ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସବ୍ଜେଲ୍ରେ ବର୍ଦ୍ଧିତ କଏଦୀଙ୍କ ସଂଖ୍ୟା ହ୍ରାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦଫାରେ ଜେଲ୍ରେ ସଜା କାଟୁଥିବା ୨୭ ଜଣ କଏଦୀଙ୍କୁ ବାଲେଶ୍ୱର ଜିଲାର ସୋର ଜେଲ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆହୁରି ୨୭ ଜଣଙ୍କ ବଦଳି ପ୍ରକ୍ରିୟା ଚୂଡାନ୍ତ ହୋଇଛି । ଆଗାମୀ ଦିନେ ଅଥବା ଦୁଇଦିନ ମଧ୍ୟରେ ସେମାନଙ୍କୁ କେନ୍ଦୁଝର ଜିଲା ଆନନ୍ଦପୁର ଜେଲ୍କୁ ସ୍ଥାନାନ୍ତର କରାଯାଉଥିବା ନେଇ ଭଦ୍ରକ ଜେଲ୍ ଅଧୀକ୍ଷକ ଋଷି ନାୟକ ସୂଚନା ଦେଇଛନ୍ତି । ସେହିଭଳି ଗତବର୍ଷ ପାରୋଲରେ ଯାଇଥିବା ୮ ଜଣ କଏଦୀଙ୍କର ୯୦ ଦିନିଆ ଛୁଟି ଜେଲ୍ ମଂଜୁରା ପାଇବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଖଲାସ ହୋଇଯାଇଥିବା ହେତୁ ଅନ୍ୟ ୪ ଜଣଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଇଥିବା ଅଧୀକ୍ଷକ କହିଛନ୍ତି । ଏହା ବାଦ୍ ଏହି ଜେଲ୍ରେ ସଜା କାଟୁଥିବା ଅନ୍ୟ ୮ ଜଣ କଏଦୀଙ୍କ ପାରୋଲ ଆବେଦନ ଜେଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗୃହିତ ହୋଇସାରିଥିବା ହେତୁ ଖୁବଶୀଘ୍ର ଏହି ୮ ଜଣଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଉଥିବା ଅଧୀକ୍ଷକ କହିଛନ୍ତି । କୋଭିଡ୍ ସମୟରେ ଜେଲ୍ରେ ଗହଳି ଯୋଗୁଁ ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଜେଲ୍ କର୍ତ୍ତୃପକ୍ଷ ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି । ବିଶେଷକରି ୭ ବର୍ଷ ଅଥବା ତାଠୁ କମ୍ ସଜା କାଟୁଥିବା କଏଦୀମାନଙ୍କୁ ଜାମିନ ଅଥବା ପାରୋଲରେ ଛାଡିବାକୁ ସରକାରୀ ଭାବେ ନିଷ୍ପତ୍ତି ଗୃହିତ ହେବା ପରେ ଏବେ ରାଜ୍ୟବ୍ୟାପୀ ବିଭିନ୍ନ ଜେଲ୍ରେ ରହୁଥିବା କଏଦୀଙ୍କୁ ଜାମିନ ଅଥବା ୯୦ ଦିନିଆ ପାରୋଲରେ ଛଡାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରିଟ୍ରିଶ ଶାସନ ଅମଳରେ ଭଦ୍ରକରେ ପ୍ରତିଷ୍ଠିତ ଏହି ସବ୍ଜେଲ୍ରେ ସର୍ବାଧିକ ୧୬୬ ଜଣ କଏଦୀ ରହିବାର ସୁବିଧା ରହିଥିଲେ ମଧ୍ୟ କୋଭିଡ୍ ଯୋଗୁଁ ଏବେ ଏହି ଜେଲ୍ରେ ୪ ଶହରୁ ଉର୍ଦ୍ଧ୍ୱ କଏଦୀ ରହୁଛନ୍ତି ।
ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଭଦ୍ରକ ଜେଲ୍ରୁ ୨୭ ଜଣ କଏଦୀଙ୍କ ବଦଳି ଏବଂ ୪ ଜଣ ୯୦ ଦିନିଆ ପାରୋଲରେ ଯିବା ପରେ ଏବେ ଏହି ଜେଲ୍ରେ ଆହୁରି ୪୦୧ ଜଣ କଏଦୀ ରହୁଛନ୍ତି । ସେଥିରୁ ସର୍ବାଧିକ ୩୭୫ ଜଣ ପୁରୁଷ କଏଦୀ ରହୁଥିବାବେଳେ ୨୬ ଜଣ ମହିଳା ରହୁଛନ୍ତି । ଜେଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଯଦିବା ଜେଲ୍ରେ କୋଭିଡ୍ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରାଯାହଉଛି, ତଥାପି କୋଭିଡ୍ ସମୟରେ ଜେଲ୍ର ଗୋଟିଏ ଛାତ ତଳେ ଏତେ ସଂଖ୍ୟକ କଏଦୀ ରହିବା ନିରାପଦ ମନେ କରାଯାଇପାରୁନାହିଁ । ତେଣୁ ଆମେ ଜେଲ୍ରୁ କଏଦୀଙ୍କ ସଂଖ୍ୟା ଯଥାସମ୍ଭବ କମ୍ କରିବା ଲାଗି ଉଭୟ ଜେଲ୍ ଉଚ୍ଚ କର୍ତ୍ତୃପକ୍ଷ ଏବଂ ମାନ୍ୟବର କୋର୍ଟଙ୍କୁ ଏ ବାବଦରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛୁ । ଜେଲ୍ ଅନ୍ତେବାସୀଙ୍କୁ ସଂକ୍ରମଣ ଠାରୁ ଦୂରରେ ରଖିବା ଲାଗି ଇତିମଧ୍ୟରେ ଜେଲ୍ ମୁଲାକାତକୁ ବନ୍ଦ କରିଦିଆଯାଇଥିବା ବେଳେ ଜେଲ୍ ଭିତରେ ସମସ୍ତଙ୍କୁ ମାସ୍କ ବ୍ୟବହାର ଏବଂ ସାନିଟାଇଜ୍ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଜେଲ୍ ପରିସରକୁ ନିୟମିତ ଭାବେ ସାନିଟାଇଜ୍ କରାଯାଉଛି । ତଥାପି ଜେଲ୍ରେ ବଢିଯାଲିଥିବା ଅନ୍ତେବାସୀଙ୍କ ସଂଖ୍ୟାକୁ ନେଇ ଜେଲ୍ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି ।








