Home ଜିଲ୍ଲା ପରିକ୍ରମା ଆଖୁଆପଦା ହାଇଡ୍ରୋମେଟ୍ରିକ କାର୍ଯ୍ୟାଳୟ ଅଚଳ, ବନ୍ୟା ନିୟନ୍ତ୍ରଣ ସହାୟତା କାର୍ଯ୍ୟ ବନ୍ଦ!

ଆଖୁଆପଦା ହାଇଡ୍ରୋମେଟ୍ରିକ କାର୍ଯ୍ୟାଳୟ ଅଚଳ, ବନ୍ୟା ନିୟନ୍ତ୍ରଣ ସହାୟତା କାର୍ଯ୍ୟ ବନ୍ଦ!

43

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ହାଇଡ୍ରେମେଟ୍ରିକ ବିଭାଜନର ଆଖୁଆପଦା ସେକ୍ସନ ଅଚଳ ହୋଇଥିବା ଜଣାଯାଇଛି । ଆଖୁଆପଦାରେ ବୈତରଣୀ ନଦୀ ଆନିକଟ ଥିବାରୁ ସେଠାରେ ଏହି ପୁରାତନ କାର୍ଯ୍ୟାଳୟ ସ୍ଥାପନ କରାଯାଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସେକ୍ସନ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ମାତ୍ର ସେହି ସେକ୍ସନ ଅଫିସର କାର୍ଯ୍ୟାଳୟର ମାଟିମାଡ଼ୁନଥିବା ଜଣାଯାଇଛି । କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀ ନଥିବାରୁ ଚାଲା ଝୁଲୁଛି । ବନ୍ୟା ନିୟନ୍ତ୍ରଣ ପାଇଁ ଏହି କାର୍ଯ୍ୟାଳୟର ଗୁରୁଦାଇତ୍ୱ ରହିଛି । ଆନିକଟର ନିରୀକ୍ଷଣ ଏହାର ପ୍ରାଥମିକ କାର୍ଯ୍ୟ । ଦୈନିକ ସ୍ଥାନୀୟ ବର୍ଷାଜଳ ପରିମାଣ ରେକର୍ଡ କରିବା ପାଇଁ କାର୍ଯ୍ୟାଳୟ ପରିସରରେ ବର୍ଷାଜଳ ମାପକ ଯନ୍ତ୍ର ସ୍ଥାପନ କରାଯାଇଛି । ପ୍ରତ୍ୟେକ ଦିନ ଆଖୁଆପଦାରେ ବର୍ଷାଜଳ ପରିମାଣ ରେକର୍ଡ କରିବା ସହ ନଦୀରେ ଦୈନିକ ପ୍ରବାହିତ ଜଳ ପରିମାଣ, ପ୍ରବାହିତ ଜଳରେ ବାଲି ଓ ପଟୁମାଟି ପରିମାଣ ମାପିବା ପାଇଁ ମଧ୍ୟ କାର୍ଯ୍ୟାଳୟରେ ଯନ୍ତ୍ରାଂଶ ରହିଛି । ପୂର୍ବରୁ ବିରିଡ଼ି ଠାରେ ଏହି କାର୍ଯ୍ୟ କରାଯାଉଥିଲା । ମାତ୍ର ୧୯୯୯ ମସିହା ଠାରୁ ଆଖୁଆପଦା ବୈତରଣୀ ସେତୁ ଉପରେ ଥାଇ ଏହି କାର୍ଯ୍ୟ କରାଯିବାର ବ୍ୟବସ୍ଥା ହୋଇଥିଲା ।

ସେଥିପାଇଁ ଏହି ସେକ୍ସନକୁ ଗୋଟିଏ ହାଇଡ୍ରୋମେଟ୍ରିକ ସରଞ୍ଜାମ ଯୋଗାଇ ଦିଆଯାଇଛି । ସେତୁ ଉପରେ ଥାଇ କାର୍ଯ୍ୟାଳୟର କର୍ମଚାରୀ ଦୈନିକ ଏହି ସରଞ୍ଜାମକୁ ଏକ ଶକ୍ତ ଦଉଡିରେ ବାନ୍ଧି ଜଳକୁ ପକାଇଦେଇ ନଦୀଜଳର ବେଗ, ପରିମାଣ, ଜଳ ସହ ବାଲି ଓ ପଟୁମାଟି ମିଶ୍ରଣର ପରିମାଣ ଆଦି ମାପ କରାଯାଇଥାଏ । ଏହି ରିପୋର୍ଟ ନଥିଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ଡ଼ିଭିଜନ କାର୍ଯ୍ୟାଳୟକୁ ପଠାଯାଉଥିଲା । ବନ୍ୟା ସମୟରେ ନଦୀରେ ଜଳ ପ୍ରବାହ କ୍ୟୁସେକ ଆକାରରେ ମାପ କରିବା ଏହି କାର୍ଯ୍ୟାଳୟର ଦାଇତ୍ୱ । ଏଥିସହ ଏହି ସେକ୍ସନ ପକ୍ଷରୁ ଏକ ଜଳସ୍ତର ମିଟର ଆଖୁଆପଦା ବୈତରଣୀ ସେତୁ ନିକଟରେ ସ୍ଥାପନ କରାଯାଇ ଏହାର ରେକର୍ଡ ମଧ୍ୟ କରାଯାଇଥାଏ । ଜଳସମ୍ପଦ ବିଭାଗ ଆଖୁଆପଦା ଉପଖଣ୍ଡର ଜଳସ୍ତର ମାପକ ମିଟର ଗଜ ଅନୁଯାୟୀ ବିପଦସଂକେତ ସ୍ତର ୧୭.୮୩ ମିଟର ହୋଇଥିବା ବେଳେ ହାଇଡ୍ରୋମେଟ୍ରିିକ ସେକ୍ସନର ଜଳସ୍ତର ମାପକ ମିଟର ଗଜ ଅନୁଯାୟୀ ବିପଦସଂକେତ ସ୍ତର ୧୮.୧୩ ମିଟର ଅଟେ । ସମାନ୍ତରାଳ ଭାବେ ଜଳସମ୍ପଦ ବିଭାଗର ଆଖୁଆପଦାସ୍ଥିତ ଏହି ଦୁଇ ଶାଖା ଜଳସ୍ତର ମାପକ କାର୍ଯ୍ୟ କରିଥାନ୍ତି । ମାତ୍ର ଏବେ ଜଳସମ୍ପଦ ବିଭାଗ ଆଖୁଆପଦା ଉପଖଣ୍ଡ ନିୟମିତ ଭାବେ ଜଳସ୍ତର ମାପ କାର୍ଯ୍ୟ କରୁଛି । ହାଇଡ୍ରୋମେଟ୍ରିକ କାର୍ଯ୍ୟାଳୟ ଜଳସ୍ତର ମାପ କାର୍ଯ୍ୟ ତ କରୁନାହିଁ । ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଜଳସେଚନ ବିଭାଗକୁ ତଥ୍ୟ ଦେଇ ବନ୍ୟାନିୟନ୍ତ୍ରଣରେ ସହାୟତା କରିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବନ୍ୟା ନିୟନ୍ତ୍ରଣ ପାଇଁ ଏହି କାର୍ଯ୍ୟାଳୟର ଭୂମିକା ଗୁରୁତ୍ୱପୂୂର୍ଣ୍ଣ ଓ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଜଳସେଚନ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.