ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଲେଜରେ ପାଠ ପଢି ନାହାନ୍ତି ସତ। ମାତ୍ର ଓଡିଆ ଭାଷା ସାହିତ୍ୟରେ ଦକ୍ଷତା ଓ ପ୍ରବୀଣତା ଯୋଗୁଁ +୨, +୩ ଓ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁଛନ୍ତି ଗୋଲକ ଚନ୍ଦ୍ର ମହାନ୍ତି। ପ୍ରାଥମିକ ଶିକ୍ଷକ ଭାବେ ୩୦ ବର୍ଷ ଧରି ଅବସର ଗ୍ରହଣ କଲେଣିି ଗୋଲକ ସାର। ମାତ୍ର କର୍ମ ଚଞ୍ଚଳତା, ପ୍ରବୃତ୍ତି ଓ ଦକ୍ଷତା ଯୋଗୁଁ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପାଇଁ ଆଜି ବି ଶିକ୍ଷାଦାନ ଉପଯୋଗୀ ହୋଇ ରହିଛନ୍ତି। ସ୍ୱଭାବ କବି ଗଙ୍ଗାଧର ମେହେର ଓ କବିବର ରାଧାନାଥ ରାୟଙ୍କ ସମେତ ଫକୀର ମୋହନ ସେନାପତି, ଅଭିମନ୍ୟୁ ସାମନ୍ତସିଂହାରଙ୍କ କାବ୍ୟକୃତୀ ଉପରେ ଗୋଲକ ସାରଙ୍କ ପ୍ରବୀଣତା ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି। ୧୯୩୪ ମସିହାରେ ଭଣ୍ଡାରିପୋଖରୀ ବ୍ଲକର ରଣଜିତ ପଞ୍ଚାୟତ ଅନ୍ତର୍ଗତ ମାଳିପଦୀ ଗ୍ରାମରେ ଜନ୍ମିତ ଗୋଲକ ସାର ସରସଦା ମାଇନର ସ୍କୁଲରେ ୧୯୫୯ ମସିହାରେ ଶିକ୍ଷକ ବୃତ୍ତିରେ ଯୋଗ ଦେଇଥିଲେ। ୧୯୬୦ ମସିହାରେ ଯାଜପୁର ବିରଜା ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିଥିଲେ।
ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ୧୯୯୨ ମସିହାରେ ଅବସରଗ୍ରହଣ କରି ଗ୍ରାମରେ ବସବାସ କରିବା ସହ ଏକ ଚାଳିଆରେ ଶିକ୍ଷାଦାନ କରୁଛନ୍ତି ଗୋଲକ ସାର। ଶିକ୍ଷକତା ସହ କାବ୍ୟ ପୁସ୍ତକ ଓ ପାଲା ପୁସ୍ତକ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ। ‘ମା ମଙ୍ଗଳା, ‘ସୀତା ସନ୍ତକ’, ‘ନିତି ଶତକ’, ‘ଅଭିଶପ୍ତ ପାଣ୍ଡବ’, ‘ଉର୍ବଶୀଙ୍କ ଅଭିଶାପ’, ‘ଗୁଣବନ୍ତ ପୁଅ’, ‘ଅଷ୍ଟସିଦ୍ଧି’ ଆଦି ବହୁ କାବ୍ୟ ରଚନା ପ୍ରକାଶିତ ହୋଇଛି। ଓଡିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ସ୍ମାର୍ଟ କଟକ, ମୟୁରଭଞ୍ଜ ବଡସାହି ବାଣୀପୀଠ, ପୁରୀ ବାଣୀପ୍ରଭା, ଯାଜପୁର ସାହିତ୍ୟ ଗୌରବ, ଢେଙ୍କାନାଳ ଜିଜ୍ଞାସା ପରିବାର, ପିପିଲି ଶିଶୁ ଦରବାର, ସମ୍ବଲପୁର ସାହିତ୍ୟ ଅନୁଷ୍ଠାନ ଆଦି ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ସହଧର୍ମିଣୀ ମାଳତୀ, ଶିକ୍ଷକତା କରୁଥିବା ବଡପୁଅ ଓ ଡାକ୍ତର ଥିବା ସାନପୁଅଙ୍କୁ ନେଇ ଗୋଲକ ସାରଙ୍କ ସଂସାର। ଗ୍ରାମ୍ୟ ଜୀବନ, ଶିକ୍ଷକତା, ସମାଜସେବା, ସାହିତ୍ୟ ରଚନାକୁ ଜାବୋଡି ଧରିଥିବା ଗୋଲକ ସାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରଖିବେ ବୋଲି ପ୍ରକାଶ କରନ୍ତି।