ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋର୍କରା ପଂଚାୟତରେ କରେଇପୁର ଠାରେ ଥିବା ଏକ ଖେଳପଡିଆ (ସରକାରୀ ଜମି) କୁ ଅବକାରୀ ସୁପରିଟେଣ୍ଡଣ୍ଟ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ପ୍ରଶାସନ ତରଫରୁ ଗତ କିଛିଦିନ ତଳେ ମାପଚୁପ ଚାଲିଥିଲା। କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପ୍ରଶାସନର କର୍ମକର୍ତ୍ତା ଓ ଅବକାରୀ ବିଭାଗ କର୍ମଚାରୀମାନେ ଫେରିଯାଇଥିଲେ। ସ୍କୁଲ ପିଲାଙ୍କ ବ୍ୟବହୃତ ଏହି ଖେଳପଡିଆଟିକୁ ଗାଁ ସ୍କୁଲକୁ ହସ୍ତାନ୍ତରିତ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଜିଲାପାଳଙ୍କୁ ଲିଖିତ ପତ୍ର ଦ୍ୱାରା ନିବେଦନ କରାଯାଇଥିଲା। ସୁଫଳ ନମିଳିବାରୁ ଆଜି ସ୍ଥାନୀୟ ଲ’ କଲେଜ ଠାରେ ଅନୁଷ୍ଠିତ ପଂଚାୟତର ଗ୍ରାମସଭାରେ ଏହି ଖେଳପଡିଆଟିକୁ କାର୍ତ୍ତିକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ହସ୍ତାନ୍ତର କରାଯିବା ପାଇଁ ପ୍ରସ୍ତାବ ରଖାଯାଇଛି। ଏହି ଖେଳପଡିଆର ଉନ୍ନତିକରଣ, ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପଂଚାୟତକୁ ଦାୟିତ୍ୱ ଦିଆଯାଇଛି। ଏହାକୁ ଏକ ମଡେଲ ଖେଳପଡିଆ କରିବା ପାଇଁ ଅନୁଷ୍ଠିତ ଗ୍ରାମସଭାରେ ପ୍ରସ୍ତାବ ଗୃହିତ ହୋଇଛି। କୋର୍କରା ସରପଞ୍ଚ ମୋନାଲିସା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାମସଭାରେ ସମିତି ସଭ୍ୟ ରାଧିକା ମୁଣ୍ଡା, ବ୍ଲକ୍ ପ୍ରଶାସନ ନିର୍ବାହୀ ଅଧିକାରୀ ବିଶ୍ୱନାଥ ମହାରଣାଙ୍କ ସହ ଗ୍ରାମବାସୀ ଶ୍ରୀଧର ବାରିକ, ଭାଗୀରଥି ବେହେରା, ଜଗବନ୍ଧୁ ବେହେରା, ପ୍ରଶାନ୍ତ ବାରିକ, ଚୈତନ୍ୟ ପ୍ରସାଦ ବାରିକ, ସୁଲୋଚନା ବାରିକ, ଉର୍ମିଳା ବାରିକ, ହେମଲତା ପାଣି, ଉର୍ବଶୀ ବେହେରା ଓ ପୂର୍ବତନ ସମିତି ସଭ୍ୟ ଧବଳେଶ୍ୱର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।








