Home Top News ଛଅ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ : ଖୁବ୍ ଶୀଘ୍ର ଓଡିଶାରେ...

ଛଅ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ : ଖୁବ୍ ଶୀଘ୍ର ଓଡିଶାରେ ଜଳବିବାଦର ସମାଧାନ ହେବ : ବିଶେଶ୍ୱର ଟୁଡୁ

157

ବିମାନ ବନ୍ଦରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା
ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା
ଆଦିବାସୀମାନଙ୍କ ଅର୍ଥନୈତିକ ବିକାଶରେ ବାଧକ ସାଜୁଛନ୍ତି ରାଜ୍ୟ ସରକାର
ଓଡିଶାରେ ସଂଘୀୟ ବ୍ୟବସ୍ଥାରେ ବହୁ ବ୍ୟତୀକ୍ରମ ହେଉଛି

ଭୁବନେଶ୍ୱର ୦୬/୦୯ (ଓଡ଼ିଆ ପୁଅ) : ମୋଦି ସରକାରରେ ଓଡିଶାର ବିକାଶକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଟଙ୍କା ଦିଏ ଏବଂ ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ କରନ୍ତି। ରାଜ୍ୟକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଆସୁଛି। ଏପରିକି ଦିଆଯାଉଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ଖର୍ଚ୍ଚ କରିନପାରିବାରୁ ତାହା ପୁଣି କେନ୍ଦ୍ରକୁ ଫେରିଯାଉଛି। ‘ହର୍ ଘର୍ ଜଲ୍‌’ ଯୋଜନାରେ ଓଡିଶା ରାଜ୍ୟକୁ ୩୨୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ୧ଲକ୍ଷ ୪୨ କୋଟି ଟଙ୍କା ରାଜ୍ୟ ସରାକାର ପାଇଛନ୍ତି। ବିଶେଷ ଭାବେ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି। ରାଜ୍ୟ ସରକାର ୟୁସି ଦେବାରେ ବିଫଳ ହେଉଛନ୍ତି। ଅନ୍ୟ ପଟେ ନିଜ ନାଁ ରେ ବ୍ରାଣ୍ଡିଂ କରି କେନ୍ଦ୍ରୀୟ ଯୋଜନାକୁ ହଡପ୍ କରିବାରେ ରାଜ୍ୟ ସରକାର ବ୍ୟସ୍ତ। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଓ ଦୂରଦୃଷ୍ଟି ଅଭାବରୁ ଆଦିବାସୀ କଲ୍ୟାଣ ପାଇଁ ଏ ସବୁ ଅର୍ଥ ଖର୍ଚ୍ଚ ହେଇପାରୁନାହିଁ। ଏହା ଦ୍ୱାରା ଆଦିବାସୀମାନଙ୍କ ଅର୍ଥନୈତିକ ବିକାଶରେ ବାଧାପ୍ରାପ୍ତ ହେଉଛି ବୋଲି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରଥମ ଥର ସ୍ଥାନ ପାଇ ଓଡିଶା ଗସ୍ତରେ ଆସିଥିବା ମୟୁରଭଂଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି।

ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମେତ ବିଭିନ୍ନ ଜଳ ସମସ୍ୟା କାରଣରୁ ରାଜ୍ୟବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରିବୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି। ଖୁବ୍ ଶୀଘ୍ର ଓଡିଶାରେ ଜଳବିବାଦର ସମାଧାନ ହେବ ବୋଲି ଶ୍ରୀ ଟୁଡୁ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଓଡିଶାରେ ସଂଘୀୟ ବ୍ୟବସ୍ଥାରେ ବହୁ ବ୍ୟତୀକ୍ରମ ହେଉଛି। ସ୍ୱାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆଦିବାସୀ କଲ୍ୟାଣକାରୀ ଯୋଜନାର ସଠିକ କାର୍ଯ୍ୟକାରୀ ହେବାରେ ବ୍ୟତିକ୍ରମ ଦେଖାଯାଉଛି। ଏହା ଅତ୍ୟନ୍ତ ଜନବିରୋଧୀ। ଆଦିବାସୀଙ୍କ କଲ୍ୟାଣ ପାଇଁ ବିଭାଗ ତରଫରୁ ଅନେକ ବ୍ୟବସ୍ଥା ରହିଛି। ମୋଦି ସରକାର ରାଜ୍ୟବାସୀଙ୍କ ପାଇଁ ଅର୍ଥ ପ୍ରଚୁର ପରିମାଣର ଅର୍ଥ ପଠାଉଛନ୍ତି ଏବଂ ଏହାକୁ ଓଡିଶାବାସିଙ୍କ ସ୍ୱାର୍ଥରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ରାଜ୍ୟ ସରକାରଙ୍କ ଆନ୍ତରିକତା ଏବଂ ଦୁରଦୃଷ୍ଟି ଅଭାବ କାରଣରୁ ସରଳ ଓ ଗରୀବ ରାଜ୍ୟବାସୀ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ହେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଏହି ଅବସରରେ କହିଛନ୍ତି।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଆଜି ଛଅ ଦିନିଆ ଓଡିଶା ଗସ୍ତରେ ଆସି ଭୂବନେଶ୍‌ବରଠାରେ ପହଂଚିବା ପରେ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅସୁସ୍ଥତା କାରଣରୁ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇପାରିନଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମନ୍ତ୍ରୀପଦ ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି। ଶ୍ରୀ ଟୁଡୁ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସିଧାସଳଖ ପୁରୀ ଗସ୍ତ କରିଥିଲେ। ପୁରୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ପିପିଲି, ସାକ୍ଷିଗୋପାଳ ଆଦି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ।

ପୁରୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଉପଢୈାକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ ଓ ଐର ଖାରବେଳ ସ୍ୱାଇଁ, ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶନୀ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ସର୍ବପ୍ରଥମେ ବିଜେପି ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ପାର୍ଟୀର ବିଭିନ୍ନ ମୋର୍ଚ୍ଚା ଓ ସେଲ୍‌, ବିଭିନ୍ନ ଜିଲ୍ଲା ସଭାପତି, ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’କୁ ପାଥେୟ କରି ପ୍ରଧାନ ସେବକ ଭାବେ କାର୍ଯ୍ୟରତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍‌ରେ ସାମିଲ ହୋଇଥିବାରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି। ଆଗାମୀ ଦିନରେ ଦେଶ ତଥା ରାଜ୍ୟର ବିକାମୂଳକ କାର୍ଯ୍ୟ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀ ଟୁଡୁ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆସନ୍ତା କାଲି ଭୁବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରଯାପନ କରିବେ। ଆସନ୍ତା ୮, ୯, ୧୦ ଓ ୧୧ ତରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.