Home ଜିଲ୍ଲା ପରିକ୍ରମା ଆର୍‌ଡିସିଙ୍କ ତଦନ୍ତ – ସାଙ୍ଗିଆ ବଦଳାଇ ପଢିଥିଲେ ଡାକ୍ତରୀ

ଆର୍‌ଡିସିଙ୍କ ତଦନ୍ତ – ସାଙ୍ଗିଆ ବଦଳାଇ ପଢିଥିଲେ ଡାକ୍ତରୀ

74

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ସାଂଗିଆ ଓ ନୀତି ବଦଳାଇ ବ୍ରାହ୍ମଣରୁ ଅନୁସୂଚିତ ଜନଜାତି ହୋଇ ଡାକ୍ତରୀ ପଢିବା ଘଟଣା । ଏବେ ଜଣେ ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । କେନ୍ଦ୍ରାଚଂଳ ଆରଡିସି ଏହି ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି । ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସାଧାରଣ ବର୍ଗ (ବ୍ରାହ୍ମଣ) ହୋଇ ପାଠ ପଢିବା ପରେ ମେଡିକାଲ ପ୍ରବେଶିକା ପରୀକ୍ଷା ପୂର୍ବରୁ ଏସଟି ପ୍ରମାଣପତ୍ର ଯୋଗାଡ କରି ସେହି କୋଟାରେ ଏମବିବିଏସ୍ ସିଟ୍ ପାଇ ଚାକିରି କରୁଥିବା ଡାକ୍ତର କ୍ଷୀରାବ୍ଧି ତନୟା ସାହୁ (ମୁଣ୍ଡା) ଏବେ ଅଡୁଆରେ ପଡିଛନ୍ତି । ଏ ସମ୍ପର୍କରେ ଜଣେ ମାନାବାଧିଳାର କର୍ମୀ ଅଭିଯୋଗ କରିବା ପରେ ଆଜି କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ରାଜ୍ୟସ୍ତରୀୟ ଯାଂଚ କମିଟି (ଏସଏଲଏସସି)ର ଶୁଣାଣି ହୋଇଥିଲା । ଏଥିରେ ଉପସ୍ଥାପନ କରାଯାଇଥିବା ଯାଂଚ ରିପୋଟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଏସପି, ଧାମନଗର ଏସଡିପିଓ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ (ଆରଆଇ) ତଦନ୍ତ କରି ଯେଉଁ ରିପୋଟ ପ୍ରଦାନ କରିଛନ୍ତି, ସେଥିରେ ଡାକ୍ତର କ୍ଷୀରାବ୍ଧି ତନୟା ସାହୁ ଏସ୍‌ଟି (ଅନୁସୂଚିତ ଜନଜାତି) ବୋଲି କୌଣସି ପ୍ରମାଣ ମିଳିନାହିଁ । କ୍ଷୀରାବ୍ଧି ମଦନମୋହନ ସାହୁ ଓ କୁମୁଦିନୀ ସାହୁଙ୍କ ଜନ୍ମିତ କନ୍ୟା ସେ ବ୍ରାହ୍ମଣ ବୋଲି ସମସ୍ତ ପ୍ରମାଣ ମହଜୁଦ ରହିଛି । ସ୍ୱର୍ଗତ ଭରତ ମୁଣ୍ଡାଙ୍କର ୪ପୁଅ ଓ ୨ଝିଅ ଥିବାବେଳେ ତାଙ୍କର କୌଣସି ତୃତୀୟ କନ୍ୟା ନଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଯେଉଁ ଭରତ ମୁଣ୍ଡାଙ୍କୁ ସେ ନିଜର ବାପା ବୋଲି ଦର୍ଶାଇ ଏସଟି ପ୍ରମାଣପତ୍ର ଯୋଗାଡ କରିଥିଲେ, ଗତବର୍ଷ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଡାକ୍ତର କ୍ଷୀରାବ୍ଧି ତାଙ୍କ କଥାକଥିତ ବାପାଙ୍କ ଶୁଦ୍ଧିକ୍ରିୟାକୁ ମଧ୍ୟ ଆସିନଥିବା ପରିବାର ଓ ଗ୍ରାମବାସୀ ମତ ରଖିବା ପରେ ଡାକ୍ତରଙ୍କ ଏସଟି ପ୍ରମାଣପତ୍ରକୁ ନେଇ ସନ୍ଦେହ ଦୃଢ ହୋଇଛି । ଆଜି ଶୁଣାଣି ବେଳେ କ୍ଷୀରାବ୍ଧିଙ୍କ ଓକିଲ ଏଥିପାଇଁ ମାସେ ସମୟ ନେଇଛନ୍ତି । ଏହି ପ୍ରସଙ୍ଗରେ ଏସଡିପିଓ ଧାମନଗର ଗଲା ଜୁଲାଇ ୩ ତାରିଖରେ ଭଦ୍ରକ ଜିଲ୍ଲା, କେଶପୁରରେ ପହଂଚି ତଦନ୍ତ କରିବା ସହିତ ତାର ରିପୋର୍ଟ ଭଦ୍ରକ ଏସପିଙ୍କୁ ପ୍ରଦାନ କରିଥିଲେ । ଏହି ରିପୋର୍ଟକୁ ଆଧାର କରି ଭଦ୍ରକ ଏସପି ଜୁଲାଇ ୫ ତାରିଖରେ ଏକ ଯାଂଚ ରିପୋର୍ଟ ପ୍ରସ୍ତୁତ କରିଥିଲେ । ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇନଥିଲେ, ତଥାପି ଝିଅ ତଦନ୍ତ ରିପୋର୍ଟ ଅନୁଯାୟୀ ଡାକ୍ତର କ୍ଷୀରାବ୍ଧି ତନୟା ସାହୁ (ମୁଣ୍ଡା) ମଦନମୋହନ ସାହୁ ଓ କୁୁମୁଦିନୀ ସାହୁଙ୍କ ଝିଅ ଓ ତାଙ୍କ ଜାତି ବ୍ରାହ୍ମଣ । ସେ ତହସିଲଦାରର ଧାମନଗରଙ୍କ ନିକଟରୁ ମିସ୍ କେସ୍ ନମ୍ବର ୮୧୬-୨୦୦୪ରେ ଏହି ଏସଟି ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ । ଭରତ ମୁଣ୍ଡା ଓ ଶାନ୍ତି ମୁଣ୍ଡାଙ୍କ ଜନ୍ମିତ ଝିଅ କ୍ଷୀରାବ୍ଧି ନୁହନ୍ତି । କ୍ଷୀରାବ୍ଧି କେବେ ବି ଭରତ ମୁଣ୍ଡାଙ୍କ ଘର ଧାମନଗର, ଅନନ୍ତପୁର, ମୁଣ୍ଡା ସାହିକୁ ଯିବା କିମ୍ବା ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବାର ପ୍ରମାଣ ନାହିଁ । ଭଦ୍ରକ ଏସପି ତାଙ୍କ ରିପୋର୍ଟରେ କେଶପୁର ୟୁଜିଏମଇ ସ୍କୁଲର ପ୍ରଧାନ ଶିକ୍ଷକ ପଠାଇଥିବା ଚିଠି ସମ୍ପର୍କରେ ତଥ୍ୟ ରଖିଛନ୍ତି । କ୍ଷୀରାବ୍ଧି ୨୩.୦୭.୧୯୯୨ରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ । ଏଥିରେ ତାଙ୍କ ବାପାଙ୍କ ନାମ ମଦନମୋହନ ସାହୁ , ମା’ଙ୍କ ନାମ କୁମୁଦିନୀ ସାହୁ ଥିଲା । ତାଙ୍କର ଜାତି ବ୍ରାହ୍ମଣ (ସାଧାରଣ ବର୍ଗ) ରହିଥିଲା । ନୋଡାଲ ସ୍କୁଲରେ ମଧ୍ୟ ସମାନ ତଥ୍ୟ ରହିଥିଲା । ଜମିଜମା ରେକର୍ଡରୁ ମଧ୍ୟ କ୍ଷୀରାବ୍ଧି ଏସଟି ବୋଲି କେଉଁଠି ଉଲ୍ଲେଖ ନାହିଁ । ଜିଲ୍ଲାପାଳ ଭଦ୍ରକ ରିପୋର୍ଟ ଅନୁସାରେ କ୍ଷୀରାବ୍ଧିଙ୍କ ମାଟ୍ରିକ ଓ ଯୁକ୍ତ ଦୁଇ ସାର୍ଟିଫିକେଟରେ ମଦନମୋହନ ଓ କୁମୁଦିନୀଙ୍କ ବୋଲି ଉଲ୍ଲେଖ ଥିବାରୁ ସେ ବ୍ରାହ୍ମଣ ବୋଲି ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.