Home ଜିଲ୍ଲା ପରିକ୍ରମା ୩୩ ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

୩୩ ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

24

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ୩୩ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍‌.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କମିଟି ସଦସ୍ୟ ହିସାବରେ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ସଂପୃକ୍ତ କମ୍ପାନୀର ପରିଚାଳକ ଇଞ୍ଜିନିୟର ମାନେ ଏଥିରେ ଉପସ୍ଥିତ ରହି ସମୀକ୍ଷା ଓ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକର ଆବାହକ ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ସନତ କୁମାର ଜେନା ସାଭପତିଙ୍କ ନିର୍ଦ୍ଦେଶ କ୍ରମେ ଗତ ବୈଠକର ବିବରଣୀ ଆଧାରରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବୈଠକକୁ ସୂଚନା ପ୍ରଦାନ କରିବାକୁ ଯାଇ ଚରମ୍ପା ପାଖରେ ଲାଇଟପୋଷ୍ଟ ଘୁଞ୍ଚାଯିବା, ରାଣୀତାଲ ହାଇସ୍କୁଲ ପାଖରେ ରାସ୍ତାକାମ ହୋଇଥିବା, ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ସ୍କୁଲ ଗୁଡ଼ିକର ୨୦ ମିଟର ପୂର୍ବରୁ ସାଇନ୍‌ବୋର୍ଡ଼ ଲଗାଯିବା ବିଷୟରେ ଅବଗତ କରାଇଥିଲେ । ପରେ ପରେ ଆର୍‌.ଟି.ଓଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଆଧାରରେ ଜିଲ୍ଲାପାଳ ଓ ଏସ୍‌.ପି. ସମୀକ୍ଷା କରିଥିଲେ । ବିଶେଷ କରି ଆରଡ଼ିଛକରେ ସର୍ଭିିସ୍ ରୋଡ଼୍ ପାଶ୍ୱର୍ରେ ଡ଼୍ରେନ୍ ଉପରେ ସ୍ଲାବ୍ ଗୁଡ଼ିକ ଠିକ୍ ଭାବେ ପଡ଼ି ନଥିବା ଅନେକ ଜାଗାରେ ଫାଙ୍କା ଥିବା କାରଣରୁ ଦୁର୍ଘଟଣା ଘଟିବା ଆଶଙ୍କା ନେଇ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ସଂପୃକ୍ତ ଡ଼ିବିଏଲ୍ କମ୍ପାନୀରେ ପରିଚାଳକ ପି.ମିଶ୍ରାଙ୍କୁ ୧୫ଦିନ ମଧ୍ୟରେ କାମ ସାରିବାକୁ ତାଗିଦ୍ କରିଥିଲେ ।

ବ୍ଲାକ୍‌ସ୍ପଟ୍ ଭାବେ ଚିହ୍ନଟ କରାଯାଇଥିବା ତ୍ରିଶୋଳପୁର, ରାଣୀତାଲ ଓ ଡ଼ାହାଣିଗଡ଼ିଆ ଉପରେ ବିଶେଷ କରି ସମୀକ୍ଷା କରାଯାଇଥିଲା । ମୋଟେଲ ଛକରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସର୍ଭିସ୍‌ରୋଡ଼ ପାଶ୍ୱର୍ରେ ବହୁ ସଂଖ୍ୟାରେ ମିକ୍‌ସଚର ମେସିନ୍‌, ଟ୍ରକ୍ ଆଦି ଛିଡ଼ା ହେବା ଯୋଗୁଁ ବସ୍ ଚଳାଚଳରେ ବ୍ୟାଘାତ ସୃଷ୍ଟିହେବା, ୪୦୭ ଭଳି କେତେକ ଗାଡ଼ିରେ ମିକସଚର ମେସିନ୍ ସହ ଶ୍ରମିକ ମାନଙ୍କୁ ଛିଡ଼ା କରାଇ ବିପଦ ସଙ୍କୁଳ ଭାବେ ପରିବହନ କରାଯିବା ଘଟଣା ପ୍ରତି କମିଟି ସଦସ୍ୟ ରୋଟାରୀ କ୍ଲବ୍ ମିଡ଼ଟାଉନ୍‌, ଭଦ୍ରକର ସହକାରୀ ଗଭର୍ଣ୍ଣର ଅତିସ୍ ବେହେରା ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ଦିଗରେ ଚେକିଂ କରି ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଆର.ଟି.ଓକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟତମ କମିଟି ସଦସ୍ୟ ସାମ୍ବାଦିକ ରବିନାରାୟଣ ଖିଲାର ଆରଡ଼ିଛକ ଠାରେ ରାସ୍ତା ମରାମତି ପାଇଁ ଓ ଭଦ୍ରକବସ୍ ସିଣ୍ଡିକେଟର କର୍ମକର୍ତ୍ତା ଗଗନ ରାଉତ ସଡ଼କ ସୁରକ୍ଷା ନେଇ ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜରିଆରେ ସଚେତନତା ବୃଦ୍ଧି ସହ ଗ୍ରାମାଞ୍ଚଳରେ ହେଲମେଟ୍ ଯାଞ୍ଚ କଡ଼ାକଡ଼ି କରିବାକୁ ପ୍ରସ୍ତାବ ଦେଇଥିଲେ । ଚରମ୍ପା ଓଭର ବ୍ରିଜର ଗଳାପୋଲ ରାସ୍ତାକୁ ସାମୟିକ ଭାବେ ବନ୍ଦ କରାଯିବାପାଇଁ ମତ ପ୍ରକାଶ ପାଇଥିଲା । ବୈଠକରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଜାନୁୟାରୀ-୨୧ ରୁ ଅକ୍ଟୋବର ୨୧ ମଧ୍ୟରେ ୨୦୮ଟି ଦୁର୍ଘଟଣା ଘଟିଛି ।

