– ୨୧ ମଇ ୧୯୩୦ ସ୍ମୃତି ଦିବସ ପାଳନ ଅବସରରେ
ଭାରତର ସ୍ୱାଧୀନତା ସହିତ ବହୁ ପ୍ରସିଦ୍ଧ ଘଟଣାବଳୀ ମଧ୍ୟରୁ ୧୯୩୦ ମସିହା ଲବଣ ସତ୍ୟାଗ୍ରହ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ଘଟଣା। ଖାଦ୍ୟରେ ଲୁଣର ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଅନେକ ସ୍ଥାନରେ ଚାଷ ସାଙ୍ଗକୁ ଚାଷୀଙ୍କର ଲୁଣମରା ଥିଲା ସହଜାତ ବୃତ୍ତି। ତେଣୁ ଭାରତୀୟମାନେ ସମୁଦ୍ର ଜଳରୁ ଲୁଣ ଉତ୍ପାଦନ କରି ଜୀବିକା ନିର୍ବାହ କରୁଥିଲେ। ଏହା ମଧ୍ୟ ସେମାନଙ୍କର ବଂଶାନୁକ୍ରମିକ ବୃତ୍ତି ଥିଲା। କିନ୍ତୁ ବ୍ରିଟିଶ ସରକାର ଲୁଣ ମାରିବା ନିଷେଧ କରି ଅନ୍ୟାୟ ଭାବେ ଏହା ଉପରେ କର ବସାଇଲେ। ଯାହାଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ବୋଝ ପଡିଲା। ଫଳରେ ୧୯୨୩ ମସିହାବେଳକୁ ଏହି କର ବଢି ଦୁଇଗୁଣା ହେଲା। ଲୋକମାନେ କର ଦେବାପାଇଁ ଅସମର୍ଥ ହେଲେ। ସେଥିପାଇଁ ସାମୂହିକ ସ୍ତରରେ ଅସନ୍ତୋଷ ବୃଦ୍ଧି ପାଇଲା। ତେଣୁ ୧୯୨୯ରେ ଲାହୋର ନଦୀ କୂଳରେ କଂଗ୍ରେସର ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଗ୍ରହଣକୁ ଅନୁସରଣ କରି ଗାନ୍ଧିଜୀ ସାଧାରଣ ଲୋକମାନଙ୍କ ଦୁଃଖ ଲାଘବ କରିବା ଉଦେଶ୍ୟରେ ଇଂରେଜ ସରକାରର ଅନ୍ୟାୟ ଭାବେ ବସାଯାଇଥିବା କର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ୧୯୩୦ ସମିହା ମାର୍ଚ୍ଚ ୧୨ ତାରିଖ ସକାଳ ସାଢ଼େ ଛଅଟା ବେଳେ ଗୁଜୁରାଟର ବିଖ୍ୟାତ ସାବରମତୀ ଆଶ୍ରମଠାରୁ ୭୮ ଜଣ ସତ୍ୟାଗ୍ରହୀଙ୍କୁ ସାଙ୍ଗରେ ନେଇ ୨୫ ଦିନରେ ୨୪୧ ମାଇଲ୍ ପଥ ଦାଣ୍ଡି ଯାତ୍ରା କରିଥିଲେ। ସେହି ସମୟରେ ସାବରମତୀ ଆଶ୍ରମରେ ଥିବା ଓଡିଶାର ଅନ୍ୟତମ ସଂଗ୍ରାମୀ ଶ୍ରୀ ମୋତି ବାଗ୍ ଦାସ ଯୋଗ ଦେଇଥିଲେ। ଗାନ୍ଧିଜୀ ଆରବସାଗର ତଟରେ ଦାଣ୍ଡି ଅଭିମୁଖେ ଯାତ୍ରା କରି ୧୯୩୦ ମସିହା ଏପ୍ରିଲ ୬ ତାରିଖ ଭୋରୁ ଭୋରୁ ସ୍ନାନ ସାରି ପ୍ରଥମେ ମୁଠାଏ ଲୁଣ ସଂଗ୍ରହ କଲେ। ଏହିଠାରୁ ବିଧିବଦ୍ଧ ଭାବେ ଆଇନ୍ ଅମାନ୍ୟ କରି ଲବଣ ସତ୍ୟାଗ୍ରହର