ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ପରିଚାଳିତ ଯୁଗ୍ମ ନିଯୁକ୍ତି ପରୀକ୍ଷା-୨୦୨୧ରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଶାରିରୀକ ମାପ ଓ ଦକ୍ଷତା ପରୀକ୍ଷା ନେଇ ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ କି ଗତକାଲି ଜୁଲାଇ ୨୬ରେ ପ୍ରଥମ ଦିନ ଅବକାରୀ କନେଷ୍ଟବଳ ପଦବୀ ପାଇଁ ୨୮ ଜଣ ପୁରୁଷ ଓ ୧୧ ଜଣ ମହିଳା ସମୁଦାୟ ୩୯ ଜଣ ପରୀକ୍ଷାର୍ଥୀ ଯୋଗ ଦେଇଥିଲେ। ଶାରିରୀକ ମାପରେ ପୁରୁଷ ୨୧ ଓ ମହିଳା ୬ ସମୁଦାୟ ୨୭ ଜଣ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କ ଲାଗି ଉଦ୍ଦିଷ୍ଟ ଦୌଡ଼ କାର୍ଯ୍ୟକ୍ରମରେ ୧୩ ଜଣ ପୁରୁଷ ଓ ୧ ଜଣ ମହିଳା ଅଂଶଗ୍ରହଣ କରିଥିଲେ ବି ଜଣେ ହେଲେ କୃତକାର୍ଯ୍ୟ ହୋଇପାରି ନଥିଲେ। ଏହି ଦୌଡ଼ରେ ୬ ମିନିଟ୍ରେ ୧ କି:ମି: ୬୦୦ ମିଟର ଦୌଡ଼ିବାର ଥିଲା। ଶାରିରୀକ ମାପରେ କୃତକାର୍ଯ୍ୟ ହୋଇଥିବା ୮ ଜଣ ପୁରୁଷ ଓ ୫ ଜଣ ମହିଳା ଦୌଡ଼ରେ ଆଦୌ ଭାଗ ନେଇ ନଥିଲେ। ତେଣୁ ଏଥିରେ ପରବର୍ତ୍ତୀ ଶାରିରୀକ ଦକ୍ଷତା ପରୀକ୍ଷା ପାଇଁ ଥିବା ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସନ୍ତରଣ, ଦଉଡ଼ିରେ ଚଢ଼ିବା, ମହିଳାଙ୍କ ପାଇଁ ସାଇକେଲ ଚାଳନା ଆଦି କାର୍ଯ୍ୟକ୍ରମ କରାଇବାର ଆବଶ୍ୟକତା ପଡ଼ିନଥିଲା। ସେହିପରି ଆଜି ଫରେଷ୍ଟ ଗାର୍ଡ ପାଇଁ ଅନୁଷ୍ଠିତ ସ୍ୱାସ୍ଥ୍ୟଗତ ପରୀକ୍ଷା ପରେ ଚାଲିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ପୁରୁଷ ମାନଙ୍କ ପାଇଁ ୪ ଘଣ୍ଟା ମଧ୍ୟରେ ୨୫ କି.ମି. ଓ ମହିଳାଙ୍କ ପାଇଁ ୪ ଘଣ୍ଟା ମଧ୍ୟରେ ୧୬ କି.ମି. ଚାଲିବା ଆବଶ୍ୟକ ଥିଲା। ଏଥିରେ ଅଂଶଗ୍ରହଣ କରିଥିବା ୩୦ ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ୨୧ ଜଣ କୃତକାର୍ଯ୍ୟ ହୋଇଥିଲାବେଳେ ୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ପରୀକ୍ଷାର୍ଥୀ ମଧ୍ୟରେ ୧୨ ଜଣ ପରୁୁଷ ଓ ୯ ଜଣ ମହିଳା ଥିଲେ। ଜିଲ୍ଲାପାଳ ସିଦ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସ, ଏ.ସି.ଏଫ୍. ଶ୍ୟାମା ଭାରତୀ, ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା, ଡେପୁଟୀ କଲେକ୍ଟର କସ୍ତୁରୀବାଳା ଜେନା, କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟ, ଆର୍.ଆଇ. ପୋଲିସ୍ ମନୋରଞ୍ଜନ ତରେଇ, ଡି.ଏସ୍.ପି. ଶ୍ରୀନିବାସ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା। ଡା. ସୁବାସ ବିଶ୍ୱାଳଙ୍କ ନେତୃତ୍ୱରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପରୀକ୍ଷାର୍ଥୀ ମାନଙ୍କର ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଆବଶ୍ୟକ ପି.ଇ.ଟି. ଶିକ୍ଷକ ଓ ଆର୍.ଆଇ. ପୋଲିସଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିଲା। ଶାରିରୀକ ଦକ୍ଷତା ପରୀକ୍ଷା ସମୟରେ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଯେପରି କୌଣସି ସ୍ୱାସ୍ଥ୍ୟଗତ ଦୁର୍ଘଟଣା ନ ଘଟେ ସେଥିପ୍ରତି ଜିଲ୍ଲା ପ୍ରସାଶନ ତରଫରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରାଯାଇଥିଲା। ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ସରୋଜ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ ଆନୁସଙ୍ଗିକ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ।