• ୧ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ ସମେତ ମୋଟ ୭ ପଦକ ସହିତ ଟୋକିଓ ଅଲିମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପଦକ ଜିତିବାର ରେକର୍ଡ ସ୍ଥାପନ କଲା ଭାରତ
• ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ; ଆଥଲେଟିକ ଶୃଙ୍ଖଳାରେ ପ୍ରଥମ ପଦକ
• ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତ ଏ ପର୍ଯ୍ୟନ୍ତ ସର୍ବାଧିକ ୧୯ ପଦକ ହାସଲ କଲା
• ୭୨ ଆଥଲେଟ/କୋଚଙ୍କୁ ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଗଲା
• ଆଥଲେଟିକ୍ସରେ ପ୍ରଦାନ କରାଯାଉଥିବା କ୍ରୀଡ଼ା ଔଷଧ ଓ ଥଇଥାନ ସହାୟତାକୁ ସୁବ୍ୟବସ୍ଥିତ କରିବା ସକାଶେ ସେଣ୍ଟ୍ରାଲ ଆଥଲେଟ ଇଞ୍ଜୁରି ମ୍ୟାନେଜମେଣ୍ଟ ସିଷ୍ଟମର (ସିଏଆଇଏମ୍ଏସ୍) ଶୁଭାରମ୍ଭ
• ରାଷ୍ଟ୍ରୀୟ ଡୋପ ପରୀକ୍ଷଣ ପ୍ରୟୋଗଶାଳା (ଏନଡିଟିଏଲ) ବିଶ୍ୱ ଡୋପିଙ୍ଗ-ନିରୋଧ ଏଜେନ୍ସି (ଡବ୍ଲ୍ୟୁଏଡିଏ)ର ମାନ୍ୟତା ପ୍ରାପ୍ତ କଲା
• ୧୧୪.୩୦ କୋଟି ଟଙ୍କାର ମୋଟ ବଜେଟ ଆକଳନରେ ୭ ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ କେନ୍ଦ୍ରର ଶୁଭାରମ୍ଭ
• କୋଭିଡ-୧୯ ସମୟରେ ପୂର୍ବ-ଅନ୍ତଃରାଷ୍ଟ୍ରୀୟ ଆଥଲେଟ ଓ କୋଚଙ୍କୁ ଚିକିତ୍ସା, ଆର୍ଥିକ ଓ ପରିବହନ ସହାୟତା ପ୍ରଦାନ ଲାଗି ବିଶେଷ ସହାୟତା ପ୍ରକୋଷ୍ଠ ପ୍ରସ୍ତୁତ କରାଯାଇଛି
୨୦୨୧ ବର୍ଷରେ କ୍ରୀଡ଼ା ବିଭାଗର ପ୍ରମୁଖ ବିଶେଷତ୍ୱଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା:
ଟୋକିଓ ଅଲିମ୍ପିକ, ୨୦୨୦ରେ ଭାରତର ପ୍ରଶଂସନୀୟ ପ୍ରଦର୍ଶନ:
– ଅଲିମ୍ପିକ୍ସ, ୨୦୨୦ରେ ଭାରତ ମୋଟ ୭ ପଦକ ଜିତିଲା, ଯାହା କୌଣସି ଅଲିମ୍ପିକରେ ଦେଶ ପାଇଁ ସର୍ବାଧିକ; ଭାରତ ୧ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ହାସଲ କରିଥିଲା।
– ୨୪.୦୭.୨୦୨୧ରେ ୪୯ କିଲୋ ଭାରୋତ୍ତୋଳନରେ ସୁଶ୍ରୀ ମିରାବାଈ ଚାନୁ ରୌପ୍ୟ ପଦକ ହାସଲ କରିଥିଲେ, ଯାହା ଅଲିମ୍ପିକ୍ସରେ ଭାରୋତ୍ତୋଳନ ଶୃଙ୍ଖଳାରେ ଦ୍ୱିତୀୟ ପଦକ।
