Home ଜିଲ୍ଲା ପରିକ୍ରମା ପ୍ୟାରେଡ ଓ ଜନ ସମାବେଶ ବିନା ପାଳିତ ହେବ ସ୍ୱାଧୀନତା ଦିବସ, ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ...

ପ୍ୟାରେଡ ଓ ଜନ ସମାବେଶ ବିନା ପାଳିତ ହେବ ସ୍ୱାଧୀନତା ଦିବସ, ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

55

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୭୬ତମ ସ୍ୱାଧୀନତା ଦିବସ – ୨୦୨୨କୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନ ପୂର୍ବକ କୋଭିଡ଼୍ କଟକଣା ଅନୁଯାୟୀ ସ୍ୱାଧୀନତା ଦିବସକୁ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଭଦ୍ରକ ପୌରାଞ୍ଚଳରେ ରାମଧୂନ ପରିକ୍ରମା କରାଯିବ। ସକାଳ ୭.୩୦ମିନିଟ୍‌ରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ କୋଭିଡ଼୍ ନିୟମ ଅନୁପାଳନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରାଯିବ। ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ସକାଳେ ମାଲ୍ୟାର୍ପଣ କରାଯିବ।

ମୁଖ୍ୟ ଅତିଥିଙ୍କ ଦ୍ୱାରା ନେହେରୁ ଷ୍ଟାଡ଼ିୟମ୍ ଠାରେ ସକାଳ ଘ୯.୧୫ମିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ପତାକା ଉତ୍ତୋଳନ କରାଯିବା। ଏ ବର୍ଷ ଆନୁଷ୍ଠାନିକ ପ୍ୟାରେଡ଼ କି ମାର୍ଚ୍ଚପାଷ୍ଟ ହେବ ନାହିଁ। ଆର.ଆଇ ପୋଲିସ୍‌ଙ୍କ ତତ୍ତ୍ୱାବଧାନରେ ୨ଟି ପୋଲିସ୍ ବାହିନୀ ଜାତୀୟ ପତାକାକୁ ସମ୍ମାନ ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। ସ୍କୁଲ କଲେଜ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିବେ ନାହିଁ। ସିମୀତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ। ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ଓ ହାଇସ୍କୁଲ ସ୍ଥରରେ ପ୍ରବନ୍ଧ, କୁଇଜ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯିବ। କରୋନା ଯୋଦ୍ଧାଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯିବ। ବ୍ଲକ ଓ ପଞ୍ଚାୟତ ସ୍ତରରେ ମଧ୍ୟ ସ୍ୱରାଷ୍ଟ୍ର ବିଭାଗର ମାର୍ଗ ଦର୍ଶିକା ଅନୁପାଳନ ପୂର୍ବକ ସ୍ୱାଧୀନତା ଦିବସ ପାଳନ କରିବା ନିମନ୍ତେ ସ୍ଥିର କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ରାମଦାସ ଟୁଡ଼ୁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାସ୍ତରୀୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପୂର୍ବ ବର୍ଷ ସ୍ୱାଧୀନତା ଦିବସ ପାଳନର ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.