୯୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩୧ ଜଣ ଆଘାତ ପ୍ରାପ୍ତ ହୋଇଛନ୍ତି । ପୋଲିସ୍ ଦ୍ୱାରା ତନଖି ବେଳେ ହେଲମେଟ୍ ଆଇନ୍ ଭାଙ୍ଗିଥିବା ଅପରାଧରେ ୧୫,୦୯୯ ଜଣ ଚିହ୍ନଟ ହୋଇଥିଲା ବେଳେ ୩୬୦ ଜଣଙ୍କ ଡ଼୍ରାଇଭିଂ ଲାଇସେନ୍‌ସ ରଦ୍ଦ କରାଯାଇଛି । ଅଧିକ ବେଗରେ ଗାଡ଼ିଚାଳନା ଅପରାଧରେ ୧୧୩ ଜଣଙ୍କୁ ଚିହ୍ନଟ କରାଯାଇ ୧୬ ଜଣଙ୍କ ଲାଇସେନସ୍ ରଦ୍ଦ କରାଯାଇଛି । ସେହିଭଳି ଆର.ଟି.ଓଙ୍କ ଦ୍ୱାରା ହେଲମେଟ ପିନ୍ଧିବା ଅବମାନନାରେ ୩୦୦୪ ଜଣଙ୍କୁ ଚିହ୍ନଟ କରାଯାଇ ୧୭୪ ଜଣଙ୍କ ଲାଇସେନ୍‌ସ୍ ରଦ୍ଦ କରାଯାଇଛି । ଅଧିକ ବେଗରେ ଗାଡ଼ିଚାଳନା ଯୋଗୁଁ ୧୨୯୬ ଜଣଙ୍କୁ ଚିହ୍ନଟ କରାଯାଇ ୨୪୧ ଜଣଙ୍କ ଲାଇସେନସ୍ ରଦ୍ଦ କରାଯାଇଛି । ସଡ଼କ ସୁରକ୍ଷା ପାଇଁ ରାସ୍ତା ନିର୍ମାଣରେ ଯାନ୍ତ୍ରିକ ତ୍ରୁଟି ସୁଧାରିବା ଜନ ସଚେତନତା ବୃଦ୍ଧି କରାଯିବା ପୋଲିସ୍ ଏବଂ ଆର.ଟି.ଓ ଙ୍କ ଦ୍ୱାରା ଯାଞ୍ଚ କାର୍ଯ୍ୟ ଏହି ତିନି ପ୍ରମୁଖ ଦିଗ ପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ଅଛି ବୋଲି ଏସ୍‌.ପି. ବୈଠକରେ ପ୍ରକାଶ କରିବା ସହ ଏଥିପାଇଁ ପୋଲିସ୍ ବିଭାଗ ତରଫରୁ ଯାହା ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ ବୋଲି କହିଥିଲେ । ମଦ୍ୟପାନ, ଅଧିକବେଗ ଓ ହେଲମେଟ୍ ଆଇନ୍‌କୁ ଅବମାନନା କରୁଥିବା ଗାଡ଼ିଚାଳକମାନଙ୍କୁ ଧରପଗଡ଼ କରିବା ପାଇଁ ନିୟମିତ ଭାବେ ଆର.ଟି./ଓ ଓ ପୋଲିସ୍ ବିଭାଗ ଦ୍ୱାରା ତଦନ୍ତ କାର୍ଯ୍ୟ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.