Home ଜିଲ୍ଲା ପରିକ୍ରମା ପୀରବାବାଙ୍କ ୪୨ତମ ବାର୍ଷିକ ଉର୍ସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପୀରବାବାଙ୍କ ୪୨ତମ ବାର୍ଷିକ ଉର୍ସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

21

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପୀରବାବା ହୋଜୁର ମୁହାହିଦ-ଇ-ମିଲ୍ଲାତଙ୍କ ୪୨ତମ ବାର୍ଷିକ ଉର୍ସ ଉତ୍ସବ ପାଳନ ଉପଲକ୍ଷେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସଦ୍‌ଭାବନା ସମ୍ମିଳନୀ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଅତିରିକ୍ତ ଏସ୍‌.ପି. ଯତିନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ଏଥିରେ ଯୋଗଦାନ କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଉର୍ସ ମୁଜାହିଦ୍‌-ଇ-ମିଲ୍ଲାତ୍ କମିଟିର ସମ୍ପାଦକ ମହମ୍ମଦ ଇସ୍ରାଇଲ ହବିବ୍ ଏବର୍ଷ ପାଇଁ ଉର୍ସ ଉତ୍ସବ ପାଳନ ପାଇଁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେବା ସହ ଗତ ବର୍ଷ କରୋନା କଟକଣା ମଧ୍ୟରେ ପାଳନ କରାଯାଇଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରକାଶ କରିଥିଲେ । ଆଗାମୀ ଡ଼ିସେମ୍ବର ୧୦ଓ ୧୧ ଦୁଇ ଦିନ ଧରି ଏହି ଉତ୍ସବ ପାଳନ କରାଯିବ । ଯେହେତୁ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା କଟକଣାକୁ ପୂଜା ପାର୍ବଣ ପାଇଁ ମୁକ୍ତ କରାଯାଇ ନାହିଁ ସେହି ଆଧାରରେ ଚଳିତ ବର୍ଷ ପାଇଁ ମଧ୍ୟ କୋଭିଡ଼-୧୯ ମାର୍ଗ ଦର୍ଶିକା ଅନୁପାଳନ ପୂର୍ବକ ଉର୍ସ ଉତ୍ସବ ପାଳନ କରାଯିବା ପାଇଁ ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ ।

ଧାର୍ମିକ ସମାବେଶ ହୋଇପାରିବ ନାହିଁ । ସାଧାରଣ ଦର୍ଶନ, ଚାଦର ଶୋଭାଯାତ୍ରା ଆଦି ବନ୍ଦ ରହିବ । ଡ଼ାକବାଜି ଯନ୍ତ୍ର ବାଜିବ ନାହିଁ କି କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟ ହୋଇ ପାରିବ ନାହିଁ । ସିମୀତ ଲୋକ ନିୟମାନୁଯାୟୀ ୭ ଜଣଙ୍କୁ ନେଇ କୋଭିଡ଼୍ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ବାବାଙ୍କ ସମସ୍ତ ରୀତି ନୀତି କରାଯିବ । କୋରାନ ପାଠ, ବାବାଙ୍କ ସ୍ନାନ ଚାଦର ଚଡ଼ା ଆଦି ସେହି ସିମୀତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ପାଳନ କରାଯିବ । ଧାର୍ମିକ ସମ୍ମିଳନୀ, କବି ସମ୍ମିଳନୀ, ସାମୁହିକ ପ୍ରାର୍ଥନା ଆଦି ସମାବେଶ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ନାହିଁ । ଗତବର୍ଷ ଯେଉଁଭଳି ପାଳନ କରାଯାଇଥିଲା ଏବର୍ଷ ମଧ୍ୟ ସେହିପରି ପାଳନ କରାଯିବା ପାଇଁ ଜିଲ୍ଲାପାଳ କମିଟି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । କମିଟିର ସଦସ୍ୟମାନେ ମଧ୍ୟ ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତି ପ୍ରତି ସମ୍ମତି ପ୍ରକାଶ କରିଥିଲେ । ଧାମନଗର ଏସ୍‌.ଡ଼ି.ପି.ଓ ବିଜୟକୃଷ୍ଣ ମହାପାତ୍ର, ଧାମନଗର ଥାନାଧିକାରୀ ପ୍ରଦୀପ ମହାନ୍ତ, ଡ଼ି.ଏସ୍‌.ପି., ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ, ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡା, ଡ଼େପୁଟି କଲେକ୍ଟର କସ୍ତୁରୀବାଳା ଜେନା ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । କମିଟିର ସଭାପତି ହାଜରତ ମୌଲାନା ସୟଦ ଘୃଲାମ୍ ମହମ୍ମଦ ହବିବ୍‌, ଉପସଭାପତି ମୌଲାନା ସୟଦ ମୁସ୍ତାଫା ରାଜା ହବିବ୍ ସହକାରୀ ସମ୍ପାଦକ ସେକ୍ ଅବଦୁର ରହମାନ ହବିବ୍ ମଧ୍ୟ ଏହି ବୈଠକରେ ଯୋଗ ଦେଇ ମତାମତ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶେଷରେ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.