Home ଜିଲ୍ଲା ପରିକ୍ରମା ଅସହାୟତାର ସୁଯୋଗରେ ରକ୍ତ ଶୋଷୁଛି ଆଉଟସୋର୍ସିଂ କମ୍ପାନୀ, ଇପିଏଫ ସ୍ଲିପ୍‌ରେ ପ୍ରଭାତୀଙ୍କ ବେତନ ମାସିକ ୪ଶହ...

ଅସହାୟତାର ସୁଯୋଗରେ ରକ୍ତ ଶୋଷୁଛି ଆଉଟସୋର୍ସିଂ କମ୍ପାନୀ, ଇପିଏଫ ସ୍ଲିପ୍‌ରେ ପ୍ରଭାତୀଙ୍କ ବେତନ ମାସିକ ୪ଶହ ଟଙ୍କା

67

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପେଟ ଚାଖଣ୍ଡକ ପାଇଁ ସଂଗ୍ରାମ କରୁଥିବା ଲୋକଙ୍କ ଅସହାୟତାର ସୁୂଯୋଗ ନେଇ ଚାଲିଛନ୍ତି କେତେକ ଆଉଟସୋର୍ସିଂ ସଂସ୍ଥା । ବେତନ ଠାରୁ ଆରମ୍ଭ କରି ସରକାର ପ୍ରଣୟନ କରିଥିବା ସବୁ କିଛି ନିତୀନିୟମକୁ ଉଲଂଘନ କରି ଚାଲିଛନ୍ତି ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା । ବିଭିନ୍ନ ବିଭାଗରେ ଉପରିସ୍ଥ ଅଧିକାରୀଙ୍କୁ ହାତରେ ରଖି ନିୟୋଜିତ କରିଥିବା କର୍ମଚାରୀଙ୍କ ସ୍ୱାର୍ଥ ବିନିମୟରେ ନିଜର ସ୍ୱାର୍ଥ ସାଧନ କରିବାକୁ ପଛାଉ ନାହାନ୍ତି । ଏହି କ୍ରମରେ ଶ୍ରମ ଆଇନକୁ ଖୋଲା ଖୋଲି ଉଲଂଘନ କରି ଚାଲିଛନ୍ତି ସଂପୃକ୍ତ ଆଉଟସୋର୍ସିଂ ସଂସ୍ଥା । ୨ବର୍ଷ ପୂର୍ବେ ଭଦ୍ରକ ପୌରପାଳିକାର ୨ଶହରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ଇପିଏଫ ବାବଦକୁ କଟାଯାଇଥିବା ଅର୍ଥରାଶୀକୁ ଭୂବନେଶ୍ୱରସ୍ଥିତ ଏକ ସଂସ୍ଥା ହଣ୍ଟିଂ ହକ୍ ହଡ଼ପ କରିବାର ଅଭିଯୋଗ ଆସିଥିଲା । ଏହା ପରେ ପୌର କର୍ତ୍ତୃପକ୍ଷ ସଂପୃକ୍ତ ସଂସ୍ଥା ବିରୋଧରେ ସହରାଞ୍ଚଳ ଥାନାରେ ଏତଲା ଦେବା ସହିତ ଏହି ସଂସ୍ଥାକୁ କାର୍ଯ୍ୟରୁ ୍ରଅନ୍ତର କରିଥିଲେ । ଏହିକ୍ରମରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ଏକ ଆଉଟସୋର୍ସିଂ ସଂସ୍ଥା ସାରଳା ସକ୍ୟୁରିୀଟି ଏଣ୍ଡ ଫେସିଲିଟି ସର୍ଭିସ କିପରି ନିୟୋଜିତ କରିଥିବା କର୍ମଚାରୀଙ୍କୁ ଶୋଷଣ କରି ଚାଲିଛି ତାହାର ନମୁନା ଦେଖିବାକୁ ମିଳିଛି । ଭଦ୍ରକ ପୌରାଞ୍ଚଳ ଚରମ୍ପା ବରାଳପୋଖରୀ ଗ୍ରାମର ପ୍ରଭାତୀ ସାହୁ । ଦୀର୍ଘ ୧୧ ବର୍ଷ ଧରି ଜିଲ୍ଲା ଚିକିତ୍ସାଳୟରେ ସିକ୍ୟୁରିଟି କର୍ମଚାରୀ ଭାବେ କାର୍ଯ୍ୟରତ । ପ୍ରଥମେ ଭବାନୀ ସିକ୍ୟୁରିଟି ଅଧିନରେ ୩ବର୍ଷ, ହଣ୍ଟିଂ ହକ୍‌ରେ ୨ବର୍ଷ ସିକ୍ୟୁରିଟି ଭାବେ କାର୍ଯ୍ୟ କରିବା ପରେ ଗତ ୫ବର୍ଷ ହେଲା ସାରଳା ସକ୍ୟୁରିଟି ଏଣ୍ଡ ଫେସିଲିଟି ସଂସ୍ଥା ଦ୍ୱାରା ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଭାତୀଙ୍କ ଅଭିଯୋଗ ଅନୁଯାୟୀ ସାରଳା ସିକ୍ୟୁରିଟି ଏଣ୍ଡ ଫେସିିଲିଟି ସଂସ୍ଥା ସହ ଦୈନିକ ୩୨୦ଟଙ୍କା ମଜୁରୀରେ ସେ କାର୍ଯ୍ୟ କରିବାକୁ ଚୁକ୍ତିନାମା କରିଥିଲେ । କିନ୍ତୁ ତାଙ୍କୁ ୯ହଜାର ୬ଶହ ଟଙ୍କା ବଦଳରେ ମିଳୁଥିଲା ୪ହଜାର ୫ଶହ ଟଙ୍କା ।

କିନ୍ତୁ ତାଙ୍କ ଇପିଏଫ ଷ୍ଟେଟମେଣ୍ଟକୁ ଦେଖିଲେ ଯେ କେହି ବି ଚକିତ ହେବା ନିଶ୍ଚିତ । କାରଣ ଏହି ଷ୍ଟେଟମେଣ୍ଟ ଅନୁଯାୟୀ ପ୍ରଭାତୀଙ୍କୁ ୨୦୧୬ ମସିହା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ମିଳିଛି ମାସିକ ୪ଶହ ଟଙ୍କାର ବେତନ । ସେହି ଅନୁଯାୟୀ ତାଙ୍କର ଇପିଏଫ ଅର୍ଥରାଶୀ ୧୨ ପ୍ରତିଶତ ହିସାବରେ ୪୮ଟଙ୍କା କଟାଯାଇଛି । ଚୁକ୍ତିନାମା ଅନୁଯାୟୀ ଯଦି ହିସାବ କରାଯାଏ, ତେବେ ୨୦୧୬ରୁ ଆଜି ପର୍ଯ୍ୟନ୍ତ ତାଙ୍କର ଇପିଏଫ ରାଶୀ ପରିମାଣ ୫୫ହଜାର ୨୯୬ ଟଙ୍କା ଓ ନିୟୋଜନକାରୀ ସଂସ୍ଥାର ସେଆର ୫୯ହଜାର ୯୦୪ ଏହିପରି ମୋଟ ଏକଲକ୍ଷ ୧୨ଜାର ୨ଶହ ଟଙ୍କା ହେବା କଥା । କିନ୍ତୁ ମୋଟ ଜମାର ପରିମାଣ ହେଉଛି ୧୩ ହଜାର ୮୫୬ଟଙ୍କା । ଏଥିରୁ ସ୍ପଷ୍ଟ ଯେ ଉକ୍ତ ସଂସ୍ଥା କିପରି କର୍ମଚାରୀମାନଙ୍କୁ ଶୋଷଣ କରି ଚାଲିଛି । ପ୍ରଭାତୀଙ୍କୁ ସିନା ମିଳିଛି ଇପିଏଫ ସ୍ଲିପ୍ । କିନ୍ତୁ ତାଙ୍କ ପରି ଅନ୍ୟ ୧୩ଜଣଙ୍କୁ ଆଦୌ ଇପିଏଫ ସ୍ଲିପ ମିଳି ନାହିଁ । କିନ୍ତୁ ସେମାନଙ୍କ ବେତନରୁ ଇପିଏଫ ବାବଦରେ ଟଙ୍କା କଟୁଛି ବୋଲି କୁହାଯାଇଛି । ନିର୍ମଳ ଦାସ, ରଶ୍ମିତା ଜେନା, ଉର୍ବଷୀ ସାମଲ, ସଂଜୁଲତା