Home ଜିଲ୍ଲା ପରିକ୍ରମା ବିପଦ ସଂକୁଳ ବିଦ୍ୟୁତ୍ ଖୁଣ୍ଟ ଯୋଗୁଁ ଜିଲା ପ୍ରଶାସନ ନିକଟରେ ସୁରକ୍ଷା ଲୋଡିଲେ ଆତଙ୍କିତ ପରିବାର

ବିପଦ ସଂକୁଳ ବିଦ୍ୟୁତ୍ ଖୁଣ୍ଟ ଯୋଗୁଁ ଜିଲା ପ୍ରଶାସନ ନିକଟରେ ସୁରକ୍ଷା ଲୋଡିଲେ ଆତଙ୍କିତ ପରିବାର

16

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିପଦ ସଂକୁଳ ବିଦ୍ୟୁତ୍ ଖୁଣ୍ଟ ଯୋଗୁଁ ଏକ ପରିବାର ଆତଙ୍କିତ ଅବସ୍ଥାରେ ରାତି ଅନିଦ୍ରା ହୋଇ ରହିବା ଘଟଣା ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସଙ୍କ ନିକଟରେ ହୋଇଥିବା ଅଭିଯୋଗରୁ ଜଣାପଡିଛି । ଭଦ୍ରକର ଗେଲପୁର ପଂଚାୟତ ଅଧୀନସ୍ଥ ସାମରାଇପୁର ମହାବୀରନଗର ନିବାସୀ ଦିବାକର ସେଠୀଙ୍କ ପରିବାର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଘର ନିର୍ମାଣ କରି ରହିଆସୁଛନ୍ତି । ତେବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ତାଙ୍କ ଘର କାନ୍ଥକୁ ଲାଗି ୧୧ କେଭିର ତାର ବିପଦ ସଂକୁଳ ଅବସ୍ଥାରେ ଖୁଣ୍ଟ ପୋତାଯାଇ ଏଲ୍‌ଖା, ଗରଦପୁର ଓ ଚନ୍ଦନବଜାର ଅଂଚଳକୁ ଯାଇଅଛି । ବିଶେଷକରି ବର୍ତ୍ତମାନର ବର୍ଷାଦିନରେ ଏହି ଖୁଣ୍ଟର ତାର ବାରମ୍ବାର ଛିନ୍ନ ହୋଇ ତାଙ୍କ ଘରର ଛାତ ଉପରେ ପଡୁଥିବାରୁ ସେମାନଙ୍କ ପରିବାର ଆତଙ୍କିତ ଅବସ୍ଥାରେ ରହିଆସୁଛନ୍ତି । ଫଳରେ ସେମାନେ ଭୟରେ ଘରର ଛାତ ଉପରକୁ ଯାତାୟତ କରିପାରୁନାହାଁନ୍ତି । ଏଭଳି ଗୁରୁତର ସମସ୍ୟା ସଂପର୍କରେ ଶ୍ରୀ ସେଠୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୀର୍ଘଦିନ ହେବ ଅବଗତ କରାଇବା ପରେ ସ୍ଥାନୀୟ ଏସ୍‌ଡିଓ ଓ ଜେଇ ୬ ମାସ ତଳେ କ୍ଷେତ୍ରୀୟ ତଦନ୍ତ କରି ଗତ ଦେଢମାସ ହେବ ନୂତନ ଖୁଣ୍ଟ ପକାଇ ପୁରାତନ ଖୁଣ୍ଟଟିର ସ୍ଥାନାନ୍ତର ନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ତାହା ଅଦ୍ୟାବଧି ଅଧାପନ୍ତରିଆ ଅବସ୍ଥାରେ ରହିଛି । ଏ ଦିଗରେ ସେ ବିଭାଗୀୟ ଜେଇଙ୍କୁ ବାରମ୍ବାର ଜଣାଇବାରୁ ସେ ତାଙ୍କ ପ୍ରତି ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ ପୂର୍ବକ ‘ଯା’ ପଳା ଏଠାରୁ, ତୁମର କୌଣସି କାର୍ଯ୍ୟ ହେବ ନାହିଁ’ ବୋଲି କହିବା ଘଟଣା ତାଙ୍କ ଭଳି ଜଣେ ଦରିଦ୍ର ପରିବାର ଲୋକଙ୍କୁ ମ୍ରିୟମାଣ କରିଛି । ଏଣୁ ଏ ଦିଗରେ ଉଚିତ୍ ଦୃଷ୍ଟି ଦିଆଯାଇ ପୋତାଯାଇଥିବା ନୂତନ ବିଦ୍ୟୁତ୍ ଖୁଣ୍ଟଟିର କାର୍ଯ୍ୟ ଆରମ୍ଭ ପୂର୍ବକ ପୁରାତନ ଖୁଣ୍ଟିଟିର ସ୍ଥାନାନ୍ତର କରିବାକୁ ସେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏବଂ ଏହି ଘଟଣାରେ ଅତିରିକ୍ତ ଜିଲାପାଳ ଶ୍ରୀ ଦାସ ଜିଲା ପ୍ରଶାସନର ପତ୍ର ନଂ ୭୮୨୧/୨୧ ମୂଳେ ଟିପିଏନ୍‌ଓଡିଏଲ୍ (ଟିପି ନର୍ଦ୍ଦନ ଓଡ଼ିଶା ବିଦ୍ୟୁତ୍ ବିତରଣ ଲିମିଟେଡ୍‌)ର ଅଧୀକ୍ଷକ ଓ ବାଲେଶ୍ୱରସ୍ଥିତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପତ୍ର ଲେଖିବା ସହ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍ ଖଣ୍ଡ (ଉତ୍ତର), ଭଦ୍ରକଙ୍କ ନିକଟକୁ ମଧ୍ୟ କପି ପ୍ରେରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.