– ସୁଶ୍ରୀ ଲଭଲିନା ବୋରୋଗେନ ୩୦.୦୭.୨୦୨୧ରେ ୱେଲ୍ଟର ୱେଟ ବକ୍ସିଙ୍ଗରେ କାଂସ୍ୟ ବିଜୟୀ ହୋଇଥିଲେ।
ଟୋକିଓ ଅଲିମ୍ପିକ୍ସ, ୨୦୨୦ରେ ଭାରତର ପ୍ରଶଂସନୀୟ ପ୍ରଦର୍ଶନ (ଜାରି…) ୧୯୮୦ ଅଲିମ୍ପିକ୍ସ ପରେ ଅର୍ଥାତ ୪୧ ବର୍ଷ ପରେ ଟୋକିଓ, ୨୦୨୦ରେ ହକି ପୁରୁଷ ଟିମ କାଂସ୍ୟ ପଦକ ହାସଲ କଲା।
– ନିରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ, ଯାହା କି ଆଥଲେଟିକ ଶୃଙ୍ଖଳାରେ ପ୍ରଥମ ପଦକ ଥିଲା ଏବଂ ଅଲିମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିବାରେ ସେ ଦ୍ୱିତୀୟ ଭାରତୀୟ।
– ସୁଶ୍ରୀ ପି ଭି ସିନ୍ଧୁ ମହିଳା ସିଙ୍ଗଲ ବ୍ୟାଡମିଣ୍ଟନରେ କାଂସ୍ୟ ଜିତିଥିଲେ। ଏହାଦ୍ୱାରା ସେ ଲଗାତର ଦୁଇଟି ଅଲିମ୍ପିକ୍ସରେ ଦ୍ୱିତୀୟ ଅଲିମ୍ପିକ ପଦକ ବିଜୟିନୀ ହୋଇପାରିଥିଲେ।
– ଭାରୋତ୍ତୋଳନରେ ଶ୍ରୀ ରବି ଦାହିୟା ୫୭ କିଲୋ ପୁରୁଷ ବର୍ଗରେ ରୌପ୍ୟ ପଦକ ଜିତିଥିଲେ ଏବଂ ୬୫ କିଲୋ ପୁରୁଷରେ ଶ୍ରୀ ବଜରଙ୍ଗ ପୁନିଆ କାଂସ୍ୟ ହାସଲ କରିଥିଲେ।
ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତର ଚମତ୍କାର ପ୍ରଦର୍ଶନ:
– ୯ଟି ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ରେକର୍ଡ ସଂଖ୍ୟକ ୫୪ ପାରା ଆଥଲେଟ ଅଂଶଗ୍ରହଣ କରିଥିଲେ। ଟୋକିଓ ପାରାଲିମ୍ପିକ୍ସରେ ଭାରତର ୧୯ଟି ପଦକ ଜିତିଥିଲା। ଟୋକିଓ ପୂର୍ବରୁ ସମସ୍ତ ପୂର୍ବ ଅଲିମ୍ପିକ୍ସରେ ଭାରତ ମୋଟ ମାତ୍ର ୧୨ଟି ପଦକ ଜିତିପାରିଥିଲା।
– ପାରାଲିମ୍ପିକ ପଦକ ସାରଣୀରେ ଭାରତ ଏହାର ସର୍ବାଧିକ ର୍ୟାଙ୍କିଙ୍ଗ (୨୪ତମ) ହାସଲ କରିଥିଲା। ପୂର୍ବ ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗ ୨୫ତମ ଥିଲା, ଯାହା ୧୯୭୨ରେ ଦେଖିବାକୁ ମିଳିଥିଲା।
ଜାତୀୟ କ୍ରୀଡ଼ା ପୁରସ୍କାର: କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାକୁ ସମ୍ମାନିତ ଓ ପୁରସ୍କୃତ କରିବା ସକାଶେ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଏ ବର୍ଷ, ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ୨୦୨୧ ନଭେମ୍ବର ୧୩ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୭୨ ଉକ୍ରୃଷ୍ଟ ଆଥଲେଟ/କୋଚଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଜାତୀୟ କ୍ରୀଡ଼ା ପୁରସ୍କାର, ୨୦୨୦ ବିଜେତାଙ୍କୁ ସାକ୍ଷାତ ଓ ସମ୍ମାନିତ ପାଇଁ ୨୦୨୧ ନଭେମ୍ବର ୧ରେ ନୂଆଦିଲ୍ଲୀରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ପୁରସ୍କାରଗୁଡ଼ିକର ବିଜେତାମାନେ ଗତବର୍ଷ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗଦ ରାଶି ପୁରସ୍କାର ସ୍ୱରୂପ ଗ୍ରହଣ କରିଥିଲେ, ଯାହା କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଭର୍ଚୁଆଲ ଭାବେ ଆୟୋଜନ କରାଯାଇଥିଲା, କିନ୍ତୁ ସେମାନେ ଟ୍ରଫି ଓ ମାନପତ୍ର ହାସଲ କରିପାରି ନ ଥିଲେ, ଯାହାକୁ ସେମାନେ ଏହି କାର୍ଯ୍ୟକ୍ରମରେ ପାଇଛନ୍ତି।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ଏସଏଆଇ) ସଂସ୍ଥାଗତ ପୁରସ୍କାର: ଜବାହରଲାଲ ନେହରୁ ଷ୍ଟାଡିୟମ, ନୂଆଦିଲ୍ଲୀରେ ୨୦୨୧ ନଭେମ୍ବର ୧୭ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ୨୪୬ ଆଥଲେଟ ଓ କୋଚଙ୍କୁ ପ୍ରଥମ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ଏସଏଆଇ) ସଂସ୍ଥାଗତ ପୁରସ୍କାର ପ୍ରଦାନ କରିଥିଲେ। ୨୦୧୬-୧୭, ୨୦୧୭-୧୮, ୨୦୨୮-୧୯ ଓ ୨୦୧୯-୨୦ ବର୍ଷ ନିମନ୍ତେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରୋତ୍ସାହନ ସ୍କିମ ଅଧୀନରେ ଅସାଧାରଣ ପ୍ରଦର୍ଶନ ଲାଗି ଏହିସବୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଫିଟ୍ ଇଣ୍ଡିଆ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ:
– ଫିଟ ଇଣ୍ଡିଆ ଫ୍ରିଡମ ରନ ଅଗଷ୍ଟ ୧୩ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା
– ଅଗଷ୍ଟ ୨୯ରେ ଫିଟ ଇଣ୍ଡିଆ ମୋବାଇଲ ଆପ ଶୁଭାରମ୍ଭ କରାଯାଇଥିଲା। ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ଡାଉନଲୋଡ ନିମନ୍ତେ ଏହା ଉପଲବ୍ଧ
