Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ, ଡ଼ିସେମ୍ବର ୨୭ ରୁ ଧାନ ମଣ୍ଡି ଆରମ୍ଭ, ୧୫୪...

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ, ଡ଼ିସେମ୍ବର ୨୭ ରୁ ଧାନ ମଣ୍ଡି ଆରମ୍ଭ, ୧୫୪ ମଣ୍ଡିରେ କିଣାଯିବ ଧାନ

34

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍ ୨୦୨୧-୨୨ ବର୍ଷ ପାଇଁ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନାବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଦ୍ରକ ଲୋକସଭା ସଦସ୍ୟାଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧୀକାରୀ ରଞ୍ଜନ କୁମାର ସେଠ୍ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଗତ ବର୍ଷ ଧାନ କିଣା ନେଇ ଧାର୍ଯ୍ୟଥିବା ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ନେଇ ସୂଚନା ପ୍ରଦାନ କରିବା ସହ ଚଳିତ ଖରିଫ ୨୦୨୧-୨୨ ପାଇଁ ଧାନକିଣା ଯିବା ନେଇ ପ୍ରସ୍ତୁତି ଓ ନୀତି ନିୟମ ସମ୍ବନ୍ଧରେ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ସେହି ଆଧାରରେ ଟିକି ନିଖି ସମୀକ୍ଷା କରାଯାଇଥିଲା । ପ୍ରଦତ୍ତ ସୂଚନା ଅନୁଯାୟୀ ଖରିଫ୍ ୨୦୨୧ରେ ୨୮ ଲକ୍ଷ ୨୩ ହଜାର ୫୨କ୍ୱି. ଧାନ କିରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ୨୭ ଲକ୍ଷ ୩୦ ହଜାର ୬୦୦କ୍ୱି. କିଣାଯାଇଥିଲା ଯାହା ୯୬.୭୦ ଶତକଡ଼ା ସଫଳତା ଥିଲା ଏବଂ ୧୮ ଲକ୍ଷ ୫୬ ହଜାର ୮୦ କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଥିଲା ।

ଏ ଦିଗରେ ଚଳିତ ବର୍ଷ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୧ ଲକ୍ଷ ୮୫ ହଜାର ୨୯୪ କ୍ୱି. ଧାନ କିରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୯୬ କେନ୍ଦ୍ରରେ ପାକ୍‌ସ ବା ସୋସାଇଟି ଦ୍ୱାରା ଏବଂ ୫୮ ଟି କେନ୍ଦ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଧାନ କିଣାଯିବ । ଏହି ୧୫୪ଟି କେନ୍ଦ୍ର ଦ୍ୱାରା ଜିଲ୍ଲାର ସମସ୍ତ ୨୧୮ଟି ଗ୍ରାମ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଫ୍‌ଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପ୍ରତି ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଟୋକନ୍ ପାଇବାର ୩୦ଦିନ ମଧ୍ୟରେ ଚାଷୀଙ୍କୁ ପ୍ରାଧୀକୃତ ମଣ୍ଡିରେ ଧାନ ଦେବାକୁ ପଡ଼ିବ । ଧାନ ବିକ୍ରୟ କରିବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ରେ ଅର୍ଥ ପ୍ରଦାନ କରାଯିବ । ଧାନ ମଣ୍ଡିକୁ ଏଫ୍‌ଏକ୍ୟୁ ମାନର ଧାନ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି । ମଣ୍ଡି ପାଖରେ ଚାଷୀ କମିଟି, ସରକାରୀ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାନର ମାନ ପରୀକ୍ଷା କରାଯାଇ ଧାନକ୍ରୟ କରାଯିବ । ମାନ ଭଲ ନଥିଲେ ଚାଷୀ ଧାନକୁ ଫେରସ୍ତ ନେଇ ଧାନର ମାନ ପରିବର୍ତ୍ତନ କରି ଆଣିବାକୁ ହେବ ବୋଲି କୁହାଯାଇଥିଲା । ଝୋଟ ଅଖାରେ ଧାନ ମଣ୍ଡିକୁ ଆଣିବାକୁ ହେବ । ଧାନ ମଣ୍ଡିରେ ପହଞ୍ôଚବା ନେଇ ସୂଚନା ଅନ୍‌ଲାଇନ୍‌ରେ ଚଢ଼ାଯିବ । ସରକାରୀ ଅଫିସ୍ କାର୍ଯ୍ୟକାଳ ମଧ୍ୟରେ ଚାଷୀମାନେ ସେମାନଙ୍କ ଅଭିଯୋଗ ନେଇ କଣ୍ଟ୍ରୋଲ ରୁମ୍ ନଂ ୦୬୭୮୪-୨୫୧୦୦୬, ମୋ ନଂ – ୯୪୩୮୨୦୦୦୩୪ ଏବଂ ଭଦ୍ରକ ଜିଲ୍ଲାର ୦୬୭୮୪-୨୪୦୫୩୯ ନମ୍ବରକୁ ଯୋଗାଯୋଗ କରି ଜଣାଇ ପାରିବେ । ଧାନ ମଣ୍ଡିରେ ଧାନ କିଣା କାର୍ଯ୍ୟ ପାଇଁ ଆବଶ୍ୟକ ଓଜନ ମେସିନ୍ ଏବଂ ଧାନର ମାନ ପରୀକ୍ଷଣ ପାଇଁ ଆବଶ୍ୟକ ସମସ୍ତ ଉପକରଣ ଆର୍‌.ଏମ୍‌.ସି. ଦ୍ୱାରା ଯଥା ସମୟରେ ଯୋଗାଇ ଦିଆଯିବା ନେଇ ଆର୍‌.ଏମ୍‌.ସି. ସମ୍ପାଦକ ତଥା ଏ.ଆର.ସି.ଏସ୍ ବିକାଶ ରଞ୍ଜନ ନାୟକ ବୈଠକରେ ପ୍ରକାଶ କରିଥିଲେ ।

