ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଆଜି ୩ ହାଇୱେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁଶାନ୍ତ ସ୍ୱାଇଁ ଓରଫ ବଳିଆ, ବିଜୟ ଜେନା ଓରଫ କୁନିପୁଅ, ସୁଶାନ୍ତ ଜେନା ଓରଫ ଚଇତା ୧୬ନଂ ଜାତୀୟ ରାଜପଥରେ ଚଳନ୍ତା ଗାଡିକୁ ଅଟକାଇ ଟ୍ରକ୍ ଡ୍ରାଇଭର ପାଖରୁ ଟଙ୍କା ଓ ମୋବାଇଲ୍ ଲୁଟ୍ କରିଆସୁଥିଲେ । ତେବେ ଗତକାଲି ସେମାନେ ନଳାଙ୍ଗ ନିକଟରେ ଏକ ଚଳନ୍ତା ଟ୍ରକ୍କୁ ଅଟକାଇ ଡ୍ରାଇଭରକୁ ଧମକ ଚମକ ଦେବା ସହ ତା ଠାରୁ ୧୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟି ନେଇଥିଲେ । ଏଥିନେଇ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୩୬୬/୨୧, ଦଫା ୩୯୪ ଆଇପିସି ମୂଳେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିଲା । ଆଜି ଗ୍ରାମାଞ୍ଚଳ ଥାନା ପୁଲିସ୍ ଉକ୍ତ ଘଟଣାରେ ଉପରୋକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୪ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ କରି କୋର୍ଟ ଚାଲାଣ କରିଛି । ଏ ନେଇ ଅଧିକ ତଦନ୍ତ ଚାଲୁରହିଛି ।