ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଶିକ୍ଷା ଓ ଶିକ୍ଷାୟତନର ବିକାଶ ପାଇଁ ଏବେ ମିଶନ ମୁଡ଼ରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି। ଏପରିକି ବିଭିନ୍ନ ବିଦ୍ୟାଳୟରେ ଭିତ୍ତି ଭୂମିରେ ବିକାଶ ସହିତ ଆବଶକୀୟ ଶିକ୍ଷକ ପଦବୀ ମଧ୍ୟ ପୂରଣ କରୁଛନ୍ତି। ମାତ୍ର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ପଂଚାୟତରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ପଞ୍ଚାୟତର ପୁରାତନ ନନ୍ଦୋର ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ବଡ଼ ଶୋଚନୀୟ ହୋଇଛି। ଏହି ସ୍କୁଲରେ ଆବଶକୀୟ ଶ୍ରେଣୀ ଗୃହର ଅଭାବ ଯୋଗୁ ଛୋଟ ଛୋଟ ପିଲାମାନେ ବିଦ୍ୟାଳୟର ରୋଷେଇ ଘରେ ଏବଂ ବାରଣ୍ଡାରେ ପାଠ ପଢୁଛନ୍ତି। ବାରମ୍ବାର ଦାବି ପରେ ଶିକ୍ଷା ବିଭାଗ କିଛି ପଦକ୍ଷେପ ନେଉ ନଥିବାରୁ ଏହି ପୁରାତନ ବିଦ୍ୟାଳୟ ଟିରେ ଛାତ୍ର ଉପସ୍ଥାନ ସଂଖ୍ୟା ମଧ୍ୟ ଧୀରେ କମିବାରେ ଲାଗିଛି। ଅନ୍ୟ ପକ୍ଷରେ ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ଭଙ୍ଗା ଶ୍ରେଣୀ ଗୃହକୁ ଏପର୍ଯ୍ୟନ୍ତ ଅନ ସେଫ ଘୋଷଣା ହେଉ ନାହିଁ କି ତାକୁ ମଧ୍ୟ ଭଙ୍ଗା ଯାଇ ନୂଆ ବିଲିଡିଙ୍ଗ ନିର୍ମାଣ ହେଉ ନ ଥିବାରୁ ସ୍ଥାନୀୟ ଲୋକ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
ପ୍ରକାଶ ଯେ ନନ୍ଦୋର ପ୍ରାଥମିକ ବିଦ୍ୟାଳୟ୧୯୪୬ ମସିହାରେ ପ୍ରତିଷ୍ଠା ହେବା ସହିତ ସେହି ଅଂଚଳ ର ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରରେ ଏହି ବିଦ୍ୟାଳୟ ଏକ ମାଇଲ ଖୁଣ୍ଟ ଭାବେ ଛିଡା ହୋଇଥିଲା। ଏଠାରେ ଏବେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ ୬୬ ଜଣ ପିଲା ଅଧୟନ କରୁଛନ୍ତି। ମାତ୍ର ଏହ ୬୬ ଜଣ ପିଲାଙ୍କ ପାଇଁ ୩ଜଣ ଶିକ୍ଷକ ମଧ୍ୟ ରହିଛନ୍ତି। କିନ୍ତୁ ଆବଶ୍ୟକୀୟ ଶ୍ରେଣୀ ଗୃହ ଏହି ବିଦ୍ୟାଳୟ ଟିରେ ନାହିଁ। ଗୋଟିଏ ଛୋଟିଆ ଘରେ ଛୋଟ ଛୋଟ ପିଲା ବସି ଠିକ ଭାବେ ପଢି ପାରୁ ନାହାନ୍ତି। ତେଣୁ ସ୍ଥାନ ଅଭାବ ରୁ ପ୍ରଥମ ଶ୍ରେଣୀର ପିଲା ମାନେ ବିଦ୍ୟାଳୟ ରୋଷେଇ ଘରେ ଅଧୟନ କରୁଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ପିଲା ମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏପରିକି ବର୍ଷା ଏବଂ ଖରା ଦିନରେ ବାରଣ୍ଡାରେ ପାଲ ଟାଣି ପିଲା ମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଠ ପଢାଉ ଛନ୍ତି। ସେହିପରି ବିଦ୍ୟାଳୟ ପରିସର ରେ ଏକ ପୁରାତନ ଭଙ୍ଗା ଘର ଅଛି। ତାକୁ ଏ ପର୍ଯ୍ୟନ୍ତ ଅନ ସେଫ ଘୋଷଣା କରାଯାଉ ନାହିଁ କି ତାକୁ ମଧ୍ୟ ଭଙ୍ଗା ଯାଉ ନାହିଁ। ତେଣୁ ବିପଦ ସଂକୁଳ ବିଲଡିଂ କୁ ଭାଙ୍ଗି ସେଠାରେ ଏକ ନୂଆ ଶ୍ରେଣୀଗୃହ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି କରୁଥିଲେ ମଧ୍ୟ ସେଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେଉ ନାହିଁ। ସେହିପରି ରାସ୍ତା ପାର୍ଶ୍ୱରେ ବିଦ୍ୟାଳୟଟି ଥିଲେ ମଧ୍ୟ ପାଚେରୀ ବି ନାହିଁ। ତାହା ମଧ୍ୟ ଅନେକ ସମୟ ରେ ପିଲାମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ବିଦ୍ୟାଳୟରେ ଶ୍ରେଣୀ ଗୃହ ନ ଥିବାରୁ ଅଧିକାଂଶ ଗ୍ରାମବାସୀ ସେମାନଙ୍କ ପିଲାଙ୍କୁ ବାହାର ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟ କୁ ନେଇ ପଢାଉ ଛନ୍ତି। ତେଣୁ ପ୍ରତି ବର୍ଷ ପିଲା ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ପୁରାତନ ବିଦ୍ୟାଳୟଟିରେ ଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ଓ ଗ୍ରାମବାସୀମାନେ ଦାବି କରିଛନ୍ତି।