– ଏହି ପ୍ରଯୁକ୍ତି କଂପାନି ଦୀର୍ଘସ୍ଥାୟୀ ଶକ୍ତି ସଂରକ୍ଷଣ ପ୍ରୟୋଗ ଉପରେ କାର୍ଯ୍ୟ କରୁଛି
– ଋିଲାଏନ୍ସର ନୂଆ ଶକ୍ତି ବ୍ୟବସାୟ ପାଇଁ ଗ୍ରିଡ୍-ଆକାର, ଶକ୍ତି ଓ ମିତବ୍ୟୟୀ ସଂରକ୍ଷଣ ପ୍ରଯୁକ୍ତି ପ୍ରଦାନ କରିବ
ଭୁବନେଶ୍ୱର ୧୧ ଅଗଷ୍ଟ (ଓଡ଼ିଆ ପୁଅ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍ଏନ୍ଇଏସ୍ଏଲ୍) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍ସି, ବିଲ୍ ଗେଟ୍ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ସ୍ଥିତ ଶକ୍ତି ସଂରକ୍ଷଣ (ଷ୍ଟୋରେଜ୍) କଂପାନି ଆମ୍ବ୍ରି ଆଇଏନ୍ସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। ଏହି ନିବେଶ କଂପାନିକୁ ଶକ୍ତି ଷ୍ଟୋରେଜ୍ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଷ୍ଟକ୍ର ୪୨.୩ ନିୟୁତ ସେୟାରକୁ ଅଧିଗ୍ରହଣ କରିବା ଲାଗି ଆରଏନ୍ଇଏସ୍ଏଲ୍ ୫୦ ନିୟୁତ ଡଲାର ନିବେଶ କରିବ।
ପେଟେଂଟ୍ ପ୍ରଯୁକ୍ତି ଭିତିକ ଓ ୪ ରୁ ୨୪ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ରା ଭାବେ ଡିଜାଇନ୍ କରାଯାଇଥିବା ଆମ୍ବ୍ରିର ଲମ୍ବା ସମୟ ଶକ୍ତି-ସଂରକ୍ଷଣ ବ୍ୟବସ୍ଥା ଗ୍ରୀଡ୍ ସ୍କେଲ୍ରେ ସ୍ଥିର ଷ୍ଟୋରେଜ୍ ପ୍ରୟୋଗଗୁଡିକରେ ବୃବହୃତ ଲିଥିୟମ୍ ଆୟନ ବ୍ୟାଟେରି ସହ ଜଡ଼ିତ ଥିବା ବ୍ୟୟ, ଦୀର୍ଘସ୍ଥାୟିତ୍ୱ ଓ ସୁରକ୍ଷାଜନିତ ପ୍ରତିବନ୍ଧକଗୁଡିକୁ ଦୂର କରିବ। ଏହାର ଗୁରୁତ୍ୱପୂର୍ଣ୍ଣ ଶକ୍ତି ସଂରକ୍ଷଣ ସମାଧାନକୁ ସକ୍ଷମ କରିବ ଯାହା ବିଦ୍ୟୁତ୍ ଗ୍ରୀଡ୍ ସହ ସମନ୍ୱିତ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ପାଇଁ ସହାୟକ ହେବ।
ଭାରତରେ ଏକ ବୃହତ ଆକାରର ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ନେଇ ଆରଏନଇଏସ୍ଏଲ୍ ଓ ଆମ୍ବ୍ରି ମଧ୍ୟରେ ଆଲୋଚନା ଜାରି ରହିଛି ଯାହା ଆଗକୁ ବ୍ୟାପକ ହୋଇ ରିଲାଏନ୍ସର ସବୁଜ ଶକ୍ତି ଉଦ୍ୟମ ପାଇଁ ଖର୍ଚ୍ଚକୁ ଆହୁରି ହ୍ରାସ କରିବ।