– ଫିଟ ଇଣ୍ଡିଆ କୁଇଜ ଆୟୋଜିତ
ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତମାନଙ୍କୁ ସହାୟତା: ୨୨.୦୭.୨୦୨୧ରେ କ୍ରୀଡ଼ା ବିଭାଗ ଏକ ନୂଆ ପଦକ୍ଷେପ ଆରମ୍ଭ କରିଥିଲା, ଯାହା ଦ୍ୱାରା ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ ଏବଂ ଏସିଆନ, ରାଜ୍ୟଗୋଷ୍ଠୀ ଅଥବା ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ପ୍ରାର୍ଥୀମାନେ ଆଇଆଇଏମ ରୋହତକ ଦ୍ୱାରା ପରିଚାଳିତ ଏକଜିକ୍ୟୁଟିଭ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ ସ୍ପୋର୍ଟସ ମ୍ୟାନେଜମେଣ୍ଟ (ଇପିଜିଡିଏସଏମ) କାର୍ଯ୍ୟକ୍ରମରେ ଅଧ୍ୟୟନ କରିପାରିବେ। ଇପିଜିଡିଏସଏମ ପାଠ୍ୟକ୍ରମ ଆରମ୍ଭ ତାରିଖ ଯାହା କି ୨୦୨୧ ସେପ୍ଟେମ୍ବରୁ ୨୦୨୬ ସେପ୍ଟେମ୍ବର ୫ ବର୍ଷ ନିମନ୍ତେ ଏହି ସହାୟତା ଜାରି ରହିବ, ଏବଂ ପ୍ରାର୍ଥୀ ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ପୁନଃ ଡବ୍ଲ୍ୟୁଏଡିଏ ମାନ୍ୟତା ହାସଲ କଲା ଏନଡିଟିଏଲ: ନ୍ୟାସନାଲ ଡୋପ ଟେଷ୍ଟିଙ୍ଗ ଲାବୋରେଟୋରି (ଏନଡିଟିଏଲ) ପୁନର୍ବାର ବିଶ୍ୱ ଡୋପିଙ୍ଗ ନିରୋଧ ଏଜେନ୍ସି (ଡବ୍ଲ୍ୟୁଏଡିଏ)ର ମାନ୍ୟତା ହାସଲ କଲା। ଏନଡିଟିଏଲ ଓ ଡବ୍ଲ୍ୟୁଏଡିଏ ଦ୍ୱାରା ସୂଚିତ ଅନୁସାରେ ଏହି ମାନ୍ୟତା ପୁନଃ ଲାଗୁ କରାଯାଇଥିଲା। ଏହାଦ୍ୱାରା, ଏନଡିଟିଏଲର ଡୋପିଙ୍ଗ ନିରୋଧ ଟେଷ୍ଟିଙ୍ଗ ଓ କାର୍ଯ୍ୟକଳାପ ପୁଣି ତକ୍ରାଳ ଆରମ୍ଭ ହୋଇଯିବ।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ୨୮.୦୧.୨୦୨୧ରେ ରାଷ୍ଟ୍ରୀୟ ଡୋପ ପରୀକ୍ଷଣ ପ୍ରୟୋଗଶାଳା (ଏନଡିଟିଏଲ) ଓ ରାଷ୍ଟ୍ରୀୟ ଔଷଧ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ (ଏନଆଇପିଇଆର), ଗୌହାଟୀର ସହଯୋଗାତ୍ମକ ପ୍ରଚେଷ୍ଟା ଦ୍ୱାରା ସଂଶ୍ଳେଷିତ ଡୋପିଙ୍ଗ-ନିରୋଧ କ୍ଷେତ୍ରରେ ରାସାୟନିକ ପରୀକ୍ଷଣରେ ଉପଯୋଗ ଲାଗି ଏକ ସଫଳ ସନ୍ଦର୍ଭ ସାମଗ୍ରୀର ଶୁଭାରମ୍ଭ କରାଗଲା। ଏହି ସନ୍ଦର୍ଭ ସାମଗ୍ରୀ (ଆରଏମ)କୁ ଏନଡିଟିଏଲ ଦ୍ୱାରା ବିଶ୍ୱ ସ୍ତରରେ ଦୁର୍ଲଭ ରୂପରେ ଉପଲବ୍ଧ ଆରଏମ ମଧ୍ୟରୁ ଗୋଟିଏ ରୂପ ଭାବେ ଚିହ୍ନଟ କରାଗଲା ଏବଂ ଏହାର ଉପଯୋଗ ସମସ୍ତ ବିଶ୍ୱ ଡୋପିଙ୍ଗ-ନିରୋଧ ଏଜେନ୍ସି (ଡବ୍ଲ୍ୟୁଏଡିଏ)ରୁ ମାନ୍ୟତା ପ୍ରାପ୍ତ ପ୍ରୟୋଗଶାଳାରେ ଡୋପିଙ୍ଗ ନିରୋଧ ଉପାୟଗୁଡ଼ିକୁ ମଜଭୁତ କରିବା ପାଇଁ କରାଯିବ।
