Home ଜିଲ୍ଲା ପରିକ୍ରମା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୟାଗଡ଼ ଜିଲ୍ଲା ସାମିଲ ଚିକିତ୍ସା ପାଇଁ ଲୋକଙ୍କୁ ଟଙ୍କାଟିଏ ବି...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୟାଗଡ଼ ଜିଲ୍ଲା ସାମିଲ ଚିକିତ୍ସା ପାଇଁ ଲୋକଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ : ମୁଖ୍ୟମନ୍ତ୍ରୀ

105

ନୟାଗଡ଼, ୧୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାରେ ନୟାଗଡ଼ ଜିଲ୍ଳା ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମାଧ୍ୟମରେ ନୟାଗଡ଼ ଜିଲ୍ଳାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ର ଶୁଭ ଉଦ୍‌ଘାଟନ କରିଛନ୍ତି। ସ୍ଥାନୀୟ ପିଟିଏସ୍ ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ ସଭାରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୟାଗଡ଼ର ବୀରମାଟିକୁ ପ୍ରଣାମ କରି ତାଙ୍କ ଅଭିଭାଷଣରେ କହିଲେଯେ ସମ୍ମାନର ସହ ବଂଚିବାର ସମସ୍ତଙ୍କର ଅଧିକାର ରହିଛି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତିକୁ ଆଧାର କରି ରାଜ୍ୟ ସରକାର ସବୁ ପ୍ରକାରେ ଚିନ୍ତା କରୁଛନ୍ତି। ଏଣିକି ଚିକିତ୍ସା ପାଇଁ ହିତାଧିକାରୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବରଂ ଚିକିତ୍ସା ଖର୍ଚ୍ଚ ପିଲାମାନଙ୍କର ପାଠପଢା କାମରେ ଲାଗିପାରିବ ବୋଲି କହିଥିଲେ। ସ୍ୱାସ୍ଥ୍ୟକାର୍ଡ଼ ଦ୍ୱାରା ପ୍ରଚଳନ ହେବା ଦ୍ୱାରା ଗରୀବ ଲୋକମାନଙ୍କର ସବୁଠାରୁ ବଡ଼ଚିନ୍ତା ଦୂର ହୋଇଛି ବୋଲି କହିବା ସହିତ ଦେଶରେ ୨ଶହ ବଡ଼ ବଡ଼ ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ବିନା ମୂଲ୍ୟରେ ଯୋଗାଇ ଦିଆଯିବ କହିଥିଲେ। ଏଥିରେ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଲୋକହିତକର ଯୋଜନାର ରୂପରେଖ ଉପରେ ବକ୍ତବ୍ୟ ରଖିବା ସହିତ ଘରେ ଘରେ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ ା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟକାର୍ଡ଼ର ଉପଯୋଗୀତା ଉପରେ କହିଥିଲେ। ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଜିଲ୍ଲାର ୨ଲକ୍ଷ ୨୩ ହଜାର ୬୦ ପରିବାରର ୭ଲକ୍ଷ ୭୦ ହଜାର ୭୬୭ଟି ହିତାଧିକାରୀ ଉପକୃତ ହେବେ। ଏଥିସହିତ ୯୦ କୋଟି ଟଙ୍କା ବ୍ୟୟରେ ୧୫୧ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ସହିତ ୯୧୦ କୋଟି ବ୍ୟୟରେ ୧୧୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟକାର୍ଡ଼ରେ ଭାପୁର ବ୍ଳକର ୨୪ହଜାର୬୮୧ ପରିବାର ଉପକୃତ ହେବାକୁ ଥିଲାବେଳେ ଦଶପଲ୍ଳା ବ୍ଳକ ଓ ଏନ୍‌ଏସିର ୨୩ହଜାର ୮୫୨, ଗଣିଆ ବ୍ଳକର ୮ହଜାର ୯୩୯ ପରିବାର, ଖଣ୍ଡପଡ଼ା ବ୍ଳକ ଓ ଏନ୍‌ଏସିର ୨୪ହଜାର ୭୬୧ ପରିବାର, ନୟାଗଡ଼ ‌ବ୍ଳକ ଓ ମ୍ୟୁନିସିପାଲିଟିର ୩୫ହଜାର ୭୮୨ ପରିବାର, ନୂଆଗାଁ ବ୍ଳକର ୨୩ହଜାର ୬ ଶହ ପରିବାର, ଓଡ଼ଗାଁ ବ୍ଳକ ଓ ଏନ୍‌ଏସିର ୩୯ହଜାର ୪୦୫ ପରିବାର ଓ ରଣପୁର ବ୍ଳକ ଓ ଏନ୍‌ଏସିର ୩୮ ହଜାର ୨୩୯ ପରିବାର ଉପକୃତ ହେବେ। ସମୁଦାୟ ୨୫୯ଟି ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ ପାଇଁ ୯୯୪କୋଟି ୫୩ଲକ୍ଷର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କରିଥିଲେ। ସେଥିମଧ୍ୟରୁ ରାସ୍ତା, କୋଠାବାଡ଼ି ଓ ସେତୁ ନିର୍ମାଣର ୨୨ଟି ପ୍ରକଳ୍ପ ପାଇଁ ୭୬କୋଟି ୪୨ ଊକ୍ଷ, ପାନୀୟ ଜଳଯୋଗାଣର ୭ଟି ପ୍ରକଳ୍ପ ପାଇଁ ୨୦୫ କୋଟି ୮ଲକ୍ଷ, ମେଗା ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ୨ଟି ପ୍ରକଳ୍ପ ପାଇଁ ୪୮୮ କୋଟି ୭୬ଲକ୍ଷ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମିଶନ ଶକ୍ତି ୪୧ଟି ପ୍ରକଳ୍ପ ପାଇଁ ୪୩କୋଟି ୮୨ଲକ୍ଷ, ବଜାର ସୁବିଧା ବିକାଶ କମ୍ୟୁନିଟି ହଲ୍ ଓ କଲ୍ୟାଣ ମଣ୍ଡପ ୩୨ ପ୍ରକଳ୍ପ ପାଇଁ ୪୪ କୋଟି ୧୦ ଲକ୍ଷ, କୃଷି କ୍ଷେତ୍ରରେ ଉନ୍ନତି ୪ପ୍ରକଳ୍ପ ପାଇଁ ୫୧ କୋଟି ଏବଂ ୧୦୮ ପ୍ରକଳ୍ପ ଭିତ୍ତି ପ୍ରସ୍ତର ପାଇଁ ୧୦୯ କୋଟି ୧୮ଲକ୍ଷ ଟଙ୍କାର ଭିତ୍ତି ପ୍ରସ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ.ପୋମା ଟୁଡୁ, ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜୀତ ରାଉତ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷିରେ କାଂଚନ ଦେଇ, ନୂରଜାହାନ ବେଗମ୍‌, ମମତା ସ୍ୱାଇଁ, ଝୁନା ମାଝି, ସତ୍ୟଭାମା ମହାପାତ୍ର ପ୍ରମୁଖଙ୍କୁ ସ୍ୱାସ୍ଥ୍ୟକାର୍ଡ଼ ବଂଟା ଯାଇଥିଲା। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.