Home ଜିଲ୍ଲା ପରିକ୍ରମା ମନ୍ଥର ଗତିରେ ପୂର୍ତ୍ତ ବିଭାଗର ପୋଲ ନିର୍ମାଣ

ମନ୍ଥର ଗତିରେ ପୂର୍ତ୍ତ ବିଭାଗର ପୋଲ ନିର୍ମାଣ

38

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ୧୬ନଂ ଜାତୀୟ ରାଜପଥ ସହ ସଂଯୁକ୍ତ ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ରାସ୍ତାର ବରଦା ବଜାର ନିକଟରେ ଏକ ପୋଲର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପଡୋଶୀ ଯାଜପୁର ଜିଲାକୁ ସଂଯୋଗ କରୁଥିବା ଏହି ପୂର୍ତ୍ତ ବିଭାଗ ରାସ୍ତା ଉପରେ ଦୈନିକ ଶତାଧିକ ଗାଡିମୋଟର ଯାତାୟତ କରିଥାଏ । ଏହି ରାସ୍ତା ଦେଇ ମାଳଦା, ଷୋଳମପୁର, ରହଣିଆ, ସରସଦା, କୁରିଗାଁ, ନପଙ୍ଗ ପ୍ରମୁଖ ପଂଚାୟତର ଶହ ଶହ ଜନସାଧାରଣ ପ୍ରତିଦିନ ଭଣ୍ଡାରିପୋଖରୀ ଯିବାଆସିବା କରିଥାନ୍ତି । ଏତଦ୍‌ବ୍ୟତୀତ ଯାଜପୁରରୁ ଭଦ୍ରକ ଯାତାୟତ ମଧ୍ୟ ଏହି ରାସ୍ତା ଦେଇ ହୋଇଥାଏ । ଦୀର୍ଘବର୍ଷ ଧରି ବରଦା ବଜାର ନିକଟରେ ଥିବା କଲର୍ଭଟଟି ଦୁର୍ବଳ ହୋଇଯାଇଥିବାବେଳେ ସାଧାରଣ ଯାତାୟତରେ ଘୋର ବାଧା ସୃଷ୍ଟି ହେଉଥିଲା । ଗୁରୁତ୍ୱ ଦୃଷ୍ଟିରୁ ଏଠାରେ ଏକ ପୋଲ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଚଳିତ ବର୍ଷ ଟେଣ୍ଡର ଆହ୍ୱାନ ହୋଇଥିଲା । ଏଥିପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ମଂଜୁର ହୋଇଥିବାବେଳେ ତିନି ମାସ ହେବ ନିର୍ମାଣକାର୍ଯ୍ୟ ଚାଲୁରହିଛି । ମାତ୍ର ୫ ମିଟର ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି କାମ ଚାଲୁଥିବାବେଳେ ଏହା ସଂପୂର୍ଣ୍ଣ ହେବାର ନାଁ ଧରୁନାହିଁ । ଠିକାଦାର ଅତି ମନ୍ଥର ଗତିରେ କାମ କରୁଥିବା ଯୋଗୁଁ ପୋଲ ନିର୍ମାଣ ଅଧାରେ ଅଟକିଛି । ଏପଟେ ବିପଦସଂକୁଳ ଭାବେ ଦୈନିକ ଅନେକ ମାଲ ପରିବହନ ଗାଡି ଯାତାୟତ କରୁଥିବାବେଳେ ସାଧାରଣ ଗମନାଗମନ ପାଇଁ ଅନେକ ଅସୁବିଧା ସୃଷ୍ଟି ହୋଇଛି । ଏପରିକି ନିର୍ମାଣାଧୀନ ପୋଲ ନିକଟରେ ରାତି ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବାର ଜଣାଯାଇଛି । ବର୍ଷାଋତୁ ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିନଥିବା ଯୋଗୁଁ ତୁହାକୁ ତୁହା ବର୍ଷାରେ ତାହା ବିଳମ୍ବ ହେଉଥିବା ନେଇ ଠିକାଦାର ସଫେଇ ଦେଇଥିଲେ ମଧ୍ୟ ଗମନାଗମନର ସୁବିଧା ଦୃଷ୍ଟିରୁ ଯଥାଶୀଘ୍ର ଏହି ପୋଲ କାମ ଶେଷ କରିବା ପାଇଁ ସ୍ଥାନୀୟ ଜନସାଧାରଣ ପୂର୍ତ୍ତ ବିଭାଗ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.