ସଂସଦରେ ଜାତୀୟ ଡୋପିଙ୍ଗ ନିରୋଧ ବିଧେୟକ ୨୦୨୧ ଉପସ୍ଥାପନ: ସଂସଦର ଶୀତ ଅଧିବେଶନରେ ଲୋକସଭାରେ ଜାତୀୟ ଡୋପିଙ୍ଗ ନିରୋଧ ବିଧେୟକ ୨୦୨୧ ଉପସ୍ଥାପନ କରାଯାଇଥିଲା। ଏହି ବିଧେୟକ କ୍ରୀଡ଼ା କ୍ଷେତ୍ରରେ ଡୋପିଙ୍ଗର ମୁକାବିଲା ଲାଗି ବୈଧାନିକ ଢାଞ୍ଚା ପ୍ରଦାନ କରିବା ଓ ଦେଶର ଡୋପିଙ୍ଗ ନିୟାମକକୁ ଅଧିକ କ୍ଷମତା ପ୍ରଦାନ କରିବା ପାଇଁ ସହାୟକ ହେବ।
ଚିୟର୪ଇଣ୍ଡିଆ ଅଭିଯାନ: ଟୋକିଓ ଅଲିମ୍ପିକ୍ସରେ ଭାଗନେବା ପାଇଁ ଭାରତୀୟ ଆଥଲେଟମାନଙ୍କୁ ଉତ୍ସାହିତ କରିବା ଲାଗି ଏହି ଅଭିଯାନ ଅନୁସାରେ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ ସୃଷ୍ଟି କରାଯାଇଥିଲା, ଯେଉଁଥିରେ ସମସ୍ତ ଅଂଶଗ୍ରହଣକାରୀ ଆଥଲେଟ, କୋଚ ଓ ସହାୟକ କର୍ମଚାରୀ ସଦସ୍ୟ ରହିଛନ୍ତି, ଯାହାଦ୍ୱାରା ଅସାଧାରଣ ପରିସ୍ଥିତିରେ ଆୟୋଜନ ହେଉଥିବା କ୍ରୀଡ଼ା ସମୟରେ ଆଥଲେଟମାନଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରାଯାଇ ପାରିବ।
ଭାରତୀୟ ଅଲିମ୍ପିକ ଟିମ-୨୦୨୦ ପାଇଁ ଥିମ ସଙ୍ଗ ଓ ଚିୟର୪ଇଣ୍ଡିଆ ଅଭିଯାନର ଶୁଭାରମ୍ଭ: ଟୋକିଓ ୨୦୨୦ ଅଲିମ୍ପିକ ଗେମସର ଭାରତୀୟ ଅଲିମ୍ପିକ ଟିମର ଅଫିସିଆଲ ଥିମ ସଙ୍ଗ ୨୦୨୧ ଜୁନ ୨୪ରେ ନୂଆଦିଲ୍ଲୀରେ ଶୁଭାରମ୍ଭ କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରାଷ୍ଟ୍ରବ୍ୟାପୀ ଚିୟର୪ଇଣ୍ଡିଆ ଅଭିଯାନ ଯଥା କୁଇଜ, ସେଲଫି ପଏଣ୍ଟ, ବିତର୍କ ଓ ଅଲିମ୍ପିକ ଉପରେ ଆଲୋଚନା ଆଦି ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଆରମ୍ଭ କରାଯାଇଥିଲା, ଯାହାଦ୍ୱାରା ଟୋକିଓ ଅଲିମ୍ପିକରେ ଯାଉଥିବା ଭାରତୀୟ ଆଥଲେଟଙ୍କୁ ସମର୍ଥନ ଓ ପ୍ରେରିତ କରିବା ପାଇଁ ପୂରା ଦେଶ ଏକତ୍ରିତ ହୋଇପାରିବ।
