Home ଜିଲ୍ଲା ପରିକ୍ରମା ନିର୍ମାଣର ବର୍ଷେ ନପୂରୁଣୁ ମରାମତି ମାଗିଲାଣି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ

ନିର୍ମାଣର ବର୍ଷେ ନପୂରୁଣୁ ମରାମତି ମାଗିଲାଣି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ

42

ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଆଗରପଡ଼ା-କୁପାରୀ ପିଡବ୍ଲ୍ୟୁଡ଼ି ରାସ୍ତା ଠାରୁ ବରହମ୍‌ପୁର ତାରିଣୀ ଛକ ପିଡବ୍ଲ୍ୟୁଡ଼ି ରାସ୍ତା ଭାୟା ଟିକିରା,ଆଗରପଡ଼ା କଲେଜ ରାସ୍ତା ନିର୍ମାଣ କରାଯାଇଛି । ଯାହାର ଅଟକଳ ମୂଲ୍ୟ ପାଖାପାଖି ୮୦ଲକ୍ଷ ୯୫ ହଜାର ୮୮୪ ଟଙ୍କା । ୨୦୧୮ ମସିହା ଡ଼ିସେମ୍ବର ୧୫ ତାରିଖରେ ବର୍ତ୍ତମାନର ବିଧାୟକ ତଥା ତତ୍କାଳିନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳ ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ରହିଥିବା ବେଳେ ଉକ୍ତ ରାସ୍ତା ରାସ୍ତା ନିର୍ମାଣ ବିନା ସୂଚନା ଫଳକରେ ହୋଇଥିଲା । ଯଦ୍ୱାରା ସର୍ବସାଧାରଣରେ ସରକାର କେଉଁ ବିଭାଗରୁ ଅର୍ଥ ପ୍ରଦାନ କରିଛନ୍ତି, କେତେ ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି । କାହା ନାମରେ କାର୍ଯ୍ୟଦେଶ ରହିଛି, କେଉଁ ଅଧିକାରୀ ତଦାରଖ କରୁଛନ୍ତି ଏବଂ କାର୍ଯ୍ୟାଦେଶର ଆରମ୍ଭ ଓ ଶେଷ ତାରିଖ ଆଦି ସଂପର୍କରେ ସୂଚନା ପାଇବାରୁ ଉକ୍ତ ଗ୍ରାମର ଗ୍ରାମବାସୀମାନେ ବଂଚିତ ହୋଇଥିବା ଅଭିଯୋଗ କରିଥିଲେ । ସେହିପରି ଅପରପକ୍ଷରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ରାସ୍ତାକୁ ମାସେ ନପୂରୁଣୁ ରାସ୍ତା ଫାଟିବା ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଏହାର ମରାମତି କରାଯାଇଥିବା ବେଳେ ନିର୍ମାଣକୁ ବର୍ଷେ ନ ପୂରୁଣୁ ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ସବୁ ଉଠି ଯାଇ ବଡ଼ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଛି ଯଦ୍ୱାରା ଉକ୍ତ ରାସ୍ତା ଉପରେ ଯାତାୟତ କରୁଥିବା ଗ୍ରାମବାସୀଙ୍କ ସମେତ କଲେଜ ଛାତ୍ରଛାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିର୍ମାଣକୁ ବର୍ଷେ ନ ପୂରୁଣୁ ରାସ୍ତା ମରାମତି ମାଗିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ଉକ୍ତ ରାସ୍ତାର ସ୍ଥାୟୀତ୍ୱ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.