ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟେନିକୋଏଟ ସଂଘର ଖେଳାଳି ନିର୍ମଳ ସେନ ଭାରତୀୟ ଟେନିକୋଏଟ ଦଳରେ ବିଶ୍ୱ କପ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଆସନ୍ତା ସେପ୍ଟେମ୍ବର ୩୦ତାରିଖରୁ ଅକଟୋବର ୮ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକାରେ ପଞ୍ଚମ ବିଶ୍ୱକପ ଟେନିକୋଏଟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ସମଗ୍ର ଭାରତ ବର୍ଷରୁ ୬ ଜଣ ପୁରୁଷ ଓ ୬ ଜଣ ମହିଳା ଭାରତ ଖେଳିବାର ସୁଯୋଗ ପାଇବେ । ସେଥିମଧ୍ୟରୁ ଓଡ଼ିଶାର ଟେନିକୋଏଟ ଖେଳାଳି ଭଦ୍ରକର ନିର୍ମଳ ସେନ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ଜୁଲାଇ ୧୩ତାରିଖରେ ଦ୍ୱିତୀୟ ତଥା ଚୁଡାନ୍ତ ତାଲିମ ଖେଳାଳି ମାନଙ୍କୁ ତାମିଲନାଡୁର ଭେଲାମେଲ ବୈଷୟିକ ମହାବିଦ୍ୟାଳୟରେ ଦିଆଯିବ । ଏଥିପାଇଁ ନିର୍ମଳ ସେନଙ୍କୁ ଏକ ଲକ୍ଷ ପଚିଶ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ । ଉଲଙ୍ଗ ଗ୍ରାମର ସେ ଜଣେ ଅତି ଗରିବ ଘରର ପିଲା ହୋଇଥିବାରୁ ଅର୍ଥ ତାଙ୍କ ପାଇଁ ବାଧକ ସାଜିଛି ବୋଲି ଭଦ୍ରକ ଜିଲ୍ଲା ଟେନିକୋଏଟ ସଂଘର ସଭାପତି ଅଧ୍ୟାପକ ଗୋଲକ ନାୟକ, ସମ୍ପାଦକ ମନୋଜ ସାହୁ, ଉପସଭାପତି ସୁବାସ ଦୀକ୍ଷିତ ଜଣାଇଛନ୍ତି । ଯେକୌଣସି ଉପାୟରେ ଆବଶ୍ୟକ ଅର୍ଥ ଆଦାୟ କରି ନିର୍ମଳକୁ ବିଶ୍ୱକପ ଖେଳିବାର ସୁଯୋଗ ଦିଆଯିବ ବୋଲି ଶ୍ରୀ ନାୟକ କହିଛନ୍ତି । ଏ ଅର୍ଥ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଭଦ୍ରକର ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ, ଉଲଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ଓ କ୍ରୀଡ଼ା ପ୍ରେମୀ ମାନଙ୍କୁ ଅନୁରୋଧ କରିଛନ୍ତି ଆବଶ୍ୟକ ଅର୍ଥ ଦାନ କରିବା ପାଇଁ । ଏ ନେଇ ଖୁବ ଶୀଘ୍ର ଏକ ପ୍ରତିନିଧି ଦଳ ଭଦ୍ରକର ମାନ୍ୟବର ବିଧାୟକ,ସାଂସଦ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜନ ପ୍ରତିନିଧି, କ୍ରୀଡ଼ାପ୍ରେମୀ ବଦାନ୍ୟ ବ୍ୟକ୍ତି ମାନଙ୍କୁ ଭେଟି ଅର୍ଥ ସଂଗ୍ରହ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି ଓ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।
Home ଜିଲ୍ଲା ପରିକ୍ରମା ବିଶ୍ୱ ଟେନିକୋଏଟ ପ୍ରତିଯୋଗିତାରେ ଭାରତୀୟ ଦଳରେ ଭଦ୍ରକରୁ ନିର୍ମଳ ସେନ, ଯିବା ପାଇଁ ଅର୍ଥ ସାଜିଛି...