ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ମସଲାର କୌଣସି ଲେବୁଲ, ବ୍ରାଣ୍ଡ ନ ଥାଇ ବିକ୍ରି ହେଉଥିବା ଖବର ପାଇ ଖାଦ୍ୟ ସୁରକ୍ଷା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଗତ ଫେବୃଆରୀ ମାସ ୯ ତାରିଖରେ ଭଦ୍ରକ ଚରମ୍ପା ସ୍ଥିତ ‘ଏମ୍/ଏସ୍. ଡେଲି ନିଡ୍ସ, ୟୁନିଟ ଅଫ୍ ଡି ଆଣ୍ଡ ଡି ଏଣ୍ଟରପ୍ରାଇଜେସ’ ଉପରେ ଚଢଉ କରିଥିଲେ । ସେଠାରେ ବିଭିନ୍ନ ପ୍ରକାରର ମସଲା ଓ ଖାଦ୍ୟ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ନିଆ ଯାଇଥିଲା । ସେଥିମଧ୍ୟରୁ କୌଣସି ବ୍ରାଣ୍ଡ ନ ଥିବା ଓ ଷ୍ଟିଚିଂ ହୋଇ ନ ଥିବା ହଳଦୀଗୁଣ୍ଡର ନମୁନା ପରୀକ୍ଷା ପାଇଁ ଫୁଡ୍ ଟେଷ୍ଟିଂ ଲାବୋରେଟରୀ ଭୁବନେଶ୍ୱରକୁ ପଠା ଯାଇଥିଲା । ଯାହାର ରିପୋର୍ଟ ୨୨ା୨ା୨୦୨୧ରେ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଥିଲା ସେଥିରେ ପ୍ରମାଣିତ ହୋଇଥିଲା ଯେ ଏହା ଅପରାଧ ପରିସର ବୋଲି । ପରେ ଏ ନେଇ ଏକ ନୋଟିସ ସଂସ୍ଥାର ମାଲିକ ନିତିନ ଡିଡ୍ୱାନିଆଙ୍କୁ ପ୍ରଦାନ କରାଯାଇଥିଲା । ଯାହାର ଉତ୍ତରରେ ଶ୍ରୀ ଡିଡ୍ୱାନିଆ ତାଙ୍କର ଭୁଲ ମାନିବା ସହିତ ତାଙ୍କ ଦୋକାନରେ ଖୋଲା ହଳଦୀଗୁଣ୍ଡ ତାଙ୍କ ଅନଭିଜ୍ଞତା ପାଇଁ ରହିଥିବା ଦର୍ଶାଇଥିଲେ ଏବଂ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ପରେ ଏହାର ବିଚାର କରାଯାଇ ଜବତ ହୋଇଥିବା ହଳଦୀଗୁଣ୍ଡକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ୧ ଲକ୍ଷ ଟଙ୍କାର ଜୋରିମାନା ଅର୍ଥ ପଇଠ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହିତ ଆଗାମୀ ଦିନ ପାଇଁ ଯେପରି ଏଭଳି ଘଟଣା ନଜରକୁ ନଆସେ ସେଥିପ୍ରତି ସତର୍କ କରାଇ ଦିଆ ଯାଇଛି ।