ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଦ୍ୱାରା ବନ୍ତ ବ୍ଲକ୍ରେ ଆଜି ଆୟୋଜିତ ଯୁଗ୍ମ ଜନ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍.ପି. ଚରଣ ସିଂ ମୀନା ସମୁଦାୟ ୫୪ଟି ଅଭିଯୋଗର ଶୁଣାଣି କରିଥିଲେ। ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅଧ୍ୟକ୍ଷ ବନ୍ତ ବ୍ଲକ୍ ମନୋରଞ୍ଜନ ଘଡ଼େଇ, ତହସିଲଦାର ସରୋଜ କୁମାର ନାୟକ, ବି.ଡ଼ି.ଓ. ଶୁଭ ଦର୍ଶନ ମିଶ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଶୁଣାଣି କରାଯାଇଥିବା ସମୁଦାୟ ୫୪ଟି ଅଭିଯୋଗ ମଧ୍ୟରୁ ୪୨ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବାବେଳେ ୧୨ଟି ସାମୂହିକ ସମସ୍ୟା ଭିତ୍ତିକ ଥିଲା। ରେଡ଼କ୍ରସ୍ ସମ୍ବନ୍ଧୀୟ ଜଣେ ଆବେଦନ କାରୀଙ୍କୁ ଚିକିତ୍ସା ସହାୟତା ପାଇଁ ୫୦୦୦ ଟଙ୍କାର ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ମଞ୍ଜୁର କରାଯାଇଥିଲା। ୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନ ପରିଚାଳନାରେ ସହଯୋଗ କରିଥିଲେ।