କୋରାପୁଟ ୦୭-୦୫(ଓଡିଆ ପୁଅ /ରଂଜନ ଦାସ)ଫେସବୁକରେ ସାଙ୍ଗ ହୋଇ ଯୁବତୀଙ୍କୁ ଠକିଥିବା ଦୁଇ ଯୁବକଙ୍କୁ କୋରାପୁଟ ଟାଉନ ପୋଲିସ ଗିରଫ କରିଛି ।କୋରାପୁଟ ରେଳବାଇ କଲୋନୀର ପି.ପ୍ରସାଦ କୁମାର ରାଓ ଗତ ୨୦୧୮ ମସିହାରେ ସୁନାରୀସାହିର ଶିବାନୀ ପଟନାୟକଙ୍କ ସହ ଫେସବୁକରେ ସାଙ୍ଗ ହୋଇଥିଲେ ।ରେଳବାଇରେ ଚାକିରୀ କରୁଛି ତୁମକୁ ରେଳବାଇରେ ଚାକିରୀ କରାଇଦେବି ବୋଲିି ପ୍ରସାଦ କହି ଶିବାନୀଙ୍କଠାରୁ ବିଭିନ୍ନ ସମୟରେ ୧ ଲକ୍ଷ ଟଙ୍କା ନେଇଥିଲା ବୋଲି କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ତଥା ତଦନ୍ତ ଅଧିକାରୀ ଧିରେନ ପଟନାୟକ ସୂଚନା ଦେଇଛନ୍ତି ।ଚାକିରୀ ନ ହେବାରୁ ପ୍ରସାଦ ସହ ଶିବାନୀ କଥା ହୋଇଥିଲେ ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋ ସାଙ୍ଗ ଅଶୋକ କୁମାର ମହାନ୍ତି ଚାକିରୀ କରୁଛନ୍ତି ସେ ତୁମକୁ ସରକାରୀ ଚାକିରୀ କରାଇଦେବେ ବୋଲିି ଶିବାନୀଙ୍କୁ ପ୍ରସାଦ କହିଥିଲା ବୋଲି ଥାନା ଅଧିକାରୀ ଶ୍ରୀ ପଟନାୟକ ପ୍ରକାଶ କରିବା ସହ ସରକାରୀ ଚାକିରୀ କରାଇଦେବାକୁ କହି ୧ ଲକ୍ଷ ଟଙ୍କା ଅଶୋକକୁ ଶିବାନୀ ଦେଇଥିବା ସୂଚନା ଦେଇଥିଲେ ।କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନାମରେ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ ।ଉକ୍ତ ନିଯୁକ୍ତ ପତ୍ର ଜାଲ ଥିବା ଓ ୨ ଜଣ ଚାକିରୀ କରୁ ନ ଥିବା ଶିବାନୀ ଜାଣିପାରି କୋରାପୁଟ ଟାଉନଥାନାରେ ଏତାଲା ଦେଇଥିଲେ ।ଚଳିତ ଫେର୍ବୁଆରୀ ମାସ ୨୮ ତାରିଖରେ ଏକ କେସ ରୁଜୁ ହୋଇ ତଦନ୍ତ କରାଯାଇ ୨ ଜଣକୁ ପଚାରିବା ପରେ ସେମାନେ ଭୁଲ କରିଥିବା ସ୍ୱୀକାର କରିଥିଲେ ବୋଲି ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ତଥା ତଦନ୍ତ ଅଧିକାରୀ ଶ୍ରୀ ପଟନାୟକ ପ୍ରକାଶ କରିଥିଲେ ।ପ୍ରସାଦ ୯୫ ହଜାର ଟଙ୍କା ପ୍ରଦାନ କରିଥିଲା ବୋଲି ସେ ସୂଚନା ଦେଇଛନ୍ତି । ଶିବାନୀଙ୍କୁ ଉକ୍ତ ଟଙ୍କା ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ପି.ପ୍ରସାଦ କୁମାର ରାଓ ଓ ଅଶୋକ କୁମାର ମହାନ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ।