ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାର କରଞ୍ଜମାଳ ପଂଚାୟତରେ ସରପଂଚ ଏବଂ ସମିତିସଭ୍ୟ ପଦବୀକୁ ନେଇ ଶାସକ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହି କଥା ମାନିବାକୁ ଶାସକ ଦଳ ଅରାଜି । ଅନ୍ୟ ପକ୍ଷରେ ଗୋଟିଏ ଦଳ ନିଜର ବାହୁବଳ ଦେଖାଇବା ପାଇଁ ନିଜର କିଛି ହାତଗଣତି ଲୋକ ମାନଙ୍କୁ ନେଇ ଚାନ୍ଦବାଲି ବିଧାୟକଙ୍କ ଭେଟିଛନ୍ତି । ଖବରରୁ ଜଣାଯାଇଛି କରଞ୍ଜମାଳ ପଂଚାୟତରେ ପୂର୍ବତନ ସରପଂଚ ତଥା ଧାମରା ୮ପଂଚାୟତର ଶାସକ ଦଳର ଦାୟିତ୍ୱରେ ଥିବା ସଭାପତି ରମେଶ ନାୟକ ସମସ୍ତ କର୍ମୀ ମାନଙ୍କୁ ଆମନ୍ତ୍ରଣ କରି ଏକ ସଭା ଡକାଇଥିଲେ । ଏହି ଆୟୋଜିତ ସଭାରେ ରମେଶ ନାୟକ ଉପସ୍ଥିତ ଥିବା ସହ ସେହି ପଂଚାୟତର ପୂର୍ବତନ ସମିତିସଭ୍ୟ ବାବୁଲି ବେହୁରା ମଧ୍ୟ ଉପସ୍ଥିତ ଥିଲେ । ବାବୁଲି ବେହୁରା ନିଜ ପକ୍ଷରୁ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ନିଜ ସ୍ତ୍ରୀକୁ ସରପଂଚ ପଦବୀ ପାଇଁ ଆଶାୟୀ ବୋଲି କହିବା ସହ ସମସ୍ତଙ୍କୁ ସମର୍ଥନ କରିବା ପାଇଁ କହିଥିଲେ । ଏହି କଥା ଶୁଣିବା ପରେ ଉପସ୍ଥିତ ଜନତା ହଙ୍ଗାମା ଆରମ୍ଭ କରିବା ସହ କୌଣସି ପରିସ୍ଥିତିରେ କରଞ୍ଜମାଳ ଜନତା ବାବୁଲି ବେହୁରାଙ୍କ ସ୍ତ୍ରୀକୁ ସମର୍ଥନ କରିବେ ନାହିଁ ବୋଲି ମତପ୍ରକାଶ କରିଥିଲେ ।ଉପସ୍ଥିତ ଶତାଧିକ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିବା ବେଳେ ସମସ୍ତ ରନ୍ଧା ଦ୍ରବ୍ୟ ନଷ୍ଟ ହୋଇଥିଲା । ଏହି କଥାକୁ କେନ୍ଦ୍ର କରି ବାବୁଲି ବେହୁରାଙ୍କ ସମର୍ଥକ ଆଜି ଚାନ୍ଦବାଲିରେ ବିଧାୟକଙ୍କୁ ଭେଟି ନିଜର ବାହୁବଳ ଦେଖାଇବା ସହ ବାବୁଲି ବେହୁରାଙ୍କ ସ୍ତ୍ରୀ ସରପଂଚ ପଦବୀ ପାଇଁ ଆଶାୟୀ ବୋଲି କହିଥିଲେ । ମାତ୍ର ଚାନ୍ଦବାଲି ବିଧାୟକ କୌଣସି ପରିସ୍ଥିତିରେ ଦଳ ମଧ୍ୟରେ ବିଶୃଙ୍ଖଳା ଆଚରଣ କରୁଥିବା ଲୋକ ମାନଙ୍କ ସ୍ଥାନ ନାହିଁ, ଜରୁରୀ ପଡିଲେ ବିଶୃଙ୍ଖଳା ଆଚରଣ ଦେଖାଉଥିବା ବ୍ୟକ୍ତି ମାନଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ଚେତାବନୀ ଦେଇଥିଲେ । କରଞ୍ଜମାଳ ପଂଚାୟତରେ ପୂର୍ବତନ ସମିତିସଭ୍ୟ ତଥା ଚାନ୍ଦବାଲି ବ୍ଲକର ଭାଇସ ଚେୟାରମେନ ଧାମରା ବନ୍ଦର ମଧ୍ୟରେ ଠିକାଦାରୀ କରିବା ପାଇଁ ଶାସକ ଦଳକୁ ହାତବାରିସୀ କରି କ୍ଷମତାକୁ ଆସିବା ପାଇଁ ଲାଳିତ୍ୟ ବୋଲି ସର୍ବସାଧରଣରେ ଚର୍ଚ୍ଚା ଚାଲିଛି ।
Home ଜିଲ୍ଲା ପରିକ୍ରମା କରଞ୍ଜମାଳରେ ସରପଂଚ ପଦବୀକୁ ନେଇ ଶାସକ ଦଳ ଦୁଇଫାଳ, ବିଧାୟକଙ୍କୁ ଭେଟି ନିଜର ବାହୁବଳ ଜଣାଇଲେ,...