ସେଣ୍ଟ୍ରାଲ ଆଥଲେଟ ଇଞ୍ଜୁରି ମ୍ୟାନେଜମେଣ୍ଟ ସିଷ୍ଟମ (ସିଏଆଇଏମଏସ): ଆଥଲେଟମାନଙ୍କୁ ପ୍ରଦାନ କରାଯାଉଥିବା କ୍ରୀଡ଼ା ଔଷଧ ଓ ଥଇଥାନ ସହଯୋଗକୁ ସୁବ୍ୟବସ୍ଥିତ କରିବା ସକାଶେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ପଦକ୍ଷେପ ସ୍ୱରୂପ ୨୦୨୧ ଜୁନ ୧୧ରେ ସେଣ୍ଟ୍ରାଲ ଆଥଲେଟ ଇଞ୍ଜୁରି ମ୍ୟାନେଜମେଣ୍ଟ ସିଷ୍ଟମ (ସିଏଆଇଏମଏସ) ଆରମ୍ଭ କରାଯାଇଥିଲା।
ଭାରତର ୭ ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ କେନ୍ଦ୍ର: କ୍ରୀଡ଼ା ବିଭାଗ ୨୫.୦୫.୨୦୨୧ରେ ମୋଟ ବଜେଟ ଆକଳନ ୧୧୪.୩୦ କୋଟି ଟଙ୍କାରେ ୭ ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ କେନ୍ଦ୍ରର ଆଉଏକ ସେଟ୍ ଶୁଭାରମ୍ଭ କରିଥିଲା। ଏହି କେନ୍ଦ୍ରଗୁଡ଼ିକୁ ଗୋଟିଏ ଲେଖାଏଁ କ୍ରୀଡ଼ା ଶୃଙ୍ଖଳାର ଦାୟିତ୍ୱ ହସ୍ତାନ୍ତର କରାଯିବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ମିଜୋରାମ, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ମଣିପୁର ରହିଛି।
ଆଥଲେଟ, କୋଚ ଓ ସହାୟକ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ଏସଏଆଇ) ୧୩, ୦୦୦ରୁ ଅଧିକ ଆଥଲେଟଙ୍କୁ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ସୁବିଧା ପ୍ରଦାନ କରିବ ବୋଲି ୨୦.୦୫.୨୦୨୧ରେ ଘୋଷଣା କରାଯାଇଥିଲା। ଏହା ଅଧୀନରେ ଏସଏଆଇ ଉତ୍କର୍ଷ କେନ୍ଦ୍ରରେ ତାଲିମ ପ୍ରାପ୍ତ କରୁଥିବା ସମସ୍ତ ରାଷ୍ଟ୍ରୀୟ କ୍ୟାମ୍ପର, ସମ୍ଭାବ୍ୟ ଜାତୀୟ କ୍ୟାମ୍ପର, ଖେଲୋ ଇଣ୍ଡିଆ ଆଥଲେଟ ଓ ଜୁନିଅର କ୍ୟାମ୍ପରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁର ବୀମା ସୁବିଧା ପ୍ରଦାନ କରାଯିବ। ପ୍ରତ୍ୟେକଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ରହିବ, ଏଥିରେ ଦୁର୍ଘଟଣା ଅଥବା ମୃତ୍ୟୁ ପାଇଁ ୨୫ ଲକ୍ଷ ଟଙ୍କାର ସୁବିଧା ବି ରହିବ।
