ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ନୂଆନୂଆ ଶିଳ୍ପାୟନ ପ୍ରତିଷ୍ଠା ସାଙ୍ଗକୁ ନୂଆ ରାସ୍ତା ଘାଟ ନିର୍ମାଣ ପାଇଁ ସବୁଜିମାରେ ଭରପୁର ଥିବା ସ୍ଥାନକୁ କାଟି ସଫା କରାଯାଉଛି । ଏଥିପାଇଁ ପ୍ରତିବର୍ଷ ହଜାରହଜାର ଗଛ କଟା ଅବାଧରେ ଚାଲିଛି । ହେଲେ ସେହି ପରିମାଣରେ ଗଛ ଲଗା ଯାଇ ପାରୁ ନାହିଁ । ଫଳରେ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଅଧିକ ମାତ୍ରାରେ ଏବେ ପରିଲକ୍ଷିତ ହୋଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରୁଛି । ତେଣୁ ଅସନ୍ତୁଳିତ ପରିବେଶକୁ ସନ୍ତୁଳିତ କରିବା ପାଇଁ ସମସ୍ତେ ମିଶନ ମୁଡ଼ରେ ପ୍ରତିବର୍ଷ ବୃକ୍ଷ ରୋପଣ କରି ସବୁଜ ବନାନୀ ସୃଷ୍ଟି କରନ୍ତୁ ବୋଲି ଶୁଭମ ସ୍ୱେଛାସେବୀ ସଂଗଠନ ଓ ଇକୋ କ୍ଲବ ପକ୍ଷରୁ ଆୟୋଜିତ ୭୪ ତମ ବନ ମହୋତ୍ସବ ସପ୍ତାହର ଉଦ୍ଯାପନୀ ଦିବସରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ କହିଛନ୍ତି । ଏହି ଉପଲକ୍ଷେ ଭଦ୍ରକ ବ୍ଲକ ଅଧିନସ୍ଥ କଲେଇ ପଂଚାୟତର ଥିବା କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ମୁଖ୍ୟ ବକ୍ତା ଭାବେ ତ୍ୟାଗ ଭୂମିର ସଭାପତି ତଥା ସମାଜସେବୀ ଅଜୟ ନାୟକ, ସମ୍ମାନିତ ଅତିଥି ଭାବେ କଲେଇ ପଂଚାୟତର ସରପଞ୍ଚ ନିରଞ୍ଜନ ମଲ୍ଲିକ, ପ୍ରକୃତି ବନ୍ଧୁ ତଥା ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ, ବିଶିଷ୍ଟ ନାଟ୍ୟକାର ନିର୍ମଳ ରାଉତ, ଶିକ୍ଷାବିତ ଶେଖର କୁମାର ଜେନା, ଯୁବ ସମାଜସେବୀ ଇଂ ସ୍ପନ୍ଦନ ମଲ୍ଲିକ, ଯୁବ ସଂଗଠକ ତାପସ ରାୟ, ସମାଜସେବୀ ଗୌର ଗୋପାଳ ଜେନା, ନିତ୍ୟାନନ୍ଦ ବେହେରାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସବୁଜ ବନାନୀ ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପରିବେଶ ସଚେତନତା ଉପରେ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ଅତିଥି ମାନଙ୍କ ପରିଚୟ ସହିତ ମହୋତ୍ସବ ପାଳନର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ବିଭୁସ୍ମିତା ବାରିକ । ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଅତିଥି ମାନଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ଶିକ୍ଷକ ତାରିଣୀ ପ୍ରସାଦ ଦାସ, କୃଷ୍ଣ ଚନ୍ଦ୍ର ବେହେରା ନିରୋଦ ସେଠୀ, ମହେନ୍ଦ୍ର ମଲ୍ଲିକ ପ୍ରମୁଖଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ପରିଚାଳନା କରିଥିଲେ ।