Home ଜିଲ୍ଲା ପରିକ୍ରମା ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ଆପ୍ତିରାଷଡ଼ଙ୍ଗୀ ସାହି, ସ୍ୱାଧିନତାର ୭୫ବର୍ଷ ପରେ ବି ନିର୍ମାଣ ହେଉନି...

ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ଆପ୍ତିରାଷଡ଼ଙ୍ଗୀ ସାହି, ସ୍ୱାଧିନତାର ୭୫ବର୍ଷ ପରେ ବି ନିର୍ମାଣ ହେଉନି ରାସ୍ତା

49

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ଏହି ଅର୍ଥର ସଦୁପଯୋଗ କେବଳ କାଗଜ କଲମରେ ହେଉଛି । ଯାହାକି ଷଡ଼ଙ୍ଗୀ ସାହିକୁ ଦେଖିଲେ ଜଣାପଡ଼ୁଛି । ଏହି ସାହି ଟିର ଅବସ୍ଥା ନିଜ ଆଖିରେ ନଦେଖିଲେ ଅନୁଭବ କରିବା କଷ୍ଟକର । ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ୧ନଂ ୱାର୍ଡ଼ ଅର୍ନ୍ତଗତ ଆପ୍ତିରାର ଷଡ଼ଙ୍ଗୀ ସାହି । ଏହି ସାହି ସ୍ୱାଧିନତାର ୭୩ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ସାମନ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଆସୁଛନ୍ତି;ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏହି ସାହିର ଲୋକ ସଂଖ୍ୟା ପାଖାପାଖି ୩୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ଆପ୍ତିରା ସ୍କୁଲ ଠାରୁ ଏକ କାଦୁଅ ରାସ୍ତା ଏହାକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଏହି ସାହିକୁ ଯିବା ସ୍ୱପ୍ନ । ଚାଷଜମି ମଧ୍ୟରେ ଲମ୍ବି ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ଏହି ରାସ୍ତାରେ ସାପ ଭୟ ରହିଥାଏ । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକିବା ।

ବଜାରକୁ ନ ଗଲେ ରୋଷେଇ ବନ୍ଦ, ପୁଣି କଲେଜକୁ ନ ଗଲେ ପାଠ ପଢା ବନ୍ଦ । ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ । ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ଆପ୍ତିରା ସ୍କୁଲ, ଆଗରପଡ଼ା କଲେଜ, କୋମଳମତୀ ଶିଶୁ ଆପ୍ତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ହେଲେ ଏହି ରାସ୍ତାରେ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ସଂପୂର୍ଣ୍ଣ ବ୍ୟାହତ ହୋଇପଡ଼େ । କିଛି ଗ୍ରାମବାସୀଙ୍କ ବ୍ୟକ୍ତିଗତ ଜାଗା ଦେଇ ରାସ୍ତାଟି ଯାଇଛି । ସୋସୋ ମାଇନର କେନାଲକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ତଦୃପ । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏଠାରୁ ପ୍ରାୟ ୫୦୦ମିଟର ଦୂରରେ ରହିଥାନ୍ତି । ରୋଗୀଙ୍କୁ ଦୋଳାରେ ୫୦୦ମିଟର ବୋହିବାକୁ ପଡ଼ଥିବାବେଳେ ନିଆଁ ଲାଗିଲେ ଦମକଳ ଆସିପାରେ ନାହିଁ । ଏହି ସବୁ ସମସ୍ୟା ଯୋଗୁଁ ସ୍ୱାକ୍ଷରଙ୍କ ଠାରୁ ନିରକ୍ଷରଙ୍କ ସଂଖ୍ୟା ଅଧିକ । ଆମେ ଯେମିତି ଏକ ଦ୍ୱିପପୁଂଜରେ ରହୁଥିବା ଅନୁଭବ କରୁଛୁ ବୋଲି ଏଠାର ବାସୀନ୍ଦା କହିଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥିଲେ ସୁଦ୍ଧା ତାହା ଆଜିଯାଏ କେବଳ ପ୍ରତିଶୃତିରେ ହିଁ ରହିଯାଇଛି । ବିଭିନ୍ନ ଉପାୟରେ ଓ ବିଭିନ୍ନ ସମୟରେ ଯଥା ରାସ୍ତାରେ ଧାନ ଓ ଶାଗ ଗଛ ଲଗାଇ ଷଡ଼ଙ୍ଗୀବାସୀ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କିଛି ସୁଫଳ ପାଇପାରି ନାହାନ୍ତି । ସବୁଆଡ଼େ ରାସ୍ତା କାର୍ଯ୍ୟ ହେଉଛି ଅଥଚ ଏଠାରେ ହେଉ ନାହିଁ । ଆମ ସାହିବାସୀନ୍ଦାଙ୍କୁ ଏହା ଏକ ଅଭିଶାପ ବୋଲି କିଛି ବୟସ୍କ ଲୋକ ଲୁହ ଭିଜା ନୟନରେ କହିବା ସହ ଏହି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦୃଢ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.