Home ଜିଲ୍ଲା ପରିକ୍ରମା ବହୁଚର୍ଚ୍ଚିତ ସଶ୍ମିତା ନିର୍ଯ୍ୟାତନା ଘଟଣା; ମଧ୍ୟସ୍ଥି ଜରିଆରେ ଥାନାରେ ହାଜର ହେଲା ଅଭିଯୁକ୍ତ ସ୍ୱାମୀ!

ବହୁଚର୍ଚ୍ଚିତ ସଶ୍ମିତା ନିର୍ଯ୍ୟାତନା ଘଟଣା; ମଧ୍ୟସ୍ଥି ଜରିଆରେ ଥାନାରେ ହାଜର ହେଲା ଅଭିଯୁକ୍ତ ସ୍ୱାମୀ!

99

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସାତଶୋଳା ଗ୍ରାମର ନାରାୟଣ ଖଣ୍ଡେଇଙ୍କ ବୋହୂ ସଶ୍ମିତାଙ୍କ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତ ସ୍ୱାମୀ ନିତ୍ୟ ଚୈତନ୍ୟ ଖଣ୍ଡାଇ ଜନୈକ ମଧ୍ୟସ୍ଥ ଜରିଆରେ ଥାନାରେ ହାଜର ହୋଇଥିବା ଜଣାଯାଇଛି । ସୋମବାର ଜଣେ ମଧ୍ୟସ୍ଥ ମାଧ୍ୟମରେ ଶିଶୁପୁତ୍ରକୁ ଥାନାରେ ହାଜର କରାଯିବା ଅନୁରୂପ ନିତ୍ୟଚୈତନ୍ୟ ଥାନାରେ ହାଜର ହୋଇଛି । ଏଥିନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ହାଜର ହୋଇଥିବା ନିତ୍ୟଚୈତନ୍ୟଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଶ୍ୱଶୁର ନାରାୟଣ ଚନ୍ଦ୍ର ଖଣ୍ଡାଇ, ଶାଶୁ, ନଣନ୍ଦ, ନଣନ୍ଦେଇ ପ୍ରମୁଖ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିପାରି ନାହିଁ । ଅନ୍ୟପକ୍ଷରେ ନିରୀହ ମହିଳା ସଶ୍ମିତା ନିର୍ଯ୍ୟାତନାର ଗୁମର ଉପରୁ କ୍ରମେ ପରଦା ହଟିବାରେ ଲାଗିଛି । ବିବାହ ପୂର୍ବରୁ ନିତ୍ୟଚୈତନ୍ୟର ଅନ୍ୟ ଯୁବତୀ ସହ ପ୍ରେମ ସମ୍ପର୍କ ରହିଥିବା ବିଷୟ ପିତାମାତା ଜାଣିବା ସତ୍ତ୍ୱେ ଗରିବ ମେଧାବୀ ଯୁବତୀ ସଶ୍ମିତା ସହ ବିବାହ ନିତ୍ୟଚୈତନ୍ୟର ଅନିଚ୍ଛା ଥାଇ କରାଇଥିଲେ । ବିବାହ ପରେ ମଧ୍ୟ ପୂର୍ବ ଭଳି ଅନ୍ୟ ଯୁବତୀ ସହ ପ୍ରେମ ସମ୍ପର୍କ ଅତୁଟ ରହିଥିଲା ।

ସଶ୍ମିତାକୁ ଶିକ୍ଷୟତ୍ରୀ ଭାବେ ସହଜରେ ନିଯୁକ୍ତି ମିଳିପାରିବ ବୋଲି ଆଶା ପୋଷଣ ମଧ୍ୟ ଶାଶୁ ଓ ଶ୍ୱଶୁର କରିଥିଲେ । ଏହି ଲକ୍ଷ୍ୟରେ ବିବାହ ସମୟରେ +୨ ଯୋଗ୍ୟତା ଥିବା ସଶ୍ମିତାକୁ ବାରମ୍ବାର +୩ ଶିକ୍ଷା ପାଇଁ ବାପଘର ଓ ଶିକ୍ଷାନୁଷ୍ଠାନକୁ ଯିବା ସୁଯୋଗ ଦେଇଥିଲେ । ଏହାକୁ ଦୁରୁପଯୋଗ କରି ସ୍ୱାମୀ ସଶ୍ମିତା ଉପରେ ଚାରିତ୍ରିକ ଆରୋପ ଲଗାଇ ବିବାହକୁ ଖାରଜ କରିବାକୁ ବାରମ୍ବାର ଉଦ୍ୟମ କରିଚାଲିଥିଲେ । କ୍ରମେ ପୁତ୍ର ଇଚ୍ଛା ଓ କାର୍ଯ୍ୟ ସହ ସ୍ୱର ମିଳାଇ ଶ୍ୱଶୁର ନାରାୟଣ, ଶାଶୁ, ନଣନ୍ଦ, ନଣନ୍ଦେଇ ପ୍ରମୁଖ ସଶ୍ମିତା ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ । ଏହି ଯୋଜନା ଅନ୍ତର୍ଗତ ଶିଶୁପୁତ୍ରକୁ ସଶ୍ମିତା ଠାରୁ ସ୍ୱାମୀ ନିତ୍ୟଚୈତନ୍ୟ କୌଶଳ କ୍ରମେ ପୁଅକୁ ନେଇ ଆସି ଫେରାଇନଥିଲେ । ଘଟଣା ଦିନ ରାତ୍ରରେ ଆକ୍ରମଣ ହେବା ଜାଣି ମଧ୍ୟ ସଶ୍ମିତା ଶ୍ୱଶୁର ଘରେ ରହି ନିଜ ବୈବାହିକ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଉଚିତ ମଣିଥିଲେ । ମାତ୍ର ଏଥିନେଇ ମଞ୍ଜୁରୀରୋଡ ଫାଣ୍ଡି ପୁଲିସର ଅସଫଳ ସହାୟତା ନେଇଥିଲେ । ଆଶଙ୍କା ମୁତାବକ ରାତ୍ରରେ ସଶ୍ମିତା ଉପରେ ଆକ୍ରମଣ ହୋଇଥିଲା । ନାରାୟଣଙ୍କ ଘର ସମ୍ମୁଖରେ ପଡୋଶୀଙ୍କ ଠାରୁ ସୂଚନା ପାଇ ଫାଣ୍ଡି ପୁଲିସ ସଶ୍ମିତାକୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଥିଲା । ଘଟଣାରେ ସ୍ୱାମୀ ଭଳି ଶ୍ୱଶୁର, ଶାଶୁ, ନଣନ୍ଦ, ନଣନ୍ଦେଇ ପ୍ରମୁଖଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ବିରୋଧରେ ସମ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.