ହାଟଡ଼ିହି, ୧୯ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରୁ ଲଗାତାର ଚୋରୀ ଘଟଣା ଲାଗି ରହିଥିବାବେଳେ ପୁଲିସ ସାମାନ୍ୟତମ ସୁରାକ ପାଇବାରେ ବିଫଳ ହୋଇଛି । ଏପରିକି କିଛିଦିନ ହେଲା ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ଚୋର ମାନଙ୍କ ଉତ୍ପାତ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି । ଗତକାଲି ରାତିରେ ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ଥିବା ମରୈଗାଁ ବଜାରରେ ୫ଟି ଦୋକାନରୁ ଚୋରୀ ହେବା ଘଟଣା ଏହାର ପ୍ରମାଣ କରୁଛି । ଗତକାଲି ରାତିରେ ବଜାରରେ ଥିବା ନାରାୟଣ ବେହେରାଙ୍କ ପୂଜା ସାମଗ୍ରୀ ଦୋକାନ, ପ୍ରଫୁଲ ଘଡେଇଙ୍କ ଧାନକଣ୍ଟା, ସୁଦର୍ଶନ ନାୟକଙ୍କ ପାନ ଦୋକାନ, ମଧୁସୁଦନ ନାୟକଙ୍କ ଭେରାିଟ ଷ୍ଟୋର, ପିତାମ୍ବର ସେଠୀଙ୍କ ଆଳୁ ପିଆଜ ଦୋକାନରୁ ଚୋରୀ ହୋଇଛି । କାହାର ଦୋକାନ ତାଲା ଭାଙ୍ଗି ତ ଆଉ କାହାର ସ୍କାଏଲାଇଟ ଭାଙ୍ଗି ଚୋରି ହୋଇଛି । ଆଜି ସକାଳୁ ଦୋକାନୀମାନେ ଆସି ଦୋକାନ ଖୋଲିବାପରେ ଚୋରୀ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେହିପରି ଗତ ୪/୫ଦିନ ପୁର୍ବେ ବଡରମ୍ପାସ ହାଇସ୍କୁଲରୁ କେହି ଦୁର୍ବୁତ ଇନଭଟର ଚୋରୀ କରିନେଇଥିବାବେଳେ ଗତ କିଛିଦିନ ପୁର୍ବେ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରୁ କମ୍ପ୍ୟୁଟର, ପ୍ରିଣ୍ଟର ସମେତ ଅନେକ ମୁଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ । ସେହିପରି ଗତ ୬/୭ଦିନ ତଳେ ନୁଆରମ୍ପାସ ଗ୍ରାମରେ ଦୁଇ ତିନୋଟି ମନ୍ଦିରରୁ ଚୋରୀ ହୋଇଥିବାବେଳେ ଶାସଙ୍ଗ ଛକର ମହାଦେବ ମନ୍ଦିରରୁ ମଧ୍ୟ ଚୋରୀ ହୋଇଥିଲା । ବାରମ୍ବାର ଚୋରୀ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଏନେଇ କୌଣସି ସନ୍ଧାନ ପାଇପାରୁ ନଥିବା କୁହାଯାଉଛି । ପୁଲିସ ପେଟ୍ରୋଲିଂ କଡାକଡି କରାଯାଉ ନଥିବାରୁ ଦିନକୁ ଦିନ ଚୋର ମାନଙ୍କ ଉତ୍ପାତ ବଢ଼ିବଢ଼ି ଚାଲିଛି । ତେଣୁ କେନ୍ଦୁଝର ଏସପି ଏଥିପ୍ରତି ଗୁରୁତ୍ୱ ଦେଇ ପେଟ୍ରୋଲିଂ ବ୍ୟବସ୍ଥା କରାଇବାକୁ ଦାବି ହେଉଛି ।