ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଶ୍ ସମ୍ମୁଜଳ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ । ଗୌରବମୟ ଏହାର ସ୍ମୃତି ଓ ସଫଳତାର କାହାଣୀ । ତେବେ ଓଡ଼ିଆ ସିନେ ଜଗତର କଳାକାରମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ବାଲେଶ୍ୱରରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ମାଧବ ପରିଡାଙ୍କ ସଂପାଦନାରେ ପ୍ରକାଶ ପାଉଥିବା ଦ୍ୱିମାସିକ ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ସଂସ୍କୃତିର ମୁଖପତ୍ର ‘ଚିତ୍ର ଦର୍ପଣ’ ପତ୍ରିକାର ନବମ ସାମ୍ବତ୍ସରିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ଭଦ୍ରକର ସହୀଦସ୍ମୃତି ଭବନରେ ଦିବସବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । କବି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ ଡ. କୁମାର ଗୋପାଳ ସଭାପତିତ୍ୱ କରିଥିବାବେଳେ ଶ୍ରୀ ପରିଡା ସଂପାଦକୀୟ ବିବରଣୀ ପାଠ କରିଥିଲେ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ନିହାର ଦାସ ମୁଖ୍ୟବକ୍ତା ଓ ପଣ୍ଡିତ ଦୈତାରି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଦ୍ୱିତୀୟ ଅଧିବେଶନରେ କବୟିତ୍ରୀ ତଥା ‘ରୂପାୟନ’ ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶିକା ଶ୍ରଦ୍ଧାଞ୍ଜଳି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ମୁଖ୍ୟ ଅତିଥି, ସାହିତ୍ୟିକ ଅଭୟ ଦାସ ମୁଖ୍ୟବକ୍ତା, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ମୋଗଲ ତାମସାର ବାଦଲ ସିକ୍ଦାର ଓ ରାଉତରାୟ ମିନତୀ ଲେଙ୍କା ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ ।
ଏହି ଅବସରରେ ଆମ ରାଜ୍ୟ ଓ କୋଲକାତା ଭଳି ପଡୋଶୀ ରାଜ୍ୟର ବହୁ ବିଶିଷ୍ଟ କଳାକାର, ସାହିତ୍ୟିକ, ସାମ୍ବାଦିକ ଓ କବିଙ୍କ ଭଳି ପ୍ରତିଭାଧରଙ୍କ ମଧ୍ୟରେ ଶଙ୍କରବସୁ ମଲ୍ଲିକ, ବାଦଲ ସିକ୍ଦାର, କବି ତଥା ସାମ୍ବାଦିକ ପ୍ରମୋଦ ରାୟ, ବରିଷ୍ଠ ସାମ୍ବାଦିକ ନିହାର ଦାସ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, କବୟିତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, ଚନ୍ଦ୍ରକାନ୍ତ ନାୟକ, ପଣ୍ଡିତ ଦୈତାରି ମହାପାତ୍ର, ଅସିତ୍ ପତି, ମହମ୍ମଦ ମୁର୍ସିଦ୍, ସୁବାଷ ରାମ, ଇନ୍ଦ୍ରଜିତ୍ ଘୋଷ, ସଜଲ ଚାଟାର୍ଜୀ, ଜିନିଆ ଲାହେରୀ, ବିଶାଲ ଦ୍ୱିବେଦୀ, ଅଗ୍ନି ରାଜକିଶୋର, ଡ. କୁମାର ଗୋପାଳ, ରାଉତରାୟ ମିନତୀ ଲେଙ୍କା, କଣ୍ଠଶିଳ୍ପୀ ସୁମତୀ ପଣ୍ଡା, ଡାକ୍ତର ଚିନ୍ମୟ ବେହେରା, ସମାଜସେବୀ ରାମଚନ୍ଦ୍ର ବେହେରା, ସୀତାଂଶୁ ଶେଖର ମହାପାତ୍ର, ପୁନମ ନାହାଟା, ରମାକାନ୍ତ ଦାସ, ମନମୋହନ ଶର୍ମା, ପ୍ରବୀଣ କୁମାର, ଇନାତ ଅଲ୍ଲୀ ଖାଁ, ଦେବେନ୍ଦ୍ର ସିଂଙ୍କ ଭଳି ବହୁ କୃତବିଦ୍ୟ ସୁନାମଧନ୍ୟ ଅଭିନେତା ଓ ଅଭିନେତ୍ରୀ, ନାଟ୍ୟକାର ତଥା ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ପରିଡାଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ଚଳଚ୍ଚିତ୍ର ‘ପତଙ୍ଗ’ ର ପୋଷ୍ଟର ଉନ୍ମୋଚିତ ହୋଇଥିଲା । ଚିତ୍ରଦର୍ପଣର ସଭାପତି ପ୍ରଦୀପ ଚାଟାର୍ଜୀଙ୍କ ପରିଚାଳନାରେ ସଂପାଦିତ ଉତ୍ସବ ଶେଷରେ ପରିଚାଳନା ସଂପାଦକ ସୂର୍ଯ୍ୟକାନ୍ତ ସେଣ୍ଢ ଧନ୍ୟବାଦ ଦେଇଥିଲେ ।