Home ଓଡ଼ିଶା ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ବହ୍ନି କନ୍ୟା : ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ବହ୍ନି କନ୍ୟା : ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

62

ଭୁବନେଶ୍ୱର, ୪ା୮ (ଓଡ଼ିଆ ପୁଅ) : ସ୍କୁଲ୍ ଛାତ୍ରୀ ଜୀବନରୁ ସାମ୍ୟବାଦୀ ଆନ୍ଦୋଳନରେ ସାମିଲ୍ ହୋଇ ବ୍ରିଟିଶ୍ ବିରୁଦ୍ଧରେ ସଂଗ୍ରାମ କରି ରାଜ୍ୟରେ ନାରୀ ସଶକ୍ତିକରଣ ଓ ନାରୀ ସ୍ୱାଧୀନତା ପାଇଁ ଆଜୀବନ ସାଲିସ୍ ବିହୀନ ଲଢେଇ କରିଥିବା ଓଡ଼ିଶାର ପ୍ରଥମ ମହିଳା କେନ୍ଦ୍ରମନ୍ତ୍ରୀ, ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ସୁସାହିତ୍ୟିକା ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଷୋଡ଼ଶ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ମହାନଗରପାଳ ମିହିର ମହାନ୍ତି, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ଆବାହକ ପ୍ରବୀର ମହାନ୍ତି, ଉଇ ଫର ଭୁବନେଶ୍ୱରର କର୍ମକର୍ତ୍ତା, ଉତ୍କଳ ସମ୍ମିଳନୀ ସଭାପତି ପ୍ରଫେସର ଡକ୍ଟର ଅଦ୍ୱୈତ କୁମାର ପାତ୍ର, ବର୍ଷିୟାନ୍ ନାରୀ ନେତ୍ରୀ ଉଷାରାଣୀ ମହାନ୍ତି, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ମହାପାତ୍ରଙ୍କ ସମେତ ବହୁ ନାରୀନେତ୍ରୀ ଓ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ନିଜ ବକ୍ତବ୍ୟରେ ନନ୍ଦିନୀ ଦେବୀ ବାଲିପାଟଣାର ବିଶ୍ୱନାଥପୁର ଗ୍ରାମର ବାସିନ୍ଦା ଥାଇ କଟକ ସହରରେ ପିତା ସୁସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସୁକନ୍ୟା ଭାବରେ ଜନ୍ମ ନେଇ ଢେଙ୍କାନାଳ ଧଳପୁରର ଦେବେନ୍ଦ୍ର ଶତପଥୀଙ୍କ ଧର୍ମପତ୍ନୀ ହୋଇ ଜଣେ ଗୃହିଣୀ ଭାବରେ ନୈତିକ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଛାତ୍ରୀ ଜୀବନରୁ ସାମ୍ୟବାଦୀ ଚିନ୍ତାଧାରାରେ ନିଜକୁ ଜଡ଼ିତ କରି ବିପ୍ଳବିନୀର ଭୂମିକା ନିର୍ବାହ କରିଥିଲେ। ରେଭେନ୍ସା କଲେଜର ଛାତ୍ର ରାଜନୀତି ସହିତ ପରବର୍ତ୍ତୀ ଅବସ୍ଥାରେ କମ୍ୟୁନିଷ୍ଟ ପାର୍ଟି ଛାଡ଼ି କଂଗ୍ରେସ ଦଳରେ ଯୋଗଦେଇ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କ ଅନ୍ତରଙ୍ଗ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ବହନ କରି ସୁଚାରୂ ରୂପେ ସମ୍ପାଦନ କରିବା ଓ ୧୯୭୨ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରି ଜଣେ ଦକ୍ଷ ପ୍ରଶାସିକାର ଗୌରବ ବହନ କରିଛନ୍ତି। ପରବର୍ତ୍ତୀ ଅବସ୍ଥାରେ ୧୯୭୪ ମସିହାରେ ଢେଙ୍କାନାଳରୁ କଂଗ୍ରେସ ଦଳ ପ୍ରାର୍ଥୀ ୧୯୭୭ ମସିହାରେ ଢେଙ୍କାନାଳରୁ ଜନତା ପାର୍ଟି ପ୍ରାର୍ଥୀ, ୧୯୮୦ରେ କଂଗ୍ରେସ ଅର୍ସ ଦଳରୁ ନିର୍ବାଚିତ ହୋଇଥିବା ବେଳେ ୧୯୮୫ ମସିହାରେ ଜାଗ୍ରତ ଓଡ଼ିଶା ନାମକ ଏକ ଦଳ ଗଠନ କରି ଓଡ଼ିଶାରେ ବିକଳ୍ପ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ ଓ ସେହି ଦଳର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୦ ଓ ୯୫ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବରେ ଗଁଦିଆ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ନିର୍ବାଚିତ ହୋଇ ସେ ଏକମାତ୍ର ନାରୀ ନେତ୍ରୀ ଭାବରେ ଅପରାଜେୟର ମର୍ଯ୍ୟାଦା ଲାଭ କରିଛନ୍ତି। ପ୍ରଶାସନିକ ନିଷ୍ପତ୍ତି ନେବାରେ ସେ କଠୋର ଥିବା ବେଳେ ଲୋକକଲ୍ୟାଣ କାର୍ଯ୍ୟରେ ଜଣେ ମା’ ଭାବରେ ସ୍ନେହମୟୀର ଭୂମିକା ନିର୍ବାହ କରୁଥିଲେ। ସେ ଥିଲେ ଓଡ଼ିଶାରେ ନାରୀ ପ୍ରଗତିର ମୃର୍ତ୍ତିମନ୍ତ ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉଷାରାଣୀ ମହାନ୍ତିଙ୍କୁ ନନ୍ଦିନୀ ଶତପଥୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.