ସେଠୀ, ଶ୍ରୀମନ୍ତ ଦାସ, ଅଶ୍ୱିନୀ ମହାନ୍ତି, କନକଲତା ସାହୁ, ଗାୟତ୍ରୀ ନାୟମ, ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ବାସିନ୍ଦା ତଥା ସଫେଇ କର୍ମଚାରୀ ଉମାକାନ୍ତ ସେଠୀ ଓ ତାଙ୍କ ପତ୍ନୀ ସୁମତୀ ସେଠୀଙ୍କ ମଜୁରୀରୁ ଇପିଏଫ କଟାଯାଇଥିଲେ ଏହା ଜମା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ମହାମାରୀ ସମୟରେ ସରକାରଙ୍କ କୋଭିଡ ପ୍ରୋତ୍ସାହନ ରାଶୀକୁ ମଧ୍ୟ ସଂପୃକ୍ତ ସଂସ୍ଥା ହଡ଼ପ କରିଛି ବୋଲି ସେମାନେ ଗୁରୁତର ଅଭିଯୋଗ କରିଛନ୍ତି । ତେବେ ସହରର ଅନ୍ୟ ଏକ ଆଉଟ ସୋର୍ସିଂ ସଂସ୍ଥା ଭବାନୀ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ ଅନ୍ୟ ଏକ ଗୁରୁତର ଅଭିଯୋଗ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ନାମରେ ଆସିଛି । ସିକ୍ୟୁରିଟି ସଂସ୍ଥା ଚଳାଇବା ପାଇଁ ପିଏଏସଏଆରଏ(ପସରା) ଲାଇସେନ୍ସ ବାଧ୍ୟତାମୂଳକ । କିନ୍ତୁ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ସଂସ୍ଥାର ଏହି ଲାଇସେନ୍ସ ନାହିଁ ବୋଲି ଓଡିଶା ପୁଲିସର ପ୍ରାଇଭେଟ ସିକ୍ୟୁରିଟି ଏଜେନ୍ସି ସେଲ ଏକ ସୂଚନା ଅଧିକାର ତଥ୍ୟରେ ସ୍ପଷ୍ଟ କରିଛି ବୋଲି ଭବାନୀ ସକ୍ୟୁରିଟି ସଂସ୍ଥାର ମାଲିକ ଅକ୍ଷୟ ଦାସ କହିଛନ୍ତି । ଏପରିସ୍ଥଳେ ଏକ ଜାଲ ସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟାରେ କିପରି ଭାଗନେବାକୁ ଅନୁମତି ଦିଆ ଯାଉଥିଲା ବୋଲି ସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହାବ୍ୟତୀତ ଏହି ସଂସ୍ଥା ଅନ୍ୟ ଏକ ଆଉଟସୋର୍ସିଂ ସଂସ୍ଥାର ପସରା ଲାଇସେନ୍ସକୁ ଜାଲ କରି ଆସୁଥିଲା ବୋଲି ଶ୍ରୀ ଦାସ କହିଛନ୍ତି । ତେବେ ଶୋଷଣର ଶୀକାର ଉପରୋକ୍ତ କର୍ମଚାରୀମାନେ ଖୁବଶୀଘ୍ର ଶ୍ରମ ଆୟୋଗଙ୍କ ଶରଣାପନ୍ନ ହେବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.