ଚଳିତ ବର୍ଷ ଜୁନ୍ରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଜାମନଗରରେ ଶକ୍ତି ସଂରକ୍ଷଣ ଲାଗି ସ୍ଥାପନ କରାଯିବାକୁ ଥିବା ଗିଗା ଫ୍ୟାକ୍ଟ୍ରି (କାରଖାନା) ସମ୍ପର୍କିତ ଯୋଜନା ବିଷୟରେ ଘୋଷଣା କରିଥିଲେ। “ଆମେ ନୂଆ ଓ ଉନ୍ନତ ଇଲେକ୍ଟ୍ରୋ-କେମିକାଲ୍ ପ୍ରଯୁକ୍ତିର ସନ୍ଧାନ କରୁଛୁ ଯାହାକୁ ଆମେ ଶକ୍ତି ସଂରକ୍ଷଣ ଲାଗି ବଡ଼ ଧରଣର ଗ୍ରିଡ୍ ବ୍ୟାଟେରି ପାଇଁ ବ୍ୟବହାର କରିପାରିବୁ। ବିଦ୍ୟୁତ ଉତ୍ପାଦନ, ସଂରକ୍ଷଣ ଓ ଗ୍ରିଡ୍ ସଂଯୋଗର ମିଶ୍ରଣ ଜରିଆରେ ଚବିଶ ଘଂଟା ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆମେ ବ୍ୟାଟେରି ପ୍ରଯୁକ୍ତି କ୍ଷେତ୍ରରେ ଥିବା ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବୁ ବୋଲି ଶ୍ରୀ ଅମ୍ବାନି ଘୋଷଣା କରିଥିଲେ।’’
ଆମ୍ବ୍ରି ପକ୍ଷରୁ ଘଂଟା ପ୍ରତି ୧୦ ମେଗାୱାଟ୍ରୁ ଆରମ୍ଭ କରି ୨ରୁ ଅଧିକ ଗିଗାୱାଟ୍ ପର୍ଯ୍ୟନ୍ତର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଦରକାର କରୁଥିବା ପ୍ରକଳ୍ପଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଇପାରିବ। କଂପାନି ତରଫରୁ କ୍ୟାଲସିୟମ୍ ଓ ଆଂଟିମୋନି ଇଲେକ୍ଟ୍ରୋଡ୍ ଭିତିକ ସେଲ୍ ଓ କଂଟେନର ଭିତିକ ବ୍ୟବସ୍ଥା ବିକଶିତ କରାଯିବ ଯାହା ଲିଥିୟମ୍ ଆୟନ ବ୍ୟାଟେରି ତୁଳନାରେ ସୁଲଭ ରହିବ ଓ ଯେକୌଣସି ପ୍ରକାର ଜଳବାୟୁ ପରିସ୍ଥିତିରେ କାର୍ଯ୍ୟ କରିବ ଓ ଏଥିପାଇଁ ଅତିରିକ୍ତ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଦରକାର ପଡ଼ିବନି ଏବଂ ସ୍ୱଳ୍ପ କ୍ଷୟ ସହିତ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବ। ଦିନ ବେଳା ସୃଷ୍ଟି ହେଉଥିବା ସୌର ଶକ୍ତିକୁ ସନ୍ଧ୍ୟା ଓ ଅତ୍ୟାବଶ୍ୟକ ସମୟର ଆବଶ୍ୟକତା ଲାଗି ସ୍ଥାନାନ୍ତର କରିବା ଭଳି ଉଚ୍ଚ ବ୍ୟବହାରର ପ୍ରୟୋଗ ଲାଗି ଆମ୍ବ୍ରିର ବ୍ୟବସ୍ଥା ବେଶ ଉପଯୋଗୀ। ଏହି କଂପାନି ୨୦୨୩ ଓ ପରବର୍ତ୍ତୀ ସମୟ ପାଇଁ ବାଣିଜ୍ୟିକ ପରିଚାଳନା ନିମନ୍ତେ ଗ୍ରାହକ ନିଶ୍ଚିତ କରୁଛି।