ଶୁଭାରମ୍ଭ କରାଗଲା। ଓଡିଶାବାସୀ ଗାନ୍ଧିଜୀଙ୍କ ଆହ୍ୱାନରେ ଅନୁପ୍ରାଣୀତ ହୋଇ ଇଞ୍ଚୁଡି, କୁଜଙ୍ଗ, ହୁମା ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗ ନିକଟସ୍ଥ କୁହୁଡିଠାରେ ଲବଣ ସତ୍ୟାଗ୍ରହକୁ ସଫଳ କରାଇଥିଲେ। ପ୍ରାଦେଶିକ କଂଗ୍ରେସ କମିଟିର ନିଷ୍ପତ୍ତି ଅନୁଯାୟୀ ଅନେକ ନେତୃସ୍ଥାନୀୟ ବ୍ୟକ୍ତି ବିଭିନ୍ନ ସ୍ଥାନରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୁରୀ ଜିଲ୍ଲାର କୁହୁଡିଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ଲୁଣ ମରାଯାଇଥିଲା। ଲବଣ ସତ୍ୟାଗ୍ରହର ପୂର୍ବଦିନଠାରୁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସ୍ୱେଚ୍ଛାସେବକମାନେ ଆସି ପହଞ୍ଚିଥିଲେ। ସେମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ଓଳଙ୍ଗର ଗ୍ରାମରେ କରାଯାଇଥିଲା। ସେହି ଗ୍ରାମର ମୁଖ୍ୟ ବ୍ୟକ୍ତି ସ୍ୱର୍ଗତ ଭୂବନାନନ୍ଦ ସ୍ୱାଇଁ ସମସ୍ତଙ୍କର ରହିବା ଓ ଖାଇବା ଦାୟିତ୍ୱ ତୁଲାଇଥିଲେ। ପାଟଳଦା ଗ୍ରାମର ଅସ୍ତରଙ୍ଗର ଗାନ୍ଧୀ ନାମରେ ପରିଚିତ ପୂର୍ଣ୍ଣାନନ୍ଦ ସ୍ୱାଇଁ ସତ୍ୟାଗ୍ରହ ଆନ୍ଦୋଳନର ସମସ୍ତ ପରିଚାଳନା ଦାୟିତ୍ୱ ବହନ କରି ଗ୍ରାମେ ଗ୍ରାମେ ବୁଲି ପ୍ରଚାର ଚଳାଇଥିଲେ। ତାଙ୍କ ଉପରେ ପୁଲିସ୍ର କଡା ଦୃଷ୍ଟି ଥିବାରୁ ସେ କ୍ୟାମ୍ପ୍ରେ ନ ରହି ବିଳମ୍ବିତ ରାତ୍ରିରେ ଓଳଙ୍ଗର କ୍ୟାମ୍ପକୁ ଯାଇ ସମସ୍ତ ବିଷୟ ବୁଝୁଥିଲେ।
୧୯୩୦ ମସିହା ମଇ ମାସ ୨୧ ତାରିଖରେ ଲୁଣ ମରାଯିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ପ୍ରଥମ ଦିନର ପ୍ରଥମ ସତ୍ୟାଗ୍ରହୀ ରୂପେ ଗଙ୍ଗା ନାରାୟଣପୁର ଗ୍ରାମର ମଧୁସୂଦନ ମିଶ୍ରଙ୍କ ନାମ ସ୍ଥିର ହେଲା। ଏହିଦିନ ସକାଳୁ ସକାଳୁ କୁହୁଡି ପଡିଆ ଲୋକାରଣ୍ୟ। ହଜାର ହଜାର ପୁରୁଷ ଓ ମହିଳାଙ୍କ ସମାବେଶ। ଏହି ଅଂହିସା ସଂଗ୍ରାମରେ ପ୍ରଥମ ଲକ୍ଷ୍ୟଭେଦ କରିବେ ଯୁବକ ମଧୁସୂଦନ ମିଶ୍ର। କେତେବେଳେ ମଧୁବାବୁ ଆସିବେ ଆଇନ୍ ଭାଙ୍ଗି ଲୁଣ ମାରିବେ ଦେଖିବାକୁ ଲୋକେ ଉତ୍କଣ୍ଠାରେ ଚାହିଁ ରହିଥାନ୍ତି। ଓଳଙ୍ଗର କ୍ୟାମ୍ପରୁ ତାଙ୍କୁ ହଜାର ହଜାର ଲୋକଙ୍କ ଗହଣରେ ଫୁଲମାଳ ପିନ୍ଧାଇ ଭାରତ ମାତା କି ଜୟ, ମଧୁବାବୁ କି ଜୟ ଧ୍ୱନୀରେ ସମ୍ବର୍ଦ୍ଧନା ଜଣାଇ ସତ୍ୟାଗ୍ରହ ସ୍ଥାନ କୁହୁଡି ପଡିଆକୁ ଅଣାଗଲା। କୁହୁଡି ଗ୍ରାମ ନିକଟରେ ଥିବା ଲୁଣାନଦୀରୁ ପାଣି ଆଣି ନିଆଁ ଜଳାଗଲା। ଏହା ପୂର୍ବରୁ ଶହ ଶହ ବନ୍ଧୁକ ଓ ଲାଠିଧାରୀ ପୋଲିସ ସେଠାରେ ଜଗି ରହିଥଲେ। ସମସ୍ତ ବାଧା ପ୍ରତିବନ୍ଧକକୁ ଖାତିର ନ କରି ମଧୁବାବୁ ଲୁଣ ମାରିବାକୁ ଆଗୁଆ ହେଉଥିବାବେଳେ ପୋଲିସ ଫୌଜ ତାଙ୍କୁ ଗିରଫ କରିଥିଲା। ଉପସ୍ଥିତ ଥିବା ଅନ୍ୟ ସତ୍ୟାଗ୍ରହୀମାନେ ଜଣକ ପରେ ଜଣେ ଲୁଣ ମାରିବାକୁ ଅଗ୍ରସର ହେଲାବେଳେ ପୋଲିସ ନିଷ୍ଠୁର ଭାବେ ଲାଠି ଚାଳନା କରିଥିଲେ। ଲାଠିମାଡରେ ପୁରୀର ଜଗନ୍ନାଥ ରଥଙ୍କ ବାହୁ ଖସି ପଡିଲା। ବୋଲଗଡ ଅଞ୍ଚଳରୁ ଆସିଥିବା ବାନାମ୍ବର ପରିଡା ନାମକ ଏକ ଯୁବକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ବହୁ ଲୋକ କ୍ଷତବିକ୍ଷତ ହେଲେ। ଏଥିରେ ମହିଳା ସ୍ୱେଚ୍ଛାସେବୀମାନଙ୍କ ଉପରେ ପୁଲିସ ଆକ୍ରମଣ ଚଳାଇବାରୁ ପାଟଳଦା ଗ୍ରାମର ରାଧି ନାମଙ୍କ ଜଣେ ମହିଳା ନିଜର ପିନ୍ଧା ପିତଳ ଖଡୁ ସାହାଯ୍ୟରେ ତାହାର ପ୍ରତିଜବାବ ଦେଇଥିଲେ। ସଂଗ୍ରାମ କ୍ଷେତ୍ରରୁ ପଣ୍ଡିତ ନୀଳକଣ୍ଠ ଦାସ, ପୂର୍ଣ୍ଣାନନ୍ଦ ସ୍ୱାଇ, ଁ ଭୁବନାନନ୍ଦ ସ୍ୱାଇଁ, ବାଳକୃଷ୍ଣ ସ୍ୱାଇଁ, ଜଗନ୍ନାଥ ରଥ, ପୁରୁଷୋତ୍ତମ ମୁଦୁଲିି ଗିରଫ ହେଲେ। ପରବର୍ତ୍ତୀ ସମୟରେ କାକଟପୁର ଅଞ୍ଚଳର ଅନ୍ୟତମ କଂଗ୍ରେସ ନେତା ଗତିକୃଷ୍ଣ ସ୍ୱାଇଁ, ବାଲେଶ୍ୱରର ଇଞ୍ଚୁଡିରୁ ଆସି କୁହୁଡିଠାରେ ଆନ୍ଦୋଳନ ଚଳାଇ ଗିରଫ ହୋଇଥିଲେ। ଏହି ସମୟରେ ଅସ୍ତରଙ୍ଗର ସ୍ୱର୍ଗତ ସୋବନୀ ଛାଟୋଇ, ଶ୍ରୀନିବାସ ମହାରଣା, ଗୋପୀ ମୁଦୁଲି, ନଟରାର ଭଗବାନ ସ୍ୱାଇଁ, ଜଗନ୍ନାଥ ପରିଡା, ନୀଳକଣ୍ଠ ସ୍ୱାଇଁ, ଗୁଡୁବଣାଇର ରାଜୀବ ନାୟକ, କୁହୁଡିର ଭାଗବତ ନାୟକ, ଆଙ୍କୁଅର କଣ୍ଠ ମହାରଣା, ଅଠତିରାର କାଙ୍ଗାଳୀ ଚରଣ ମହାନ୍ତି, ଡେରୁଣିଆର ଜୟରାମ ସେନାପତି