ଭଦ୍ରକ, ୨-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହିନ୍ଦୁ ମୁସଲିମ୍ ଭାଇଚାରାର ଜିଲ୍ଲା ଭଦ୍ରକରେ ଶାନ୍ତିଶୃଙ୍ଖଳାର ସହିତ ଇଦ୍-ଉଲ୍-ଜୁହା ପର୍ବ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରତିବର୍ଷ ପରି ପବିତ୍ର ଇଦ୍-ଉଲ-ଜୁହା (ବକରିଦ) ପର୍ବ ୩ ଦିନ ପାଳନ କରାଯିବା ନେଇ ସ୍ଥିର ହୋଇଥିବା ମୁସଲିମ ଜମାତ, ଭଦ୍ରକର ସଭାପତି ମହମ୍ମଦ ଅବଦୁଲ ବାରୀ ସୂଚନା ଦେବା ସହ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ଜମାତ ତରଫରୁ ନିଆଯାଇ ପଦକ୍ଷେପ ବିଷୟରେ ବୈଠକରେ ପ୍ରକାଶ କରିଥିଲେ। ଜୁଲାଇ ୧୦, ୧୧ ଓ ୧୨ ତିନି ଦିନ ଧରି ଏହି ପର୍ବ ପାଳନ କରାଯିବ। କୋଭିଡ଼୍ କଟକଣା ନଥିବାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ୍ଙ୍କ ସମାବେଶର ସମ୍ଭାବନା ଅଛି।୧୦ରେ କୁଆଁସର ଇଦ୍ଘା ମସଜିଦ୍ରେ ସାମୂହିକ ପ୍ରାର୍ଥନା କରାଯିବ।
ଭଦ୍ରକରେ ହିନ୍ଦୁ ମାନଙ୍କ ପର୍ବରେ ମୁସଲମାନ ସମ୍ପ୍ରଦାୟ ଓ ମୂସଲମାନଙ୍କ ପର୍ବରେ ହିନ୍ଦୁ ମାନଙ୍କର ପାରସ୍ପରିକ ସହଯୋଗ ଓ ସମର୍ଥନ ସାରା ବିଶ୍ୱ ପାଇଁ ଉଦାହରଣ ବୋଲି ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ପ୍ରକାଶ କରିଥିଲେ। ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳନ ପାଇଁ ନିଆଯିବାକୁ ଥିବା ସତର୍କତା ସଚେତନତା ସମ୍ପର୍କରେ ଏସ୍.ପି. ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ। ଏହି ପର୍ବ ପାଳନ ଅବସରରେ ବିଶେଷ କରି ସୋସିଆଲ ମିଡ଼ିଆର ଦୂରୁପଯୋଗ ଯେପରି ନହୁଏ ସେଦିଗରେ ସମସ୍ତେ ଯତ୍ନବାନ ହେଲାଭଳି ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଶାନ୍ତି ଶୃଙ୍ଖଳା ଭଙ୍ଗ ଜନିତ ଛୋଟରୁ ଛୋଟ ଯାହା ବି ଘଟଣା ଘଟିଲେ ପୋଲିସ୍ ବିଭାଗକୁ ତୁରନ୍ତ ଜଣାଇବା ପାଇଁ ମଧ୍ୟ କହିଥିଲେ। କମିଟି ସଦସ୍ୟ ମାନଙ୍କ ଆବଶ୍ୟକ ଅନୁଯାୟୀ ଇଦ୍ଘାରେ ସାମୂହିକ ସମାବେଶ ପାଇଁ ପାନୀୟ ଜଳ ବ୍ୟବସ୍ଥା, ନୀରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ, ସଫେଇ, ସନ୍ଥିଆ ବ୍ରିଜ ପାଖରୁ ଭଦ୍ରକାଳୀ ପର୍ଯ୍ୟନ୍ତ ଖରାପ ରାସ୍ତାର ଅସ୍ଥାୟୀ ମରାମତି ଆଦି ସମ୍ବନ୍ଧରେ ପଦକ୍ଷେପ ନିଆଯିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍.ଡ଼ି.ପି.ଓ ସଦର ପ୍ରଭାସ ଚନ୍ଦ୍ର ପାଲ, ଡ଼ି.ଏସ୍.ପି., ଡ଼ି.ଆଇ.ବି., କମଳ ଲୋଚନ ଭୂୟାଁ ଭଦ୍ରକ ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ସି.ଡ଼ି.ଭି.ଓ. ଡା. ଶୁଭେନ୍ଦୁ ମିଶ୍ର ମୁସଲିମ୍ ଜମାତ୍ର ସଦସ୍ୟ ସେକ୍ ସିରାଜୁଦ୍ଦିନ୍, ସେକ୍ ଆବୁକାଲାମ୍, ସେକ୍ ଅନୱାର ହୋସେନ୍, ହିନ୍ଦୁ ସୁରକ୍ଷା ସମିତିର ସମ୍ପାଦକ ପର୍ଶୁନାଥ ସାହୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।