କୋଭିଡ-୧୯ ମଧ୍ୟରେ ପୂର୍ବତନ ଅନ୍ତର୍ଜାତୀୟ ଆଥଲେଟ ଓ କୋଚମାନଙ୍କୁ ସହାୟତା: କୋଭିଡ-୧୯ ବେଳେ ପୂର୍ବତନ ଅନ୍ତର୍ଜାତୀୟ ଆଥଲେଟ ଓ କୋଚମାନେ ଯେମିତି ସ୍ୱାସ୍ଥ୍ୟ, ଆର୍ଥିକ ଓ ପରିବହନ ସମର୍ଥନ ପାଇବେ, ତାହାକୁ ସୁନିଶ୍ଚିତ କରିବା ସକାଶେ, କ୍ରୀଡ଼ା ବିଭାଗ (ଡିଓଏସ), ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ଏସଏଆଇ) ଏକ ସ୍ୱତନ୍ତ୍ର ସହାୟତା ପ୍ରକୋଷ୍ଠ ସୃଷ୍ଟି କରିବା ଲାଗି ୨୦୨୧ ମେ’ରେ ହାତ ମିଳାଇଥିଲେ। କ୍ରୀଡ଼ାବିତଙ୍କ ପାଇଁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି (ପିଡିୟୁଏନଡବ୍ଲ୍ୟୁଏଫଏସ)ରୁ ପାଣ୍ଠି ପ୍ରଦାନ କରାଯିବ, ଯେଉଁଥିରେ ଗମ୍ଭୀର ପରିସ୍ଥିତିରେ କାଳାତିପାତ କରୁଥିବା କ୍ରୀଡ଼ାବିତ ଓ ସେମାନଙ୍କ ପରିବାରଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ଖେଲୋ ଇଣ୍ଡିଆ ୱିଣ୍ଟର ଗେମସର ଦ୍ୱିତୀୟ ସଂସ୍କରଣ: ଖେଲୋ ଇଣ୍ଡିଆ ୱିଣ୍ଟର ଗେମସର ଦ୍ୱିତୀୟ ସଂସ୍କରଣ ୨୦୨୧ ଫେବ୍ରୁଆରୀ ୨୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ଭାବେ ଉଦଘାଟିତ ହୋଇଥିଲା। ୨୦୨୧ ମାର୍ଚ୍ଚ ୨ରେ ଜମ୍ମୁ ଓ କାଶ୍ମୀରର ଗୁଲମର୍ଗରେ ସ୍ପୋର୍ଟସ ମିଟ ସଫଳତାପୂର୍ବକ ସମାପନ ହୋଇଥିଲା। ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ ଜମ୍ମୁ-କାଶ୍ମୀର କ୍ରୀଡ଼ା ପରିଷଦ ଓ ଜମ୍ମୁ-କାଶ୍ମୀରର ୱିଣ୍ଟର ଗେମସ ଆସୋସିଏସନ ଦ୍ୱାରା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆୟୋଜନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଏକ ଅତ୍ୟାଧୁନିକ ୱିଣ୍ଟର ସ୍ପୋର୍ଟ ଏକାଡେମି ଗଠନ ସହିତ ଜମ୍ମୁ-କାଶ୍ମୀରରେ କ୍ରୀଡ଼ା ପରିସଂସ୍ଥାନକୁ ବଢ଼ାଇବା ପାଇଁ ବିଭିନ୍ନ ଯୋଜନାର ଘୋଷଣା କରିଥିଲେ।
ଫିଟ ଇଣ୍ଡିଆ ସ୍କୁଲ ସପ୍ତାହ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ୨୭.୦୧.୨୦୨୧ରେ ‘ଫିଟ ଇଣ୍ଡିଆ ସ୍କୁଲ ସପ୍ତାହ’ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ସମାପନ କରିଥିଲେ। ‘ଫିଟ ଇଣ୍ଡିଆ ସ୍କୁଲ ସପ୍ତାହ’ କାର୍ଯ୍ୟକ୍ରମର ଉତ୍ସବ ମନାଇବା ପାଇଁ, କେନ୍ଦ୍ରୀୟ ବିଦ୍ୟାଳୟ-୨, ନାଭାଲ ବେସ, କୋଚିର ଛାତ୍ରଛାତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମର ଏକ ସିଧାସଳଖ ଭର୍ଚୁଆଲ ପ୍ରଦର୍ଶନ ଦିଆଯାଇଥିଲା, ଯେଉଁମାନେ କି ସୂର୍ଯ୍ୟ ନମସ୍କାର, ମୁକ୍ତ ହସ୍ତ ବ୍ୟାୟାମ, ଏରୋବିକ୍ସ, ନୃତ୍ୟ ଓ ଅନଲାଇନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ପିଲାମାନଙ୍କୁ ନିଜ ଦିନଚର୍ଯ୍ୟାରେ ଶାରୀରିକ କାର୍ଯ୍ୟକଳାପ ଓ କ୍ରୀଡ଼ାକୁ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା।
କ୍ରୀଡ଼ା ନାୟକଙ୍କୁ ସମ୍ମାନ ପ୍ରଦର୍ଶନ: ଦେଶର କ୍ରୀଡ଼ା ନାୟକଙ୍କୁ ସମ୍ମାନିତ କରିବାର ପ୍ରୟାସ ସ୍ୱରୂପ, କ୍ରୀଡ଼ା ବିଭାଗ ୧୭.୦୧.୨୦୨୧ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ଏସଏଆଇ)ର ସମସ୍ତ ଆଗାମୀ ଓ ବିକଶିତ କ୍ରୀଡ଼ା ବ୍ୟବସ୍ଥାଗୁଡ଼ିକର ନାମ ପ୍ରସିଦ୍ଧ ଆଥଲେଟଙ୍କ ନାମରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲା, ଯେଉଁମାନେ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଯଥେଷ୍ଟ ଯୋଗଦାନ ଦେଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ୦୭.୦୧.୨୦୨୧ରେ ଡ. କର୍ଣ୍ଣି ସିଂହ ସୁଟିଙ୍ଗ ରେଞ୍ଜ ପ୍ରାଙ୍ଗଣରେ ୧୬୨ ଶଯ୍ୟାବିଶିଷ୍ଟ ବାତାନୁକୂଳିତ ଆବାସିକ ଛାତ୍ରାବାସ ଉଦଘାଟନ କରିଥିଲେ। ୧୨.୨୬ କୋଟି ଟଙ୍କା ବ୍ୟୟରେ ଏହି ବ୍ୟବସ୍ଥା ନିର୍ମାଣ କରାଯାଇଥିଲା। ଏହି ହଷ୍ଟେଲ ସୁବିଧା ସୃଷ୍ଟି ହେବା ଦ୍ୱାରା, ଭାରତୀୟ ସୁଟରଙ୍କ ତାଲିମ ପାଇଁ ଏକ ବଡ଼ ପ୍ରୋତ୍ସାହନ ମିଳିବ, ଯେଉଁମାନେ ପୂର୍ବରୁ ସୁଟିଙ୍ଗ ରେଞ୍ଜ ବାହାରର ଆବାସରେ ରହିଆସୁଛନ୍ତି।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ୦୪.୦୧.୨୦୨୧ରେ ଶିଲଙ୍ଗରେ ଆସାମ ରାଇଫଲ୍ସ ପବ୍ଲିକ ସ୍କୁଲ (ଏଆରପିଏସ)କୁ ଖେଲୋ ଇଣ୍ଡିଆ ସ୍ପୋର୍ଟସ ସ୍କୁଲ ଭାବେ ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ, ଶିକ୍ଷା ସହିତ କ୍ରୀଡ଼ାକୁ ସମନ୍ୱିତ କରିବା ଏବଂ ଆଥଲେଟମାନଙ୍କର ସମଗ୍ର ପ୍ରୋଫାଇଲ ଓ ଦୃଷ୍ଟିକୋଣରେ ଉନ୍ନତି ଆଣିବା ଲାଗି ଦେଶବ୍ୟାପୀ ୯ଟି ସ୍ପୋର୍ଟସ ସ୍କୁଲକୁ ମଞ୍ଜୁରି ଦିଆଯାଇଛି।