ପ୍ରମୁଖ ଅଂଶ ଗ୍ରହଣ କରି ଗିରଫ ହୋଇଥିଲେ। କୁହୁଡି ପଡିଆ ସେଦିନ ଏକ ତୀର୍ଥଭୂମୀରେ ପରିଣତ ହୋଇଥିଲା। ଲୋକେ ସେହି ତୀର୍ଥଭୂମୀର ମାଟିକୁ ନେଇ ଶିରରେ ଲଗାଇ ନିଜକୁ ଧନ୍ୟ ମଣିଲେ। କିନ୍ତୁ ସେ ଦିନର ସ୍ମୃତି ହଜି ଯାଇଥିଲେ ମଧ୍ୟ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଏହା ଚିରସ୍ମରଣୀୟ ହୋଇରହିବ। ସେହି ପ୍ରାତଃସ୍ମରଣୀୟ ପୂର୍ବସୁରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜାତିପ୍ରୀତି ସଦାସର୍ବଦା ଦେଶମାତୃକାର ସେବା ପାଇଁ ସମସ୍ତଙ୍କର ପ୍ରେରଣାର ଉତ୍ସ ହୋଇରହିଛି।
ସେହି ସମୟର ସ୍ମୃତିକୁ ଉଜ୍ଜିବୀତ କରି ରଖିବା ପାଇଁ କାକଟପୁର-ଅସ୍ତରଙ୍ଗ ଅଞ୍ଚଳର କେତେକ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀ ଯୁବକ ସ୍ମୃତି କମିଟି ଗଠନ କରିଥିଲେ। ସ୍ୱର୍ଗତ ଅଭିମନ୍ୟୁ ମୁଦୁଲି, ଅର୍ଜୁନ ଦାସ, ବ୍ରହ୍ମାନନ୍ଦ କର ପ୍ରମୁଖ ଏହି କମିଟିର ପ୍ରତିଷ୍ଠାତା। ଯେଉଁ ଅନୁଷ୍ଠାନଟି ଯେଉଁ ମହାନାୟକଙ୍କ ଦ୍ୱାରା ଗଢିଉଠିଥିଲା ତାହା ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ନାମରେ ପରିଚିତ ରହି ପ୍ରତିବର୍ଷ ମଇ ୨୧ ତାରିଖ ଦିନ ଏହି ଐତିହାସିକ ବୀର ମାଟିରେ ସ୍ମୃତି ଚାରଣ କରିଆସୁଅଛି। ସେମାନଙ୍କ ଅବର୍ତ୍ତମାନରେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଦିଗ୍ଦର୍ଶନ ଏହି ବୀରମାଟିର ସୁରକ୍ଷା ପାଇଁ ଶତତ ପ୍ରଚେଷ୍ଟା କରାଯାଇଅଛି। କିନ୍ତୁ ଉଡିଯାଇଛି କର୍ପୁର, ପଡିରହିଛି କନା। ଯେଉଁଠି ମୁଠାଏ ଲୁଣ ଗୋଟାଏ ପରାକ୍ରମଶାଳୀ ବ୍ରିଟିଶ୍ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା ସେହି ଅଂହିସା ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହୋଇଥିବା ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଆମ ଅଞ୍ଚଳବାସୀଙ୍କୁ ସଦାସର୍ବଦା ବୀରତ୍ୱ ମାର୍ଗରେ ଅନୁପ୍ରାଣିତ କରିଆସୁଅଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସ୍ମାରକୀ ସଂଗ୍ରାମୀ ପୀଠର ପୁନରୁଦ୍ଧାର ଓ ପୂର୍ବ ଦାୟାଦମାନଙ୍କ ପାଇଁ ପ୍ରେରଣାର ବାର୍ତ୍ତା ବହନ ଦିଗରେ ଏକ ନୂତନ ସ୍ୱପ୍ନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର କର୍ମକର୍ତ୍ତା ମାନେ ସରକାରଙ୍କ ଆର୍ôଥକ ସହାୟତା କ୍ରମେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ଚାଲିଛନ୍ତି। ଦଳମତ ନିର୍ବିଶେଷରେ ଏହି ଅଞ୍ଚଳର ଜନପ୍ରତିନିଧି ଓ ସମାଜସେବୀମାନଙ୍କ ସମ୍ମିଳିତ ଉଦ୍ୟମରେ କିପରି ଏହି ପବିତ୍ର ପୀଠଟି ସରକାରୀସ୍ତରରେ ଜାତୀୟମାନ୍ୟତା ପାଇପାରିବ। ପ୍ରତି ବର୍ଷ ମେ ୨୧ ସ୍ମାରକୀ ଦିବସକୁ ସରକାରୀ ସ୍ତରରେ ପାଳନ କରାଯିବ। ସ୍ମୃତିପୀଠର ସୁରକ୍ଷା ପାଇଁ ଚତୁଃପାଶ୍ୱର୍ରେ ସୁଉଚ୍ଚ ପ୍ରାଚୀର ନିର୍ମାଣ, ଉଦ୍ୟାନ ବାଟିକା, ସ୍ଥାୟୀ ହାଇମାକ୍ସ ଲାଇଟ୍ ସ୍ଥାପନ, ଶୀତତାପ ନିୟନ୍ତ୍ରିତ ଅଡିଟୋରିୟମ ନିର୍ମାଣ, ଅସ୍ତରଙ୍ଗ ବଜାରଠାରୁ କୁହୁଡି ଗ୍ରାମ ଦେଇ କୁହୁଡି ସ୍କୁଲ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ, ୧୯୪୩ ମସିହା ମାର୍ଚ୍ଚ ୮ ତାରିଖରେ ପ୍ରତିଷ୍ଠା କରାଯାଇଥିବା ଅସ୍ତରଙ୍ଗ ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ଲିଃର ପୁନରୁଦ୍ଧାର ଏବଂ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିବା ଏହି ଅଞ୍ଚଳର ପୂର୍ବସୁରୀମାନଙ୍କ ଦାୟାଦମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି।
ଆଜିର ଦିନରେ ଦଳମତ ନିର୍ବିଶେଷରେ ଜାତୀୟ ସଂହତି ଓ ଏକତା ପ୍ରତିଷ୍ଠା ସହ ଏହି ଐତିହାସିକ ବୀରମାଟି କୁହୁଡ଼ି ପୀଠର ସାମଗ୍ରୀକ ବିକାଶ ପାଇଁ ସଂକଳ୍ପ ନେଲେ ତାହା ହିଁ ହେବ ଦିବଂଗତ ସଂଗ୍ରାମୀମାନଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ।
ଅମୀୟ କୁମାର ପଟ୍ଟନାୟକ
କାର୍ଯ୍ୟକାରୀ ସଭାପତି
ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି
ସା- କଣ୍ଟାପଡା, ପୋ- ନମାରୋ
ଭାୟା- ଅସ୍ତରଙ୍ଗ, ଜି- ପୁରୀ