ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୀବଜଗତ ପାଇଁ ମାଟି ପ୍ରକୃତିର ଏକ ଅମୂଲ୍ୟଦାନ। ମାଟି ବିନା ଆମର ଅସ୍ତିତ୍ୱ ବି କଳ୍ପନା କରାଯାଇପାରିବ ନାହିଁ। କେବଳ ମଣିଷ ନୁହେଁ ମାଟି ଅସଂଖ୍ୟ ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳୀ। ଖାଦ୍ୟ, ଜଳ, ବସ୍ତ୍ର, ବାସଗୃହ, ଔଷଧ ଆଦି ଆମର ଜୀବନ ଧାରଣ ପାଇଁ ସମସ୍ତ ଉପାଦାନ ଦେଇ ମା’ପରି ଆମକୁ ପାଳୁଥିବା ମାଟି ପ୍ରତି ଆମର ଅପରିଣାମଦର୍ଶିତା ସମାଜ ପାଇଁ କିପରି ହାନିକାରକ ହେବାକୁ ଯାଉଛି ଏ ବିଷୟରେ ତତ୍ତ୍ୱ ଓ ତଥ୍ୟମୂଳକ ଆଲୋଚନା ରଖିଥିଲେ ଆଜିର ଭଦ୍ରକ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିବୃନ୍ଦ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଥିବା ବିଶ୍ୱ ମୃତ୍ତିକା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପରିଷଦର ସଭାପତି ପ୍ରଫୁଲ୍ଲ କୁମାର ଜେନା। ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ଶୁଭେନ୍ଦୁ ମୋହନ ମିଶ୍ର, ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ କନ୍ଦ ଜେନା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ କୃଷି ବୈଜ୍ଞାନିକ ଡ଼. ଅରବିନ୍ଦ ଦାସ, ଆର୍.ଆର୍.ଟି.ଟି.ଏସ୍ର ସହକାରୀ ନିର୍ଦ୍ଦେଶକ ଡ଼.ଭଗବାନ କବାଟ।
ମୁଖ୍ୟ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀଧର ଦାସ। ଏହି ଦିବସ ପାଳନ ଅବସରରେ ମୃତ୍ତିକା ସୁରକ୍ଷା, ସୁସ୍ଥ ମୃତ୍ତିକାର ଆବଶ୍ୟକତା ଆଦି ସମ୍ବନ୍ଧରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଚଳିତ ବର୍ଷ ଆଲୋଚନା ପାଇଁ “ଯେଉଁଠି ମାଟି ସେଇଠୁ ଉତ୍ପାଦନ” ର ଆରମ୍ଭ ଶୀର୍ଷକ ବିଷୟ ଉପରେ କୃଷି ବୈଜ୍ଞାନିକମାନେ ସାରଗର୍ଭକ ଉପସ୍ଥାପନ ରଖିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ, ଛାତ୍ରଛାତ୍ରୀ, ସଂପୃକ୍ତ ବିଭାଗୀୟ ଅଧିକାରୀ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ଉଦ୍ଦେଶ୍ୟରେ ମାଟିର ସ୍ୱାସ୍ଥ୍ୟ ରକ୍ଷା ଆମ ପାଇଁ କେତେ ଜରୁରୀ ଓ ସେ ଦିଗରେ ଆମ ସମସ୍ତଙ୍କର ଭୂମିକାକୁ ବିସ୍ତୃତ ଭାବେ ବୁଝାଇଥିଲେ। ପରିବେଶ ପ୍ରତି ମାଟି କେତେ ପ୍ରଭାବୀ ଆମକୁ ଜାଣିବାକୁ ହେବ ବୋଲି ପ୍ରକାଶ କରଥିଲେ। ମାଟି ଦୂଷିତ ହେଲେ ଆମ ଖାଦ୍ୟ ବିଷାକ୍ତ ହୋଇ ଆମ ସ୍ୱାସ୍ଥ୍ୟ ପାଇଁ କେମିତି ବିପଦ ଡ଼ାକିଆଣୁଛି ଏବଂ ମୃତ୍ତିକା ସୁରକ୍ଷା ବିନା ଖାଦ୍ୟ ନିରାପତ୍ତା ବି କିପରି ସମ୍ଭବ ନୁହେଁ ସେ ବିଷୟରେ ମଧ୍ୟ ବୁଝାଇଥିଲେ। ଇଫକୋର କ୍ଷେତ୍ର ପରିଚାଳକ ସୁଦର୍ଶନ ପଣ୍ଡା ନାନୋ ୟୁରିଆ ର ବ୍ୟବହାର ସହ ସାର ପରିଚାଳନାରେ ଚାଷୀମାନଙ୍କ ସତର୍କତା ଆଧାରରେ ବକ୍ତବ୍ୟ ରଖିଥିଲେ। ଶେଷରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ଼ ଓ ଏହି ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜତି ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଚାନ୍ଦବାଲି ବ୍ଲକ୍ କୃଷି ଅଧିକାରୀ ତଥା କୃଷି କବି ଅରୁଣ କୁମାର ପାତ୍ରଙ୍କ ରଚିତ ମାଟି ମାଆର କଥା ନେଇ ସୁନ୍ଦର ସଂଗୀତକୁ ସ୍ଥାନୀୟ ଶ୍ରୀଜଗନ୍ନାଥ ସାଂସ୍କୃତିକ କଳାକାର ସଂଘର ସଂଗୀତ ନିର୍ଦ୍ଦେଶକ ରୁଦ୍ର ମାଧବ ବାରିକଙ୍କ ସଂଗୀତ ନିର୍ଦ୍ଦେଶନାରେ କଳାକାରମାନଙ୍କ ଦ୍ୱାରା ପରିବେଷିତ ଉଦ୍ଘାଟନୀ ସଂଗୀତ ସମସ୍ତଙ୍କୁ ଆକର୍ଷିତ କରିଥିଲା। ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ମୁଖ୍ୟ କୃଷି ଅଧିକାରୀ ଉଦିତ୍ କୁମାର ରାୟ, ଜିଲ୍ଲାର କୃଷି ବିଭାଗୀୟ ସମସ୍ତ ଅଧିକାରୀମାନଙ୍କ ସହ ସଂପୃକ୍ତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।