ଡ଼ିସେମ୍ବର ୨୭ ତାରିଖରୁ ଧାମନଗର ଓ ଭଦ୍ରକ ବ୍ଲକ୍‌ରେ ମଣ୍ଡି ଆରମ୍ଭ କରାଯିବା ସହିତ ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକ୍‌ରେ ଧାନ ମଣ୍ଡି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଗଲା । ଧାନକିଣାରେ ଅନିୟମିତତା ସମ୍ବନ୍ଧୀୟ ଧରପଗଡ଼ ପାଇଁ ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ, ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କାର୍ଡ଼ ଦଳ ଗଠନ କରାଯିବା ସହ ବ୍ଲକ୍ ସ୍ତରରେ ଆର୍‌.ଆଇ., ଏମ୍‌.ଆଇ. ବ୍ଲକ୍ ପ୍ରକଳ୍ପ ସଂଯୋଜକ, ସମବାୟ ସମ୍ପ୍ରସାରଣ ଅଧିକାରୀମାନଙ୍କୁ ନେଇ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସ୍କାର୍ଡ଼ ଦଳ କାର୍ଯ୍ୟ କରିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଉପଖଣ୍ଡ ପୋଲିସ୍ ଅଧିକାରୀ ସାର୍ଥକ ରାୟ, ସହକାରୀ ଯୋଗରଣ ଅଧିକାରୀ ଶରତ କୁମାର ବେହେରା, ମାନସ ରଞ୍ଜନ ମହାପାତ୍ର, କେଦାର ନାଥ ନାୟକ, କେ. ଚନ୍ଦ୍ର ଶେଖର ପାତ୍ର, ଚାନ୍ଦବାଲି ଆର,ଏମ୍‌ସି ସମ୍ପାଦକ ଦୀପ୍ତିରଞ୍ଜନ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧବକାରୀ ଜୟନ୍ତୀ ବେହେରା ପ୍ରମୁଖଙ୍କ ସହ ଚାଷୀ ପ୍ରତିନିଧି ବୃନ୍ଦ, ମିଶନ ଶକ୍ତି ଓ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.