ୍ ବିଭାଗର ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହାସହିତ ୧୧୦ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କୁ ନିଯୁକ୍ତି ଦିଆଯାଇଛି । ୭ ଜଣ ଡିଏସ୍ପି, ୨ ଜଣ ଏଡିସ୍ନାଲ ଏସ୍ପି, ୧୯ ଇନ୍ସିପେକ୍ଟର, ୮୫ ହାବିଲଦାର, ହୋମଗାର୍ଡ ୮୮ ଜଣଙ୍କୁ ଭଦ୍ରକ ସହର ନୁହେଁ ଜିଲାର ଅନ୍ୟାନ୍ୟ ଅଂଚଳରେ ପାଳିତ ହେବାକୁ ଥିବା ଏହି ପର୍ବ ପାଳନ ନେଇ ପୁଲିସ୍ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହାବ୍ୟତୀତ ବିଭିନ୍ନ ସହରର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ୧୧ଟି ଷ୍ଟାଟିଂ ପଏଣ୍ଟ କରାଯାଇଛି । ସହରାଞ୍ଚଳରେ ଥିବା ୧୨ଟି ବାଇଲାଇନ୍ ଗୁଡିକର ସଡକ ପଥକୁ ସିଲ୍ କରାଯିବାର ବ୍ୟବସ୍ଥା ରହିଛି । ଏହାବ୍ୟତୀତ ଏଣ୍ଟି ରାଏଟ୍ ଭେଇକିଲ୍ ବଜ୍ର ପୁରୁଣାବଜାର ଥାନା ନିକଟରେ ସଜାଗ ରଖାଯିବା ସହ ଏଣ୍ଟି ସେବୋଚେକ୍ ବାଇ ବମ୍ ଡିଫ୍ୟୁଜ୍ ସ୍କ୍ୱାର୍ଡର ବନ୍ଦୋବସ୍ତ କରାଯାଇଛି । ଅପରପକ୍ଷରେ ଏହି ପର୍ବ ପାଳନକୁ ନେଇ ଗତ ୨୬ ତାରିଖରୁ ସାହି-ବସ୍ତି ଓ ମସ୍ଜିଦ୍ ମାନଙ୍କରେ ଥିବା ପଞ୍ଜା ଠାରେ ଫାତେହା ଅନୁଷ୍ଠିତ ହୋଇଯାଇଛି । ଆଜି ଗୁରୁବାର ଦିନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାଜିମହଲା ଠାରୁ ଖାନକା ସରିଫ ନଗର ପର୍ଯ୍ୟନ୍ତ ଚଦର ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୯ ତାରିଖରେ ଦିନ ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଶୋଭାଯାତ୍ରା ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଧାର୍ମିକ ଶୋଭାଯାତ୍ରା ଦିନ ୨ଟାରୁ କାଜିମହଲାରୁ ବାହାରି ମୁଲଣାସାହି, ବଡଶଙ୍କରପୁର ଓ ଖାନକା ସରକାର ନଗର ଭାୟା ପୁରୁଣାବଜାର ଛକ ଦେଇ ମଲ୍ଲିକ ମଇଦାନ ଠାରେ ସମବେତ ହେବ । ପରେ ସେଠାରେ ଓ ନଙ୍ଗାମହଲାସ୍ଥିତ ପଡିଆରେ ଧର୍ମସଭା ଅନୁଷ୍ଠିତ ହେବ ।