Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବ୍ଲକରେ ମନରେଗା ସହ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି, ନଚେତ...

ଭଣ୍ଡାରିପୋଖରୀ ବ୍ଲକରେ ମନରେଗା ସହ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି, ନଚେତ ଆନ୍ଦୋଳନ ନେଇ ବିଜେପିର ଚେତାବନୀ

79

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା ସମେତ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ରାଜ୍ୟ ସରକାର ନିଜକୁ ସ୍ୱଚ୍ଛ କହି ଫାଇଭ ‘ଟି’ ଭଳି ସ୍ୱତନ୍ତ୍ର ବିଭାଗ ଖୋଲିଥିଲେ ମଧ୍ୟ ଦୁର୍ନୀତି ଅଧିକ କାୟା ବିସ୍ତାର କରିଛି । ବ୍ଲକର ଯନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କ ସମେତ କ୍ଷମତାସୀନ ଦଳୀୟ ନେତା ଓ ଲୋକପ୍ରତିନିଧି ଦୁର୍ନୀତିରେ ଜଡିତ ଅଛନ୍ତି ବୋଲି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଆରୋପ କରାଯିବା ସହ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏକ ପୋଖରୀ ଓ ସଡକ ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଇ ଅର୍ଥ ତୋଷରପାତ ହୋଇଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ କରାଯାଇଥିଲା । ମୋରଡା ସାହିର ମଝି ପୋଖରୀ କାମ ନଅ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓ ରତ୍ନାକର ଖଣ୍ଡେଇ ଘର ଠାରୁ ଜଇପୁର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଛଅ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରାଯାଇଥିବା ବେଳେ ଏହି କାମ ନିମ୍ନାମାନର କରାଯାଇଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗର ସପ୍ତାହେ ପରେ ମଧ୍ୟ ବିଭାଗୀୟ ଅଧିକାରୀ ପଦକ୍ଷେପ ନେଇ ନଥିବାରୁ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ଧଳ ସରକାରୀ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଥଇଳା ଗ୍ରାମର ମଝିସାହି ଠାରୁ ବଡପଡିଆ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପ୍ରକଳ୍ପ କାର୍ଯ୍ୟ କରାନଯାଇ ୩ଲକ୍ଷ ୯୪ ହଜାର ୧୨୭ ଟଙ୍କା.୪୪ ପଇସା ବିଲ କରାଯାଇଥିବା ଓ ଏହି ଗ୍ରାମରେ ଅନ୍ୟ ଏକାଧିକ ପ୍ରକଳ୍ପରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅନେକ ସ୍ଥାନରେ ଶ୍ରମିକ ପରିବର୍ତ୍ତେ ମେସିନରେ କାମ କରାଯାଇଛି । ପୋଖରୀ ଖୋଳା ପାଇଁ ବିଲ ଉଠାଣ ହୋଇଛି । ପୋଖରୀ ଖେଳା ମାଟି ପକାଯାଇଥିବା ସଡକ ପାଇଁ ବି ଏକା ମାଟି କାମକୁ ପୁଣି ବିଲ ଉଠାଣ ହୋଇଛି । ଏହାଛଡା ମୋ ଗୁହାଳ, ମୋ ପୋଖରୀ, ମୋ ବଗିଚା, ପାଇଖାନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଦୁର୍ନୀତି କରାଯାଇଛି । ଏଣୁ ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀ ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଧଳ ଦାବି ଜଣାଇଛନ୍ତି । ତୁରନ୍ତ ଏହା କରାନଗଲେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ଶ୍ରୀ ଧଳଙ୍କ ବ୍ୟତୀତ ଦଳୀୟ ନେତା ପ୍ରକାଶ ମହାପାତ୍ର, ତାରିଣୀସେନ ପଣ୍ଡା, ମୋରଡାର ୱାର୍ଡ ସଭ୍ୟ ଭାସ୍କର ଖଣ୍ଡେଇ, ପୂର୍ବତନ ୱାର୍ଡ ସଭ୍ୟ ଶ୍ୟାମସୁନ୍ଦର ଖଣ୍ଡେଇ, ରତ୍ନାକର ଖଣ୍ଡାଇ ଓ ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.