Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ୬୯ଜଣଙ୍କୁ ମେଧାବୃତ୍ତି ପ୍ରଦାନ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ୬୯ଜଣଙ୍କୁ ମେଧାବୃତ୍ତି ପ୍ରଦାନ

35

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଅଂଶ ଭାବେ ଆଦାନୀ ଫାଉଣ୍ଡେସନ, ପୋର୍ଟ ପାରିପାଶ୍ୱର୍ରେ ଥିବା ସମସ୍ତ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଡିପିସିଏଲ୍ ମେଧାବୃତ୍ତି ପ୍ରଦାନ କରିଆସୁଅଛି । ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷାରେ କଳା, ବାଣିଜ୍ୟ ଓ ବିଜ୍ଞାନ ପଢିବା ପାଇଁ ସେମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିପାଇଁ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ କ୍ଷେତ୍ରରେ ୭୫ ପ୍ରତିଶତ ଏବଂ ଛାତ୍ରୀଙ୍କ କ୍ଷେତ୍ରରେ ୭୦ପ୍ରତିଶତରୁ ଅଧିକ ନମ୍ବର ରଖିବା ଚୟନର ମାନଦଣ୍ଡ ରହିଛି । ୨୦୨୦-୨୧ ଶିକ୍ଷାବର୍ଷରେ କୋଭିଡ-୧୯ ମହାମାରୀ କାରଣରୁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆୟୋଜିତ ହୋଇଥିବା ଅନ୍‌ଲାଇନ ପରୀକ୍ଷାରେ ୬୯ ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏଥିମଧ୍ୟରୁ କରଞ୍ଜମାଳ ପଞ୍ଚାୟତ ଅନ୍ତର୍ଗତ ଏସ୍‌ଏସ୍ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାପୀଠର ୧୬ ଜଣ ଛାତ୍ରଛାତ୍ରୀ, ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟର ୧୨ ଜଣ, ଭିଏନ୍ ଉଚ୍ଚବିଦ୍ୟାପୀଠର ୧୦ ଜଣ, କରଣପଲ୍ଲୀ ଗ୍ରାମପଞ୍ଚାୟତ ଉଚ୍ଚବିଦ୍ୟାଳୟର ୮ ଜଣ, କେଏସ୍ ନୋଡାଲ ଉଚ୍ଚବିଦ୍ୟାଳୟର ୭ ଜଣ, ଜାଗୁଳା ଗ୍ରାମପଞ୍ଚାୟତ ଉଚ୍ଚବିଦ୍ୟାଳୟର ୬ ଜଣ, ବାଂଶଡା ଉଚ୍ଚବିଦ୍ୟାଳୟର ୪ ଜଣ, ପଞ୍ଚୁଟିକ୍ରୀ ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟର ୩ ଜଣ, ଧାମରାଇ ନୋଡାଲ ଉଚ୍ଚବିଦ୍ୟାଳୟର ଜଣେ ଏବଂ ଜେଏନ୍ ଉଚ୍ଚବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବ । ଭଦ୍ରକ ଜିଲା କରଞ୍ଜମାଳ ପଞ୍ଚାୟତସ୍ଥିତ ଏସ୍‌ଏସ୍ ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠରେ ଆୟୋଜିତ ଏହି ମେଧାବୃତ୍ତିି ପ୍ରଦାନ କାର୍ଯ୍ୟକ୍ରମରେ ସମସ୍ତ ମେଧାବୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ପ୍ରଧାନଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ୬୯ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ମେଡାଲ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାର ପ୍ରଥମ ବର୍ଷ ନିମନ୍ତେ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା । ପ୍ରଥମ ବର୍ଷ ଶେଷ ହେବା ପରେ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କୁ ଦ୍ୱିତୀୟ ବର୍ଷ ଶିକ୍ଷା ନିମନ୍ତେ ଅବଶିଷ୍ଟ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏସ୍‌ଏସ୍ ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ସୁକୁମାର ହାତୀ, ବାଲିମୁଣ୍ଡା କେଏସ୍ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀବାଳା ମହାପାତ୍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । ଏସ୍‌ଏସ୍ ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରେବତୀକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୯ରେ ଆରମ୍ଭ ହୋଇଥିବା ଡିପିସିଏଲ୍ ମେଧାବୃତ୍ତିରେ ଏପର୍ଯ୍ୟନ୍ତ ୩୦୪ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.